ଜାଣନ୍ତୁ କେଉଁ ଲୋକସଭା ଆସନରୁ ପ୍ରାର୍ଥୀ ଏକଲକ୍ଷରୁ ଅଧିକ ଭୋଟରେ ବିଜୟ ହାସଲ କରିଛନ୍ତି

ଲୋକସଭା ନିର୍ବାଚନ -୨୦୧୯ର ଫଳାଫଳ ବାହାରି ସାରିଛି। ଏଥିରେ କିଛି ପୁରୁଖା ନେତାଙ୍କୁ ପରାଜୟର ମୁହଁ ଦେଖିବାକୁ ପଡିଛି ତ ପୁଣି କିଛି ନୂଆ ନେତା ବିଜୟ ସହ ନିଜର ରାଜନୀତି କ୍ୟାରିୟର ଆରମ୍ଭ କରିଛନ୍ତି । କିଏ ଅଳ୍ପ କିଛି ଭୋଟରେ ପରାସ୍ତ ହୋଇ ଆଉ ୫ ବର୍ଷର ଅପେକ୍ଷାରେ ରହିଛନ୍ତି ତ ପୁଣି କିଏ ସର୍ବାଧିକ ଭୋଟ ବ୍ୟବଧାନରେ ବିଜୟ ସହ ରେକର୍ଡ ସୃଷ୍ଟି କରିଛନ୍ତି।

ଚଳିତଥର ଓଡିଶା ନିର୍ବାଚନରେ ଭିନ୍ନ ଏକ ଚିତ୍ର ଦେଖିବାକୁ ମିଳିଥିଲା । ପୂର୍ବରୁ ଏକପାଖିଆ ଜିତି ଆସୁଥିବା ବିଜେଡିକୁ କଡା ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିଥିଲା । ଖାସକରି ଲୋକସଭା ଆସନରେ ।  ଏହି ଟପ୍‌ ଫାଇଟ ମଧ୍ୟରେ କିଛି ପ୍ରାର୍ଥୀ ଏମିତି ଥିଲେ ଯିଏ ଲକ୍ଷାଧିକ ଭୋଟରେ ବାଜି ମାରିବା ସହ ଦଳକୁ ବିଜୟ ଭେଟି ଦେଇଛନ୍ତି । ନିର୍ବାଚିତ ହୋଇଥିବା ୨୧ ସାଂସଦ ପ୍ରାର୍ଥୀଙ୍କ ମଧ୍ୟରୁ ୭ ଜଣ ପ୍ରାର୍ଥୀ ଲକ୍ଷାଧିକ ଭୋଟରେ ବିଜୟୀ ହେବା ସହ ନିଜର ଲୋକପ୍ରିୟତାର ପ୍ରମାଣ ଦେଇଛନ୍ତି । ଯେଉଁ ତାଲିକାରେ କିଛି ପୁରୁଖା ଓ କିଛି ନୂଆ ନାଁ ସାମିଲ ହୋଇଛି ।

ଆସ୍କା : ପ୍ରମିଳା ବିଷୋୟୀ (ବିଜେଡି)
୨୦୧୯ ନିର୍ବାଚନରେ ରାଜ୍ୟରେ ସବୁଠୁ ଚର୍ଚ୍ଚିତ ଚେହେରା ନାମ ଘୋଷଣା ଠାରୁ ଆରମ୍ଭ କରି ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପର୍ଯ୍ୟନ୍ତ ପ୍ରମିଳା ଚର୍ଚ୍ଚାରେ ରହି ଆସିଛନ୍ତି। ନିଜ ଡେବ୍ୟୁ ଆସନରୁ ପ୍ରମିଳାଙ୍କୁ ପ୍ରାର୍ଥୀ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ ନବୀନ । ଆଉ ନିଜର ଡେବ୍ୟୁ ମ୍ୟାଚରେ ହିଁ ବଡ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି ପ୍ରମିଳା। ବିଜେପି ପ୍ରାର୍ଥୀ ଅନୀତା ଶୁଭଦର୍ଶିନୀଙ୍କୁ ପ୍ରାୟ ୨,୦୪,୭୦୭ ଭୋଟରେ ମାତ ଦେଇ ଆସ୍କାବାସୀଙ୍କ ନୂଆ ଆଶା ହୋଇ ଉଭା ହୋଇଛନ୍ତି ପ୍ରମିଳା ।

କଟକ : ଭର୍ତ୍ତୃହରି ମହତାବ (ବିଜେଡି)
କଟକରେ ବିଜୟସୂଚକ ଛକା ମାରିଛନ୍ତି ଭର୍ତ୍ତୃହରି ମହତାବ । ବିଜେଡିର ପୁରୁଖା ତଥା ଏହି ହେଭିୱେଟ ଚେହେରାଙ୍କ ଉପରେ ସମସ୍ତଙ୍କର ନଜର ରହିଥିଲା । କାରଣ ଏହି ସମ୍ମାନଜନକ ଆସନରେ ପ୍ରଥମଥର ପାଇଁ ଭର୍ତ୍ତୃହରିଙ୍କ ବିଜୟ ସମ୍ଭାବନା ଉପରେ ଆଶଙ୍କାର କଳାବାଦଲ ଘୋଡିଯାଇଥିଲା । ଏପରିକି କଟକରେ ପ୍ରଥମଥର ପାଇଁ ପଦ୍ମ ଫୁଟିବା ନେଇ ସମ୍ଭାବନା ସୃଷ୍ଟି ହୋଇଥିଲା । କିନ୍ତୁ ସବୁ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ଟାଣିଥିଲା ନିର୍ବାଚନ ଫଳାଫଳ । ବିଜେପି ପ୍ରାର୍ଥୀ ପ୍ରକାଶ ମିଶ୍ରଙ୍କୁ ୧୨୧୨୦୧ ଭୋଟରେ ପଛରେ ପକାଇ ପୁଣିଥରେ କଟକର କିଙ୍ଗ୍‌ ସାଜିଛନ୍ତି ଭର୍ତ୍ତୃହରି । ଆଉ ଏହାସହ ବିଜେପିର ରଣନୀତିକୁ ଭଣ୍ଡୁର କରିଛନ୍ତି ଭର୍ତ୍ତୃହରି ।

ଜଗତସିଂହପୁର : ରାଜଶ୍ରୀ ମଲ୍ଲିକ (ବିଜେଡି)
ଜଗତସିଂହପୁରରେ କାମ ଦେଲା ନବୀନଙ୍କ ମହିଳା କାର୍ଡ । ଦିଲ୍ଲୀ ଲଢେଇ ପାଇଁ ବିଜେଡିର ମହିଳା ସିପାହୀ ସାଜିଥିବା ରାଜଶ୍ରୀ ମଲ୍ଲିକ ଦଳକୁ ସବୁଠୁ ବଡ ବିଜୟ ଭେଟି ଦେଇଛନ୍ତି। ଆଉ ଏହାସହ ପୁଣିଥରେ ସୁପ୍ରିମୋଙ୍କ ଭରସା ଜିତିବାରେ ସକ୍ଷମ ହୋଇଛନ୍ତି । ନିର୍ବାଚିତ ହୋଇଥିବା ସାଂସଦଙ୍କ ମଧ୍ୟରୁ ସର୍ବାଧିକ ୨୭୧୬୫୫ ଭୋଟରେ ବିଜେପି ପ୍ରାର୍ଥୀ ବିଭୂ ତରାଇଙ୍କୁ ପଛରେ ପକାଇ ପ୍ରଥମଥର ଦିଲ୍ଲୀ ଦରବାରରେ ପହଞ୍ଚିଛନ୍ତି ରାଜଶ୍ରୀ ।


ଯାଜପୁର : ଶର୍ମିଷ୍ଠା ସେଠୀ ( ବିଜେଡି)
ଚଳିତ ନିର୍ବାଚନ ମୈଦାନକୁ ଓହ୍ଲାଇଥିବା କିଛି ପ୍ରଶାସକଙ୍କ ମଧ୍ୟରୁ ସବୁଠୁ ସଫଳତମ ପ୍ରାର୍ଥୀ ଶର୍ମିଷ୍ଠା ସେଠୀ। ପ୍ରଶାସକରୁ ପଲିଟିକ୍ସରେ ଏଣ୍ଟ୍ରି ମାରିଥିବା ଶର୍ମିଷ୍ଠା ଯାଜପୁରରେ ଉଡାଇଛନ୍ତି ବିଜେଡିର ବିଜୟ ବାନା । ବିଜେପି ପ୍ରାର୍ଥୀ ଅମୀୟକାନ୍ତ ମଲ୍ଲିକଙ୍କୁ ୧୦୧୬୯୩ ଭୋଟ ବ୍ୟବଧାନରେ ମାତ ଦେଇ ପିନ୍ଧିଛନ୍ତି ବିଜୟର ତାଜ୍‌ । ଆଉ ଏହାସହ ଲକ୍ଷାଧିକ ଭୋଟ ବ୍ୟବଧାନରେ ଜିତିଥିବା ପ୍ରାର୍ଥୀଙ୍କ ତାଲିକାରେ ନିଜକୁ ସାମିଲ କରିଛନ୍ତି ଶର୍ମିଷ୍ଠା ।

ସୁନ୍ଦରଗଡ : ଜୁଏଲ ଓରାମ (ବିଜେପି)
ସୁନ୍ଦରଗଡ ରାଜନୀତିର ସବୁଠୁ ଅଭିଜ୍ଞ ତଥା ପୁରୁଣା ଚେହେରା ଜୁଏଲ । ଉଭୟ ରାଜ୍ୟ ଓ କେନ୍ଦ୍ର ରାଜନୀତିରେ କାଟତି ରଖିଥିବା ଜୁଏଲଙ୍କୁ ପୁଣିଥରେ ସୁନ୍ଦରଗଡ ସିଂହାସନରେ ଜନତା ବସାଇଛନ୍ତି । ଭୋଟରଙ୍କ ଭରସା ଜିତି ପଞ୍ଚମ ଥର ପାଇଁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ଜୁଏଲ । ତାହା ବି ପୁଣି ବଡ ବ୍ୟବଧାନରେ । ବିଜେଡି ପ୍ରାର୍ଥୀ ସୁନୀତା ବିଶ୍ୱାଳଙ୍କୁ ରାଜ୍ୟରେ ଦ୍ୱିତୀୟ ସର୍ବାଧିକ ଭୋଟ ୨୨୩୦୬୫ ଭୋଟରେ ପଛରେ ପକାଇ ଜୁଏଲ ଜିତିଛନ୍ତି ।

କେନ୍ଦ୍ରାପଡା : ଅନୁଭବ ମହାନ୍ତି (ବିଜେଡି)
ତୁଳସୀକ୍ଷେତ୍ରର ତାଜ୍‌ ପିନ୍ଧିଛନ୍ତି ଅନୁଭବ । ଚର୍ଚ୍ଚାରେ ରହି ଆସିଥିବା କେନ୍ଦ୍ରାପଡା କୁରୁକ୍ଷେତ୍ରରେ ବିରୋଧୀଙ୍କ ଚକ୍ରବ୍ୟୁହରୁ ବେଶ ସହଜରେ ମୁକୁଳି ଆସିଛନ୍ତି ‘ଅଭିମନ୍ୟୁ’ ଅନୁଭବ । ଉପକୂଳ ଓଡିଶାର ସବୁଠୁ ଚର୍ଚ୍ଚିତ ଆସନ କେନ୍ଦ୍ରାପଡାରୁ ବିଜେପି ପ୍ରାର୍ଥୀ ତଥା ଅଭିଜ୍ଞ ବୈଜୟନ୍ତଙ୍କୁ ୧୫୨୫୮୪ ଭୋଟରେ ମାତ ଦେଇ କେନ୍ଦ୍ରାପଡା ରାଜନୀତି ଇତିହାସର ରିପିଟ୍‌ କରିଛନ୍ତି ନବାଗତ ଅନୁଭବ । ଫୋକସରେ ରହିଥିବା କେନ୍ଦ୍ରାପଡାରେ ପୁଣିଥରେ ଉଡିଛି ବିଜେଡିର ବିଜୟ ବାନା ।

କନ୍ଧମାଳ : ଅଚ୍ୟୁତ ସାମନ୍ତ (ବିଜେଡି)
କନ୍ଧମାଳରେ କମାଲ କଲେ ଅଚ୍ୟୁତ । ବିଜେଡିର ଦିଲ୍ଲୀ ଯୋଦ୍ଧା ସାଜିଥିବା ଅଚ୍ୟୁତ ନିର୍ବାଚନ ମୈଦାନରେ ବିରୋଧୀଙ୍କୁ ପ୍ରଥମ ଯୁଦ୍ଧରେ ଲକ୍ଷାଧିକ ଭୋଟରେ ପରାସ୍ତ କରି ବଡ ସଫଳତା ହାସଲ କରିଛନ୍ତି । କନ୍ଧମାଳ ଆସନ ପାଇଁ ହେଉଥିବା ଲଢେଇରେ ବିଜେପି ପ୍ରାର୍ଥୀ ଖାରବେଳ ସ୍ୱାଇଁଙ୍କୁ ୧୪୯୨୧୬ ଭୋଟରେ ମାତ ଦେଇ ବାଜି ମାରିଛନ୍ତି ଅଚ୍ୟୁତ।

ସମ୍ବନ୍ଧିତ ଖବର