ଟ୍ରେଲର୍-ଜାଇଲୋ ଧକ୍କା: ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ସଡ଼କ ଦୁର୍ଘଟଣାରେ ସହକାରୀ ଜିଲ୍ଲାପାଳ ଗୁରୁତର

ଟ୍ରେଲର୍-ଜାଇଲୋ ଧକ୍କା: ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ଦେବଗଡ଼ : ଦେବଗଡ଼ ଜିଲ୍ଲା ବାରକୋଟ ଥାନା ବମ୍ପରଡା ଗ୍ରାମ ନିକଟ ୪୯ ନଂ ଜାତୀୟ ରାଜପଥର ଏକ ପୋଲ ଉପରେ ‌ଟ୍ରେଲର ଓ ଜାଇଲୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ତାଙ୍କ ସ୍ବାମୀ ଓ କାର୍ ଚାଳକ ଗୁରୁତର ଆହତ ହୋଇଛନ୍ତି। ବୁଧବାର ରାତିରେ ଏହି ଦୁର୍ଘଟଣା ଘଟିଛି। ରାଉରକେଲା ଆଇଜିଏଚର କର୍ମଚାରୀ ଧନେଶ୍ୱର ସ୍ୱାଇଁ ଭୁବନେଶ୍ବରରୁ ତାଙ୍କ ସ୍ତ୍ରୀ ଧରିତ୍ରୀ ସ୍ୱାଇଁଙ୍କୁ ଚିକିତ୍ସା କରାଇ ଜାଇଲୋରେ ରାଉରକେଲାକୁ ଫେରୁଥିଲେ। ବମ୍ପରଡା ଗ୍ରାମ ନିକଟ ଏକ ନିର୍ମାଣାଧୀନ ପୋଲ ନିକଟରେ ସମ୍ମୁଖ ପଟୁ ଜାଇଲୋକୁ ଓରିଏଣ୍ଟାଲ କଂପାନିର ଏକ ଟ୍ରେଲର ଧକ୍କା ଦେଇଥିଲା। ଉଭୟ ଗାଡି ପୋଲ ତଳକୁ ଖସି ପଡିଥିଲା। ଧରିତ୍ରୀ ସ୍ୱାଇଁ ଗାଡ଼ିରେ ଚାପି ହୋଇଯିବାରୁ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ସ୍ବାମୀ ଧନେଶ୍ବର ଓ ଗାଡି ଚାଳକ ଗୁରୁତର ଆହତ ହୋଇଛନ୍ତି। ବାରକୋଟ ପୁଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସଡ଼କ ଦୁର୍ଘଟଣାରେ ସହକାରୀ ଜିଲ୍ଲାପାଳ ଗୁରୁତର

ବୌଦ୍ଧ/ଜହ୍ନାପଙ୍କ : ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥସ୍ଥିତ ଜହ୍ନାପଙ୍କ ନିକଟ ପୁଡ଼ାବଲସ ଠାରେ ଏକ ସଡ଼କ ଦୁର୍ଘଟଣାରେ ବୌଦ୍ଧ ସହକାରୀ ଜିଲ୍ଲାପାଳ ଅବିନାଶ ପାଣ୍ଡିଆ(୩୭) ଗୁରୁତର ଆହତ ହୋଇଛନ୍ତି। ଗୁରୁବାର ବୌଦ୍ଧ ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗ ଦେବା ପରେ ସହକାରୀ ଜିଲ୍ଲାପାଳ ଶ୍ରୀ ପାଣ୍ଡିଆ କାର୍‌ (ଓଡି ୧୬ଇ ୮୩୯୨) ନିଜେ ଚଳାଇ ନିଜ ଘର ସୋନପୁରକୁ ଯାଉଥିଲେ। ବୌଦ୍ଧ ଥାନା ଅନ୍ତର୍ଗତ ପୁଡ଼ାବଲସ ଛକ ଠାରେ କାର୍‌ଟି ଭାରସାମ୍ୟ ହରାଇ ରାସ୍ତା ଉପରୁ ବିଲ ଭିତରକୁ ଖସି ଯାଇଥିଲା। ଏଥିରେ ଶ୍ରୀ ପାଣ୍ଡିଆଙ୍କ ମୁଣ୍ଡ ଓ ମୁହଁରେ ଗଭୀର ଆଘାତ ଲାଗିଛି। ତାଙ୍କୁ ଚିକିତ୍ସା ପାଇଁ ବୌଦ୍ଧ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଜିଲ୍ଲାପାଳ ଶିତାଂଶୁ ରାଉତ, ଉପଜିଲ୍ଲାପାଳ ଏନସି ଜ୍ୟୋତି ରଂଜନ ନାୟକ ପ୍ରମୁଖ ମେଡିକାଲରେ ପହଞ୍ଚି ଚିକିତ୍ସା ସଂପର୍କରେ ଅନୁଧ୍ୟାନ କରିଥିଲେ। ପରେ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର