ପଗଡ଼ି ଚିହ୍ନାଇଦେଲା ପୁରୁଣା ବନ୍ଧୁ : ବାଣୀବିହାର ମଞ୍ଚ ଉପରୁ ପୂର୍ବତନ ସାଂସଦ ବୀରଭଦ୍ର ସିଂହଙ୍କୁ ଡ଼ାକିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ବର: ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍‌ ଜୁବୁଲି ଉଦଯାପନୀ ଉତ୍ସବରେ ସାମ୍ନାକୁ ଆସିଥିଲା ଏକ ରୋଚକ ଚିତ୍ର। ଯେତେବେଳେ ନିଜ ପୁରୁଣା ବନ୍ଧୁଙ୍କ ପଗଡ଼ି ଦେଖି ଚିହ୍ନି ପକାଇଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ।

ଧଳା ପଗଡ଼ି ଚିହ୍ନାଇ ଦେଲା ପୁରୁଣା ବନ୍ଧୁ। ମଞ୍ଚ ଉପରୁ ପୂର୍ବତନ ସାଂସଦଙ୍କୁ ଡ଼ାକିଲେ ରାଷ୍ଟ୍ରପତି। ଉତ୍କଳ ବିଶ୍ୱବିଦ୍ୟାଳୟରେ  ପ୍ଲାଟିନମ ଜୁବୁଲିର ଉଦଯାପନୀ ଉତ୍ସବ ଚାଲିଥିବା ବେଳେ ଦର୍ଶକଙ୍କ ଗହଣରେ ବସିଥିଲେ ପୂର୍ବତନ ମନ୍ତ୍ରୀ ତଥା ସାଂସଦ ବୀରଭଦ୍ର ସିଂହ। ଦିଲ୍ଲୀ ଗସ୍ତ ବାତିଲ କରି ପତ୍ନୀଙ୍କୁ ସାଙ୍ଗରେ ଧରି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଦେଖିବା ପାଇଁ ପହଂଚିଥିଲେ। ମଂଚତଳେ ଦର୍ଶକଙ୍କ ଗହଣରେ ଦ୍ୱିତୀୟ ଧାଡ଼ିରେ ବସିଥିବାବେଳେ ରାଷ୍ଟ୍ରପତିଙ୍କ ସହ ତାଙ୍କର ପୁରୁଣା ସଂପର୍କକୁ ମନେ ପକାଉଥିଲେ।

ସଭା କାର୍ଯ୍ୟ ସରିବା ପରେ ମଂଚରୁ ବିଦା ନେବାକୁ ବାହାରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆଉ ଏତିକି ବେଳେ ଦର୍ଶକ ମହଲରେ ବସିଥିବା ଏହି ପୁରୁଣା ମିତ୍ରଙ୍କ ଉପରେ ବୋଧହୁଏ ତାଙ୍କର ଦୃଷ୍ଟି ପଡିଥିଲା। ତେଣୁ ପ୍ରଥମେ ଜଣେ ବ୍ୟକ୍ତିଙ୍କୁ ଡ଼ାକି ତାଙ୍କ ବାବଦରେ କିଛି ପଚାରିଥିଲେ। ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଡ଼ାକି କାନ ପାଖରେ କିଛି କହୁଥିବା ଦେଖିବାକୁ ମିଳିଥିଲା। ହଠାତ୍ ମାଇକରେ ଶୁଣାଗଲା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ବର। ମାଇକରେ କେନ୍ଦ୍ରମନ୍ତ୍ରୀ ଘୋଷଣା କଲେ ବୀରଭଦ୍ରବାବୁ ଆପଣଙ୍କୁ ରାଷ୍ଟ୍ରପତି ଦେଖା କରିବାକୁ ଚାହୁଁଛନ୍ତି । ରାଷ୍ଟ୍ରପତି ମଂଚରୁ ଓହ୍ଲାଇ ଯାଇଥିଲେ ଏବଂ ଏତେ ଦିନ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ମନେ ରଖିଥିବାରୁ କୃତ୍ୟକୃତ୍ୟ ହୋଇଯାଇଥିଲେ ବୀରଭଦ୍ର ସିଂହ। ଘୋଷଣା ପରେ ଅଭ୍ୟର୍ଥନା କକ୍ଷରେ ଯାଇ ରାଷ୍ଟ୍ରପତିଙ୍କୁ ସେ ଭେଟିଥିଲେ ।

ରାଷ୍ଟ୍ରପତିଙ୍କ ସହ ବୀରଭଦ୍ରଙ୍କ ନିବିଡ଼ତା
– ୨୦୦୦ରେ ବିଜେଡି ଟିକେଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ବୀରଭଦ୍ର ସିଂହ।
– ସେହି ସମୟରେ ଉତ୍ତର ପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ରାମନାଥ କୋବିନ୍ଦ।
– ଉଭୟ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ସଂସଦୀୟ କମିଟିରେ ସଦସ୍ୟ ରହିଥିଲେ।
– ୨ବର୍ଷ ଏକାଠି କାମ କରିବା ଭିତରେ ବୀରଭଦ୍ରଙ୍କ ପରାମର୍ଶକୁ ଗୁରୁତ୍ୱ ଦେଉଥିଲେ କୋବିନ୍ଦ।
– ରାଜ୍ୟରେ ଏହି ବିଭାଗର ମନ୍ତ୍ରୀ ରହିସାରିଥିବାରୁ ସକାରାତ୍ମକ ପରାମର୍ଶ ଦେଉଥିଲେ ବୀରଭଦ୍ର।

୨୦୦୬ରେ ଶେଷଥର ପାଇଁ ରାମନାଥ କୋବିନ୍ଦଙ୍କୁ ଭେଟିଥିଲେ ବୀରଭଦ୍ର ସିଂହ। ହେଲେ ରାଷ୍ଟ୍ରପତି ହେବା ପରେ ପ୍ରଥମଥର ତାଙ୍କୁ ଭେଟିବା ପାଇଁ ଇଚ୍ଛା କରି ସେ ବାଣୀବିହାରକୁ ଛୁଟି ଆସିଥିଲେ।

ସମ୍ବନ୍ଧିତ ଖବର