ଅତ୍ୟାଚାର ଅସହ୍ୟ ହେବାରୁ ସ୍ୱାମୀଙ୍କୁ ହତ୍ୟା : ଭାଇ ସହ ମିଶି ଦୁଇ ଗଡ଼ କରିଦେଲେ ପତ୍ନୀ, ଶବକୁ ଅଖାରେ ପୂରାଇ ଆତ୍ମସମର୍ପଣ

ଜଗନ୍ନାଥପ୍ରସାଦ/ବିଡ଼ିପୁର : ଅତ୍ୟାଚାର ହେଲା ଅସହ୍ୟ। ଆଉ ନିଜ ଭାଇ ସହ ମିଶି ସ୍ବାମୀକୁ ନିର୍ମମ ଭାବେ ହତ୍ୟା କରିଛନ୍ତି ଜଣେ ମହିଳା। ଆଉ ଶବକୁ ଅଖାରେ ଭର୍ତ୍ତି କରିବା ପରେ ଥାନାରେ ଆତ୍ମସମର୍ପଣ କରିଛନ୍ତି। ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ପଟାଧର ଗ୍ରାମରେ ଘଟିଥିବା ଏଭଳି ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ମୃତକ ଜଣକ ହେଉଛନ୍ତି, ଟୁଲୁ ପ୍ରଧାନ। ପୁଲିସ ଅଭିଯୁକ୍ତ ପତ୍ନୀ ବବି ଓ ତାଙ୍କ ଭାଇ ଜିତୁକୁ ଗିରଫ ‌କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି। ଏ ନେଇ କେସ ନମ୍ବର ୧୯୬ ଅନୁସାରେ ମାମଲା ରୁଜୁ ହୋଇଥିଲା।

ଅଭିଯୋଗ ଅନୁସାରେ, ସାତ ବର୍ଷ ତଳେ ସେହି ଗ୍ରାମର ଟୁଲୁ ପ୍ରଧାନଙ୍କୁ ବବି ବିବାହ କରିଥିଲେ। ସେମାନଙ୍କ ଏକ ଛଅବର୍ଷର ଝିଅ ଅଛି। ଟୁଲୁ ଭୁବନେଶ୍ବରରେ ଏକ ଅଟୋ ଚଳାଉଥିଲେ। ତେବେ ଏହା ମଧ୍ୟରେ ସେଠ‌ାରେ ସେ ଆଉ ଜଣେ ମହିଳାଙ୍କ ସହ ପ୍ରେମ ସଂପର୍କ ରଖିଥିଲେ। ଏହା ଜାଣିବା ପରେ ବବି ତାଙ୍କୁ ତାଗିଦ୍ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟ‌ରେ ଗଣ୍ଡଗୋଳ ଲାଗି ରହୁଥିଲା। ବବିଙ୍କୁ ଟୁଲୁ ମାରପିଟ୍ କରୁଥିଲେ। ଅନ୍ୟ କୌଣସି ଉପାୟ ନପାଇ ବବି ବରଗଡ଼ ଥାନାରେ ଅଭିଯୋଗ କରିବା ପରେ ଟୁଲୁଙ୍କୁ ଡକାଯାଇ ଆପୋଷ ସମାଧାନ କରା ଯାଇଥିଲା। ଉକ୍ତ ମହିଳାଙ୍କ ସହ ଆଉ ପ୍ରେମ ସଂପର୍କ ରଖିବେନି କି ପତ୍ନୀକୁ ମାରଧର କରିବେ ନାହିଁ ବୋଲି ଟୁଲୁ ଶ୍ବଶୁର ଘର ଲୋକଙ୍କ ଆଗରେ ରାଜି ହେବାରୁ ଥାନାରୁ ମୁକୁଳିଥିଲେ। ଗତ ଅଗଷ୍ଟରୁ ବବି ଭୁବନେଶ୍ବର ଯାଇ ଟୁଲୁଙ୍କ ସହ ରହୁଥିଲେ।

ତଥାପି ଟୁଲୁଙ୍କ ସ୍ବଭାବରେ ପରିବର୍ତ୍ତନ ଆସି ନଥିଲା। ପୁଣି ସେ ଉକ୍ତ ମହିଳାଙ୍କ ସହ ସଂପର୍କ ରଖିବା ସହ ବବିଙ୍କୁ ଶାରୀରିକ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ଗୋଟିଏ ଅଟୋ କିଣିବାକୁ ଟଙ୍କା ଦାବି କରିଥିଲେ। ଅଟୋ କିଣିଲେ ଆଉ ସେ ମହିଳାଙ୍କ ସହ ସଂପର୍କ ରଖିବେନି ବୋଲି ଟୁଲୁ ସର୍ତ୍ତ ରଖିଥିଲେ। ବବି ଗାଁକୁ ଆସି ବାପଘର ସହଯୋଗରେ ଏକ ଲକ୍ଷ ଟଙ୍କା ଯୋଗାଡ଼ କରିବା ସହ ଅଟୋ କିଣି ଦେଇଥିଲେ। କିଛି ଦିନ ଭଲରେ ଚଳିବା ପରେ ପୁଣି ଟୁଲୁ ଉକ୍ତ ମହିଳାଙ୍କ ପଛରେ ଟଙ୍କା ଖର୍ଚ୍ଚ କରିବା ସହ ଆଉ ବବିଙ୍କୁ ପଚାରିଲେ ନାହିଁ। ପ୍ରତିବାଦ କଲେ ବବିଙ୍କୁ ମାଡ଼ ମାରୁଥିଲେ।

ଶେଷ‌ରେ ଅତିଷ୍ଠ ହୋଇ ବବି ତାଙ୍କ ଝିଅକୁ ଧରି ପଟାଧର ଗ୍ରାମ ବାପଘରକୁ ଚାଲିଆସିଥିଲେ। ଗତକାଲି ଟୁଲୁ ଅଟୋ ଧରି ସେଠାରେ ପହଞ୍ଚିଥିଲେ। ବବିଙ୍କୁ ଗାଲିଗୁଲଜ କରିବା ସହ ତଣ୍ଟିକୁ ଚିପି ହତ୍ୟା ଉଦ୍ୟମ କରିଥିଲେ। ବବିଙ୍କ ଭାଇ ଜିତୁ ଏହାର ପ୍ରତିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହି ସମୟରେ ବବି ଏକ କାତି ଆଣି ଜିତୁଙ୍କୁ ଦେବା ସହ ଟୁଲୁଙ୍କୁ ହତ୍ୟା କରିବାକୁ କହିଥିଲେ। ବବିଙ୍କ କ୍ରୋଧ ଏତେ ଚରମ ସୀମାରେ ପହଞ୍ଚିଥିଲା ଯେ, ସେ କାତିରେ ଟୁଲୁଙ୍କ ଡାହାଣ କଚି ଓ ‌ଗୋଡ଼କୁ ଗଡ଼ ଗଡ଼ କରିଦେବାକୁ ଭାଇକୁ ପ୍ରବର୍ତ୍ତାଇଥିଲେ। ଟୁଲୁଙ୍କୁ ହାଣି ହତ୍ୟା କରାଯିବା ପରେ ଉଭୟ ତାଙ୍କ ଶବକୁ ଅଖାରେ ପୂରାଇ ବାରିପଟ ଘରେ ରଖିଦେଇଥିଲେ। ଏହାପରେ ଆତ୍ମସମର୍ପଣ କରି ସବୁ କହିବା ପରେ ରାତାରାତି ପୁଲିସ ପହଞ୍ଚି ଶବକୁ ସକାଳ ପର୍ଯ୍ୟନ୍ତ ଜଗି ରହିଥିଲା। ସକାଳେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘରେ ତଦନ୍ତ କରିଥିଲେ। ଟୁଲୁଙ୍କ ବାପା ଯୋଗେନ୍ଦ୍ର ଥାନାରେ ଏତଲା ଦେବା ପରେ ମାମଲା ରୁଜୁ ସହ ବବି ଓ ଜିତୁଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର