ପାସ୍‌ ଦେଇଥିଲା କିଏ?, ବିସିସିଆଇ ଭିଭିଆଇପି ବକ୍ସରେ ଶୁଭଙ୍କର

ଭୁବନେଶ୍ୱର: ଭିଭିଆଇପି ପାସ୍‌ ବଳରେ ସିସୋର ଅଭିଯୁକ୍ତ ଶୁଭଙ୍କର ନାୟକ ବିସିସିଆଇ ବକ୍ସରେ ବସି ଭାରତ-ଶ୍ରୀଲଙ୍କା ଟି-ଟେ୍ଵଣ୍ଟି କ୍ରିକେଟ୍‌ ମ୍ୟାଚ୍‌ ଦେଖିବା ଘଟଣାକୁ ନେଇ ସରକାରୀ ମହଲରେ ଆଲୋଡ଼ନ ସୃଷ୍ଟି ହୋଇଛି। ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାରେ ଭୀଷଣ କ୍ଷୁବ୍ଧ ହୋଇଛନ୍ତି। କେମିତି ଓ କେଉଁ ପରିସ୍ଥିତିରେ ଶୁଭଙ୍କର ବିସିସିଆଇ ବକ୍ସ ପାସ୍‌ ପାଇଲେ ? କିଏ ତାଙ୍କୁ ଏହି ଭିଭିଆଇପି ପାସ୍‌ ଦେଲା ? ସେନେଇ ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତିି। ଖୁବ୍‌ ଶୀଘ୍ର ଏହି ଟିମ୍‌ ରିପୋର୍ଟ ଦେବା ପରେ ଯିଏ ପାସ୍‌ ଦେଇଥିଲା ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି। ଜଣେ ଆଇପିଏସ୍‌ ଅଫିସର ଶୁଭଙ୍କରଙ୍କୁ ଏହି ପାସ୍‌ ଦେଇଥିବା କୁହାଯାଉଛି। କେବଳ ଶୁଭଙ୍କର ନୁହେଁ, ଆଉ ଜଣେ ମହିଳା ମଧ୍ୟ ଭିଭିଆଇପି ପାସ୍‌ ନେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ ଜଣାପଡ଼ିବା ପରେ ଶୁଭଙ୍କରଙ୍କ କଲ୍‌ ରେକର୍ଡ ଯାଞ୍ଚ୍‌ କରାଯାଉଛି। ଖେଳ ପୂର୍ବରୁ ଓ ଖେଳ ଦିନ ଶୁଭଙ୍କର କାହା କାହା ସହିତ କଥା ହୋଇଥିଲେ ଗୁଇନ୍ଦା ଅଧିକାରୀ ସେ ସବୁର ଭିତିରି ଅନୁସନ୍ଧାନ ଆରମ୍ଭ କରିଛନ୍ତି। ଏହି ଘଟଣା ଏବେ ପ୍ରଶାସନିକ ମହଲରେ ଆତଙ୍କ ସୃଷ୍ଟି କରିଛି।

ଗତ ବୁଧବାର କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ହେଉଥିବା ଟି-ଟେ୍ଵଣ୍ଟି ମ୍ୟାଚ୍‌କୁ ବିସିସିଆଇ ବକ୍ସରେ ବସି ଉପଭୋଗ କରୁଥିଲେ ଶୁଭଙ୍କର। ଏପିରକି ଭିଭିଆଇପିମାନଙ୍କ ସହିତ ଥଟ୍ଟାମଜା କରିବା ସହିତ ଗପସପ ମଧ୍ୟ ସେ କରୁଥିଲେ। ସାଧାରଣତଃ ଏହି ବକ୍ସ ପାଇଁ ପାସ ବ୍ୟବସ୍ଥା ଥାଏ। ଯାହାକୁ ବିସିସିଆଇ ପକ୍ଷରୁ ମନ୍ତ୍ରୀ, ବିଧାୟକ, ଆଇଏଏସ୍‌ ଓ ଆଇପିଏସମାନଙ୍କୁ ପ୍ରଦାନ କରାଯାଇଥିଲା। ତେଣୁ ଏହି ଭିଭିଆଇପିମାନଙ୍କ ମଧ୍ୟରୁ କେହି ସିସୋର ଅଭିଯୁକ୍ତ ଶୁଭଙ୍କରଙ୍କୁ ପାସ୍‌ ଦେଇଥିବା ସନ୍ଦେହ କରାଯାଉଛି। ଏଠାରେ ପ୍ରକାଶଥାଉକି, ଶୁଭଙ୍କର ଟିକେଟ୍‌ କିଣି ବାରବାଟୀରେ କି୍ରକେଟ ମ୍ୟାଚ ଦେଖିବାରେ କାହାର ଆପତ୍ତି ନାହିଁ। କିନ୍ତୁ ବିସିସିଆଇ ପକ୍ଷରୁ ଆବଣ୍ଟନ କରାଯାଇଥିବା ଭିଭିଆଇପି ପାସ ଜଣେ ଚିଟଫଣ୍ଡ୍‌ ଅଭିଯୁକ୍ତକୁ ମିଳିଥିବାରୁ ତାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ପୁଲିସ ଡିଜି ଓ ଗୁଇନ୍ଦା ବିଭାଗର କିଛି ବରିଷ୍ଠ ଅଧିକାରୀଙ୍କୁ ଏ ନେଇ ଅନୁସନ୍ଧାନ କରିବାକୁ ନିର୍ଦେଶ ଦେଇଛନ୍ତି। ଯେ କେହି ବି ପାସ ଦେଇଥିବ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ସେ ଦଳୀୟ ନେତା, ମନ୍ତ୍ରୀ କିମ୍ବା ଆଇଏଏସ୍‌, ଆଇପିଏସ୍‌ ଅଧିକାରୀ ହୋଇ ଥାନ୍ତୁ ନା କାହିଁକି ସେମାନଙ୍କୁ କୈଫୟତ ମଗାଯିବ। ଏହା ପରେ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ। ଏଥିପାଇଁ ପୁଲିସ ଏବେ ଶୁଭଙ୍କରଙ୍କର ମୋବାଇଲ ଫୋନ୍‌ ରେକର୍ଡ ଯାଞ୍ଚ କରିବା ଆରମ୍ଭ କରିଛି। ଖେଳ ପୂର୍ବରୁ ଓ ଖେଳ ଦିନ ଶୁଭଙ୍କର କାହା କାହା ସହିତ କଥା ହୋଇଥିଲେ ଗୁଇନ୍ଦା ଅଧିକାରୀ ସେ ସବୁର ଭିତିରି ଅନୁସନ୍ଧାନ ଆରମ୍ଭ କରିଛନ୍ତି।

ଅନ୍ୟ ପକ୍ଷରେ କେଉଁ ମନ୍ତ୍ରୀ, ବିଧାୟକ, ଆଇଏଏସ୍‌ ଓ ଆଇପିଏସ୍‌ ଅଧିକାରୀଙ୍କଠାରୁ ଶୁଭଙ୍କର ପାସ୍‌ ନେଇଥିଲେ, ତାହା ଜାଣିବାକୁ ସିବିଆଇ ଭିତରି ଅନୁସନ୍ଧାନ ଆରମ୍ଭ ଦେଇଛି। ସିସୋର ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ଶୁଭଙ୍କରଙ୍କ ଭୂମିକାକୁ ନେଇ ସିବିଆଇ ଯାହା କହିଥିଲା, ତାହା ପୁଣି ଥରେ ସତ୍ୟ ବୋଲି ପ୍ରମାଣିତ ହୋଇଛି। ଉଲ୍ଲେଖଯୋଗ୍ୟ କି, ସିବିଆଇ ସିସୋର ଚିଟଫଣ୍ଡ ଠକେଇ ମାମଲାରେ ଶୁଭଙ୍କର ନାୟକଙ୍କୁ ୨୦୧୪ ମସିହାରେ ଗିରଫ କରିଥିଲା। ଗିରଫ ବେଳେ ତାଙ୍କର ଚନ୍ଦ୍ରମା ଆପାର୍ଟମେଣ୍ଟ ଘରୁ ସିବିଆଇ ଏକ ରହସ୍ୟମୟ ଡାଏରି ଜବତ କରିଥିଲା। ଯେଉଁ ଡାଏରିରେ ଏକାଧିକ ନେତା, ମନ୍ତ୍ରୀ, ବିଧାୟକ, ଆଇଏଏସ୍‌, ଆଇପିଏସ୍‌, ସାମ୍ବାଦିକଙ୍କ ମୋବାଇଲ୍‌ ନମ୍ବର ଥିଲା। ସେହି ସବୁ ମୋବାଇଲ୍‌ ନମ୍ବରକୁ ଆଧାର କରି ସିବିଆଇ ତଦନ୍ତ କରିଥିଲା। ଚଳିତ ବର୍ଷ ଶୁଭଙ୍କର ହାଇକୋର୍ଟରୁ ସର୍ତ ମୂଳକ ଜାମିନ୍‌ ପାଇ ଜେଲରୁ ଆସିଛନ୍ତି।

ସମ୍ବନ୍ଧିତ ଖବର