ଭିତରକନିକାରେ ପୁଣି ଏକ ଧଳା କୁମ୍ଭୀର

ରାଜନଗର : ଭିତରକନିକାରେ ‘ଗୋରୀ’ ଭଳି ଶଙ୍ଖ ମଲମଲ ଧଳା କୁମ୍ଭୀର ସନ୍ଧାନ ମିଳିଛି। ଡାଙ୍ଗମାଳ ଠାରେ ଥିବା ବଉଳା କୁମ୍ଭୀର ଗବେଷଣା ଓ ସଂରକ୍ଷଣ କେନ୍ଦ୍ରରେ ଏହି ଧଳା କୁମ୍ଭୀର ଛୁଆକୁ ରଖାଯାଇ ଯତ୍ନ ନିଆଯାଉଛି। ଅଢେଇ ମାସର ଗୋରୀ ଭଳି ଦେଖାଯାଉଥିବା ଧଳା ରଙ୍ଗର ବିରଳ ବଉଳା କୁମ୍ଭୀର ଛୁଆ ଏବେ ଦେଶ ବିଦେଶରେ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ହୋଇଛି।

ଚଳିତବର୍ଷ କୁମ୍ଭୀର ପ୍ରଜନନ ଋତୁରେ ଭିତରକନିକାର ଗଂଜେଇଖିଆ ଠାରେ ଏକ କୁମ୍ଭୀର ଅଣ୍ଡାବସା ଜୁଆର ମାଡ଼ରେ ନଷ୍ଟ ହୋଇଯାଇଥିଲା। ବନବିଭାଗ ପକ୍ଷରୁ ସଂପୃକ୍ତ କୁମ୍ଭୀର ବସାରୁ ୫୮ଟି ଅଣ୍ଡା ସଂଗ୍ରହ କରାଯାଇଥିଲା। ୫୮ଟି କୁମ୍ଭୀର ଅଣ୍ଡାକୁ ଡାଙ୍ଗମାଳ ଠାରେ ବଉଳା କୁମ୍ଭୀର ଗବେଷଣା ଓ ସଂରକ୍ଷଣ କେନ୍ଦ୍ରରେ ଖରଖରି ପତ୍ର ଘୋଡ଼ାଯାଇ ରଖାଯାଇଥିଲା। କୃତ୍ରିମ ଉପାୟରେ ଅଣ୍ଡାରୁ ଛୁଆ ଫୁଟା ଯାଇଥିଲା। ଅଗଷ୍ଟ ମାସରେ ଏହି କୃତ୍ରିମ ଉପାୟରେ ଛୁଆ ବାହାର କରିବା ପାଇଁ ବସାଯାଇଥିବା ଅଣ୍ଡାରୁ ୩୨ଟି ଛୁଆ ବାହାରିଥିଲେ। ୩୨ଟି ଛୁଆକୁ କୁମ୍ଭୀର ଗବେଷଣା ଓ ସଂରକ୍ଷଣ କେନ୍ଦ୍ରରେ ରଖାଯାଇଛି। ଛୁଆ ବାହାରିବା ସମୟରେ ଛୁଆ ଗୁଡ଼ିକ ଛୋଟଛୋଟ ହୋଇଥିବାରୁ ଧଳା କଳା ରଂଗ ନେଇ ଜାଣି ହୋଇନଥିଲା। ମାତ୍ର ଛୁଆ ଗୁଡ଼ିକ ବଢିବା ପରେ ପ୍ରଜନନ କେନ୍ଦ୍ରର କୁଣ୍ଡ ମଧ୍ୟରେ ଧଳା କୁମ୍ଭୀର ଛୁଆ ପହଁରୁଥିବା ଦେଖିବାକୁ ମିଳିଥିଲା। ଏହି ବିରଳ ଧଳା ଛୁଆକୁ ଦେଖିବା ପରେ କୁମ୍ଭୀର ଛୁଆର ଯତ୍ନ ଦାୟିତ୍ୱରେ ଥିବା କର୍ମଚାରୀ ବରିଷ୍ଠ ଅଧିକାରୀଙ୍କୁ ସୂଚନା ଦେଇଥିଲେ। କୁମ୍ଭୀର ଛୁଆଟି ଶଙ୍ଖ ମଲ ମଲ ପରି ଧଳା ହୋଇଥବାରୁ ଏହି ଧଳା କୁମ୍ଭୀର ଛୁଆର ସ୍ୱତନ୍ତ୍ର ଭାବେ ଯତ୍ନ ନିଆଯାଉଛି।

୧୯୭୫ ଅପ୍ରେଲ ୨୨ରେ ଡାଙ୍ଗମାଳ ଠାରେ ଦେଶର ପ୍ରଥମ ବଉଳା କୁମ୍ଭୀର ଗବେଷଣା ଓ ସଂରକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା। ପ୍ରଥମ ବର୍ଷ ୨୫ଟି ଅଣ୍ଡା ସଂଗ୍ରହ କରାଯାଇ କୃତ୍ରିମ ଉପାୟରେ ଛୁଆ ଫୁଟାଯାଇଥିଲା। ସେହିବର୍ଷ ଅଗଷ୍ଟମାସରେ ଅଧିକାଂଶ ଅଣ୍ଡାରୁ ଅଣ୍ଡିରା ଶାବକ ବାହାରିଥିବା ବେଳେ ମାତ୍ର ୨ଟି ମାଈ ଶାବକ ବାହାରିଥିଲେ। ସେଥିମଧ୍ୟରୁ ଗୋଟିଏ ଛୁଆ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏହି ଛୁଆର ଶଙ୍ଖ ମଲମଲ ଭଳି ଦେହକୁ ଦେଖି ତାର ନାଁ ଗୋରୀ ରଖାଯାଇଥିଲା। ଗୋରୀକୁ ଦେଖିବାକୁ ଏବେବି ଦେଶ ବିଦେଶର ପର୍ଯ୍ୟଯକଙ୍କ ଭିଡ଼ ଜମୁଛି। ଏପରିକି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବଗାନ୍ଧୀ ଭୁବନେଶ୍ୱର ଆସିଥିବା ବେଳେ ଏହି ବିରଳ କୁମ୍ଭୀରକୁ ଦେଖିବା ଲାଗି ଆଗ୍ରହ ପ୍ରକାଶ କରିଥିଲେ। ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇ ଗୋରୀକୁ ଭୁବନେଶ୍ୱର ନିଆଯାଇଥିଲା। ମାତ୍ର ଗୋରୀକୁ ୪୨ବର୍ଷ ହୋଇଥିଲେ ବି ଆଜି ଯାଏଁ ମା’ ହୋଇପାରିଲାନି। ଗୋରୀ ମା’ ହୋଇପାରିନଥିବାରୁ ଧଳା କୁମ୍ଭୀର ଛୁଆ ଏକପ୍ରକାର ସ୍ୱପ୍ନ ହୋଇପଡ଼ିଥିଲା।

ଏହାପରେ ୨୦୦୩ ମସିହାରେ ବନବିଭାଗକୁ ୨ଟି ଧଳା ଛୁଆ ମିଳିଥିଲା। ଗୋଟିଏ ଧଳା ଛୁଆକୁ ଆବଦ୍ଧ ପୋଖରୀ ଭିତରେ ରଖାଯାଇଥିବା ବେଳେ ଅନ୍ୟ ଏକ ଛୁଆକୁ ଭିତରକନିକା ନଦୀରେ ଛାଡି ଦିଆଯାଇଥିଲା। ଦୀର୍ଘବର୍ଷ ପରେ ତୃତୀୟ ଥର ପାଇଁ ଆଉ ଏକ ଧଳା ବଉଳା କୁମ୍ଭୀର ଛୁଆ ଜନ୍ମ ନେଇଛି।

ସମ୍ବନ୍ଧିତ ଖବର