୧୦ କୋଟି ୯୦ ଲକ୍ଷ କାହାର? ଓଡ଼ିଶାରୁ ଉତ୍ତରପ୍ରଦେଶ ଯାଉଥିଲା, ଛତିଶଗଡ଼ର ମହାସମୁନ୍ଦ ପୁଲିସ ଧରିଛି

ଅବଧେଶ ଅଗ୍ରଵାଲ କିଏ? ତଦନ୍ତ କରିବ ଇଓଡବ୍ଲ୍ୟୁ

ମାଲକାନଗିରି: ସାଧାରଣ ନିର୍ବାଚନରେ ଟଙ୍କାର ଖେଳ ହେବ ବୋଲି ଯେଉଁ କଳ୍ପନାଜଳ୍ପନା ପ୍ରକାଶ ପାଉଥିଲା, ତାହା ଏବେ ଧୀରେ ଧୀରେ ଦୃଢୀଭୂତ ହେବାରେ ଲାଗିଲାଣି। ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଛତିଶଗଡ ପୁଲିସକୁ ଆଜି ଏକ ବଡ଼ ସଫଳତା ମିଳିଛି। ଲକ୍ଷେ କି ପାଞ୍ଚଲକ୍ଷ ନୁହେଁ, ଓଡ଼ିଶାରୁ ଉତ୍ତରପ୍ରଦେଶର ଆଗ୍ରାକୁ ଯାଉଥିବା ଗୋଟିଏ ଟୟଟା କାରରୁ କୋଟି କୋଟି  ଟଙ୍କା ଜବତ ହୋଇଛି। ପ୍ରାରମ୍ଭିକ ଆକଳନ ଅନୁସାରେ, ଜବତ ଟଙ୍କାର ପରିମାଣ  ପ୍ରାୟ ୧୦କୋଟି ୯୦ଲକ୍ଷ ଟଙ୍କା ହେବ। ଟଙ୍କା ଗଣତି ଜାରି ରହିଥିବାରୁ ଏହି ପରିମାଣ ବଢ଼ିପାରେ।  ଏଥିରେ ୨ହଜାର, ୫ଶହ, ୨ଶହ ଏବଂ ଶହେ ଟଙ୍କିଆ ବିଡ଼ା ରହିଛି। କଟକରେ ରହି ବ୍ୟବସାୟ କରୁଥିବା ଆଗ୍ରାର ଅବଧେଶ ଅଗ୍ରଵାଲ ଏହି ଟଙ୍କା ଚାଲାଣ କରିଥିବା ପୁଲିସ କହିଛି। ଛତିଶଗଡ ରାଜ୍ୟର  ମହାସମୁନ୍ଦ ପୁଲିସ ୪ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି।

େତବେ କେଉଁ ଉଦ୍ଦେଶ୍ୟରେ ଏତେ ପରିମାଣରେ ନଗଦ ଗାଡ଼ିରେ ଚାଲାଣ କରାଯାଉଥିଲା? କାରରେ ଅଭିନବ ଉପାୟରେ ଏହି ଟଙ୍କା ଚାଲାଣ ପଛର କାରଣ କଣ? ଅବଧେଶ କଟକରେ କି ବ୍ୟବସାୟ କରନ୍ତି? କାହିଁକି ଏତେ ଟଙ୍କା ସେ ଆଣୁଥିଲେ? ଘଟଣାରେ କିଛି ରାଜନୈତିକ ସଂପର୍କ ଅଛି କି? ଏମିତି ଅନେକ ପ୍ରଶ୍ନ ଉପରେ ଛତିଶଗଡ ପୁଲିସ ତନାଘନା କରୁଛି। ଏପଟେ ଏତେ ପରିମାଣର ଅର୍ଥ ଓଡ଼ିଶାରୁ ଯାଉଥିବା ଜଣାପଡିବା ପରେ ଓଡ଼ିଶା ପୁଲିସ ମଧ୍ୟ ଘଟଣା ଉପରେ ନଜର ରଖିଛି। ପୁଲିସ ମହାନିର୍ଦେଶକ ଡାକ୍ତର ରାଜେନ୍ଦ୍ର ଶର୍ମା କହିଛନ୍ତି, ମହାସମୁନ୍ଦ ପୁଲିସ ସହିତ ଯୋଗାଯୋଗରେ ଆମେ ଅଛୁ। ଏତେ ପରିମାଣର ଟଙ୍କା କେଉଁ ପରିସ୍ଥିତିରେ ଚାଲାଣ ହେଉଥିଲା, ସେ ନେଇ ତଦନ୍ତ ଜାରି ରହିଛି। ଛତିଶଗଡ ପୁଲିସର ତଦନ୍ତ ସରିବା ପରେ ଏ ନେଇ ଠୋସ୍ ଭାବେ କୁହାଯାଇପାରିବ।  ଓଡ଼ିଶା କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ସମଗ୍ର ମାମଲାର ତଦନ୍ତ କରିବ ବୋଲି  ଡାକ୍ତର ଶର୍ମା ସୂଚନା ଦେଇଛନ୍ତି। ଛତିଶଗଡ ମହାସମୁନ୍ଦ ପୁଲିସ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି, ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି ମଧ୍ୟପ୍ରଦେଶ ସୀମାରେ ଯାନବାହନ ଯାଞ୍ଚ ଚାଲିଥିଲା।

ଏହି ସମୟରେ ଓଡ଼ିଶାର କଟକରୁ ଉତ୍ତର ପ୍ରଦେଶର ଆଗ୍ରାକୁ ଯାଉଥିବା ଟ‌ୟଟା ଇଟିଓସ୍ କାର (ୟୁପି-୮୦-ଇକ୍ୟୁ-୯୬୮୧)କୁ ଯାଞ୍ଚ କରିବାରୁ ପଛ ସିଟ୍ ତଳେ ରହିଥିବା ଲକରରୁ ଟଙ୍କା ଭର୍ତି ବ୍ୟାଗ୍ ବାହାରିଥିଲା। କାରରେ ଥିବା ବନବାରୀ( ୪୦), ପ୍ରହ୍ଲାଦ (୩୦), ମହମ୍ମଦ ଇବ୍ରାହିମ (୪୫) ଏବଂ ନଜମା (୩୫)୍କୁ ପୁଲିସ ପଚରା ଉଚରା କରିବାରୁ ଟଙ୍କାର ଉତ୍ସ ସଂପର୍କରେ ସେମାନେ ପ୍ରଥମେ ଠିକ୍ ରୂପେ କିଛି କହିପାରି ନଥିଲେ। ଥାନାକୁ ନେଇ ଅଧିକ ପଚରାଉଚରା କରିବାରୁ କଟକରେ ବ୍ୟବସାୟ କରୁଥିବା ଆଗ୍ରାର ଅବଧେଶ ଅଗ୍ରୱାଲ କିଛି ମାଲ୍ ପହଞ୍ଚାଇବାକୁ କହିଥିଲେ ବୋଲି ସେମାନେ ସୂଚନା ଦେଇଛନ୍ତି। ସେମାନଙ୍କ କହିବାନୁସାରେ, ସେମାନେ ୧୭ତାରିଖ ଦିନ କାର ନେଇ ଆଗ୍ରାରୁ ବାହାରିଥିଲେ। ଗ୍ବାଲିୟର-ଝାନ୍ସୀ-ରାୟପୁର ହୋଇ ‌େସମାନେ କଟକରେ ପହଂଚିଥିଲେ। ଏହି ସମୟରେ ସେମାନଙ୍କୁ ଫୋନ କରି କୁହାଯାଇଥିଲା ଯେ ତାଙ୍କୁ ଜଣେ ବ୍ୟକ୍ତି ବ୍ୟାଗ୍ ଦେବ ଏବଂ ତାହାକୁ ନେଇ ଆସ। ଏହାର କିଛି ସମୟ ପରେ ଜଣେ ବ୍ୟକ୍ତି ସ୍କୁଟି‌େରେ ଆସି ସେମାନଙ୍କୁ ଏକ ଫାର୍ମ ହାଉସକୁ ନେଇଯାଇଥିଲା। ଗାଡ଼ି ପଛ ସିଟ୍ ତଳେ ଥିବା ଲକରରେ ସେ ଟଙ୍କା ଭର୍ତି ବ୍ୟାଗ୍ ରଖିଦେଇଥିଲା। ଏହାକୁ ନେଇ ଫେରୁଥିବା ବେଳେ ଛତିଶଗଡ଼ ପୁଲିସ ସେମାନଙ୍କୁ କାବୁ କରିଥିଲା।

ସମ୍ବନ୍ଧିତ ଖବର