କିଏ ହେବ ଚୌଦ୍ବାର-କଟକ ବିଜେଡି ପ୍ରାର୍ଥୀ?

ଆଶାୟୀଙ୍କ ବନ୍ଧୁମିଳନ; ପରିବାରବାଦ ରାଜନୀତିକୁ ବିରୋଧ, ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ସର୍ବମାନ୍ୟ: ପ୍ରଭାତ

କଟକ : ଚୌଦ୍ବାର-କଟକ ନିର୍ବାଚନମଣ୍ତଳୀରୁ କିଏ ହେବ ବିଜେଡି ପ୍ରାର୍ଥୀ? ଏହାକୁ ନେଇ ଏବେ ବି ଜାରି ରହିଛି ସନ୍ଦେହ। ପ୍ରଭାତ ବିଶ୍ବାଳଙ୍କ ସ୍ଥାନରେ ତାଙ୍କ ପସନ୍ଦ ଅନୁଯାୟୀ ପୁଅ ସୌଭିକ ବିଶ୍ବାଳଙ୍କୁ ବିଜେଡି ଟିକେଟ ମିଳିବ କି? ଏଭଳି ଚର୍ଚ୍ଚା ଜୋର ଧରିବା ପରେ ଚୌଦ୍ବାର-କଟକ ବିଧାନସଭା କ୍ଷେତ୍ରରୁ ବିଜେଡିର ଅନେକ ଆଶାୟୀ ଆଜି ବାଦାମବାଡିସ୍ଥିତ ହୋଟେଲ ମନିଷା ରେସିଡେନ୍ସିରେ ବନ୍ଧୁ ମିଳନ ଆଳରେ ଏକାଠି ହୋଇଛନ୍ତି। ପରିବାରବାଦ ରାଜନୀତିକୁ କୌଣସି ପରିସ୍ଥିତିରେ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ଘୋଷଣା କରିଛନ୍ତି।

ଏହି ବନ୍ଧୁମିଳନରେ ଉପସ୍ଥିତ ପୂର୍ବତନ ଡେପୁଟି ମେୟର ଅଜୟ ବାରିକ କହିଥିଲେ ଯେ ‘ବିଧାୟକଙ୍କୁ ବିରୋଧ କରାଯାଉନାହିଁ, ତାଙ୍କର ଦୁର୍ଭାଗ୍ୟ ଯୋଗୁଁ ସେ ଚିଟ୍‌ଫଣ୍ତ ମାମଲାରେ ଫସିଲେ। ଏଥିଯୋଗୁଁ କିଏ ନୂଆ ପ୍ରାର୍ଥୀ ହେବ ତାହା ଦଳର ସଭାପତିଙ୍କ ନିଷ୍ପତ୍ତି। ହେଲେ ଚୌଦ୍ବାର କଟକ କାହାର ଜାଗିର ନୁହେଁ। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ, ତାଙ୍କ ନିଷ୍ପତ୍ତିକୁ ଆମେ ସ୍ବୀକାର କରିବୁ ଓ ତାଙ୍କ ପାଇଁ ଲଢିବୁ। ଏଠାରେ କୌଣସି ବ୍ୟକ୍ତିପାଇଁ ନୁହେଁ ବର˚ ଦଳ ପାଇଁ କାର୍ଯ୍ୟ କରିବାକୁ ସମସ୍ତେ ଆଗେଇବା ଉଚିତ୍‌’। କିନ୍ତୁ ବିଧାୟକ ଅନେକ ବୈଠକରେ ବରିଷ୍ଠ କର୍ମୀମାନଙ୍କୁ ଅଣଦେଖା କରୁଛନ୍ତି ବୋଲି ଛାତ୍ର ବିଜେଡି ମହାସଚିବ ହରିଶଙ୍କର ରାଉତ ଅଭିଯୋଗ କରିଥିବା ବେଳେ ଆଗାମୀ ନିର୍ବାଚନ ପାଇଁ ନିର୍ବାଚନ ମଣ୍ତଳୀରେ ଏକ ପରିଚାଳନା କମିଟି ଗଠନ କରିବାକୁ ଯୁବ ବିଜେଡି ମହାସଚିବ ଶିଶିର ପରିଜା ପ୍ରସ୍ତାବ ଦେଇଥିଲେ। କୌଣସି ବୈଠକ କରାଇବା, ସେଠାକୁ କାହାକୁ ଡାକିବା ଏସବୁ ନିଷ୍ପତ୍ତି କମିଟି ନେଉ ବୋଲି ବୈଠକରେ କୁହାଯାଇଥିଲା। ଅନ୍ୟପଟେ ହୋଲି ଅବସରରେ ମହାନଦୀବିହାର ସେଲିବ୍ରେସନ୍‌ ମଣ୍ତପରେ ବିଧାୟକ ପ୍ରଭାତରଂଜନ ବିଶ୍ବାଳ ଏକ ବୈଠକ ଡାକିଥିବା ବେଳେ ସେଥିରେ ସେ ନିର୍ବାଚନ ଲଢିବେ ନାହିଁ, ଯିଏ ନିର୍ବାଚନ ଲଢିବ ସିଏ ଦୁଇ ମାସରେ ଇସ୍ତଫା ଦେ‌ବ ଏବଂ ସେ ପୁଣି ଉପନିର୍ବାଚନ ଲଢିବେ ବୋଲି କହିବା ଘଟଣାକୁ ବୈଠକରେ ଉପସ୍ଥିତ ଅନେକ ନାପସନ୍ଦ କରିଥିଲେ। ଅନେକ ନେତା ପ୍ରଭାତ ବିଶ୍ବାଳଙ୍କ ପ୍ରତି ଖୋଲା ସମର୍ଥନ ଜ୍ଞାପନ କରିଥିଲେ ବି ଡମି ପ୍ରାର୍ଥୀ ଚୟନକୁ ବିରୋଧ କରିଥିଲେ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସ˚ଖ୍ୟାଲଘୁ ସେଲ୍‌ ସାଧାରଣ ସମ୍ପାଦକ ମହମ୍ମଦ ଫରିଦ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଶାନ୍ତ ନାୟକ, ନଗର ସମ୍ପାଦକ ତାପସ ମହାନ୍ତି, ରାଜେନ୍ଦ୍ର ରଣା, ଅଶୋକ ବେହେରା, ସ୍ମୃତିର˚ଜନ ନାୟକ, ସଙ୍ଗୀତା ଶର୍ମା, ବିଷ୍ଣୁ ଚରଣ ପରିଡା ପ୍ରମୁଖ ଉପସ୍ଥିତ ଥିବା ବେଳେ ପରିବାରବାଦକୁ ପ୍ରଶ୍ରୟ ନଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ଅନୁରୋଧପତ୍ର ପଠାଇବାକୁ ନିଷ୍ପତ୍ତି ନେଇଥିଲେ।

ଏ ସ˚କ୍ରାନ୍ତରେ ବିଧାୟକ ପ୍ରଭାତ ରଂଜନ ବିଶ୍ବାଳ କହିଛନ୍ତି ଯେ, ବ୍ୟସ୍ତତା ଯୋଗୁଁ ସେ ବୈଠକକୁ ଯାଇ ପାରି ନଥିଲେ। କିନ୍ତୁ ତାଙ୍କର କାହା ସହିତ ମତାନ୍ତର କିମ୍ବା ମନାନ୍ତର ନାହିଁ। କାହାକୁ ଆଗାମୀ ପ୍ରାର୍ଥୀ କରାଯିବ ତାହାର ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନେବେ। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ହିଁ ସର୍ବମାନ୍ୟ। ଗଣତନ୍ତ୍ରରେ ଲୋକେ ହିଁ ଭୋଟ ଦେଇ ପ୍ରତିନିଧି ବାଛନ୍ତି। ତେଣୁ ଯୋଗ୍ୟତା ଆଧାରରେ ମୁଖ୍ୟମନ୍ତ୍ରୀ ଯାହାକୁ ମନୋନୀତ କରିବେ, ଲୋକେ ଯାହାକୁ ନିର୍ବାଚିତ କରିବେ, ତାହାକୁ ନେଇ ବିରୋଧାଭାଷ ରହିବା ଅନୁଚିତ।

ସମ୍ବନ୍ଧିତ ଖବର