ସଙ୍କଟରେ ବନ୍ୟପ୍ରାଣୀ : ୧୩ ବର୍ଷରେ ୧୬୯ ଚିତାବାଘ ଗାଏବ

ଦୁଇବର୍ଷରେ ଉପକୂଳରୁ କମିଛନ୍ତି ୧୯୩ ଡଲ୍‌ଫିନ୍‌

ଚିଲିକାରୁ ୨୩ ଏଡଓ୍ଵାଡି ଡଲ୍‌ଫିନ୍‌ ଉଭାନ

ଭୁବନେଶ୍ୱର : ବନ୍ୟପ୍ରାଣୀଙ୍କ ସୁରକ୍ଷା ନେଇ ରାଜ୍ୟ ସରକାର ଡିଣ୍ଡିମ ପିଟୁଥିବାବେଳେ ଓଡ଼ିଶାରୁ କମୁଛନ୍ତି ଚିତାବାଘ, ଡଲଫିନ୍‌। ହାତୀ, ବାଘ, କଇଁଛ, ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବଢ଼ୁଥିବା ନେଇ ତଥ୍ୟ ଉପସ୍ଥାପନ ହୋଇଛି। ହେଲେ ଗତ ୧୨ ବର୍ଷ ମଧ୍ୟରେ ରାଜ୍ୟରୁ ଚିତାବାଘଙ୍କ ସଂଖ୍ୟା ବହୁ ପରିମାଣରେ ହ୍ରାସ ପାଇଛି। ୨୦୦୪ରେ ରାଜ୍ୟରେ ୪୮୭ଟି ଚିତାବାଘ ରହିଥିଲେ। ଏବେ ଏହି ସଂଖ୍ୟ ୩୧୮କୁ ଖସି ଆସିଛି। ସେହିପରି ୨୦୧୪ରେ ଓଡ଼ିଶା ଉପକୂଳରେ ୪୫୦ଟି ଡଲ୍‌ଫିନ୍‌ ରହିଥିଲେ। ଏବେ ଏମାନଙ୍କ ସଂଖ୍ୟା ୨୫୭ରୁ ହ୍ରାସ ପାଇଛି। ବନ୍ୟପ୍ରାଣୀଙ୍କ ଏଭଳି ସ୍ଥିତିକୁ ନେଇ ପରିବେଶବିତ୍‌ମାନେ ଚିନ୍ତାପ୍ରକଟ କରିବା ସହ ସ୍ୱତନ୍ତ୍ର ପ୍ରକଳ୍ପ, ଯୋଜନା ମାଧ୍ୟମରେ କାର୍ଯ୍ୟକ୍ରମ ହାତକୁ ନେବାକୁ ଦାବି କରିଛନ୍ତି।

୨୦୦୪ରେ ରାଜ୍ୟରେ ୪୮୭ଟି ଚିତାବାଘ ରହିଥିଲେ। ସେଥିରେ ୧୯୬ଟି ଅଣ୍ଡିରା, ୨୧୮ଟି ମାଈ ଏବଂ ୧୩ଟି ଛୁଆ ଚିତାବାଘ ରହିଥିବା ନେଇ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଏବେ ଚିତାବାଘଙ୍କ ସଂଖ୍ୟା ହ୍ରାସ ପାଇଛି। କେବଳ ସମ୍ବଲପୁର ସର୍କଲରୁ ଛାଡ଼ି ଦେଲେ ରାଜ୍ୟର ଅନ୍ୟ ସମସ୍ତ ସର୍କଲରେ ଚିତାବାଘ ସଂଖ୍ୟା କମିଥିବା ଜଣାପଡ଼ିଛି। ସମ୍ବଲପୁର ସର୍କଲରେ ୨୦୦୪ରେ ୪୪ଟି ଥିବା ବେଳେ ଏବେ ୪୬ଟି ରହିଛନ୍ତି। ଏସ୍‌ଟିଆର ସର୍କଲରେ ୨୦୦୪ରେ ସର୍ବାଧିକ ୧୩୨ଟି ଚିତା ଥିବା ବେଳେ ଏବେ ତାହା ୬୫ରୁ ଖସି ଆସିଛି। ବ୍ରହ୍ମପୁର ସର୍କଲରେ ୯୮ଟି ଚିତାବାଘଙ୍କ ମଧ୍ୟରୁ ମାତ୍ର ୫୮ଟି ରହିଛନ୍ତି। ଭବାନୀପାଟଣା ସର୍କଲରେ ୬୧ରୁ ୫୧, କୋରାପୁଟ ସର୍କଲରେ ୫୨ରୁ ୧୫, ଅନୁଗୁଳ ସର୍କଲରେ ୫୭ରୁ ୫୩, ରାଉରକେଲା ସର୍କଲରେ ୨୫ରୁ ୧୯ ଏବଂ ଭୁବନେଶ୍ୱର ସର୍କଲରେ ଚିତାବାଘଙ୍କ ସଂଖ୍ୟା ୧୨ ବର୍ଷରେ ୧୮ରୁ ୧୧କୁ ହ୍ରାସ ପାଇଥିବା ଜଣାପଡ଼ିଛି।

ସବୁଠାରୁ ଚିନ୍ତାର ବିଷୟ ହେଉଛି ଯେ, ଚିତାବାଘ ଛୁଆଙ୍କ ସଂଖ୍ୟା ୫୦ ପ୍ରତିଶତ କମିଛି। ୨୦୦୪ରେ ୪୩ଟି ଥିବା ବେଳେ ଏବେ ତାହା ୨୦ରୁ ହ୍ରାସ ପାଇଛି। କୋରାପୁଟ ଏବଂ ଭୁବନେଶ୍ୱର ସର୍କଲରେ ଗୋଟିଏ ବି ଚିତା ଛୁଆ ନାହାନ୍ତି। ୨୦୦୪ରେ କୋରାପୁଟରେ ୪ଟି ଥିବା ବେଳେ ଭୁବନେଶ୍ୱର ସର୍କଲରେ ନ ଥିଲେ।

କେବଳ ଚିତାବାଘ ନୁହେଁ। ଓଡ଼ିଶା ଉପକୂଳରୁ ଧୀରେ ଧୀରେ ଡଲ୍‌ଫିନ୍‌ଙ୍କ ସଂଖ୍ୟା ବି ହ୍ରାସ ପାଉଛି। ଏଡ୍‌ଓ୍ଵାଡି ଡଲଫିନ୍‌ଙ୍କ ବାସସ୍ଥଳୀ ଭାବେ ପ୍ରସିଦ୍ଧି ଲାଭ କରିଥିବା ଚିଲିକାରୁ ସେମାନଙ୍କ ସଂଖ୍ୟା ଲଗାତାର ଭାବେ କମୁଛି। ୨୦୧୦-୧୧ରେ ଏଡ୍‌ଓ୍ଵାଡି ଡଲଫିନ୍‌ଙ୍କ ସଂଖ୍ୟ୍ୟା ୧୫୬ ଥିବା ବେଳେ, ୨୦୧୧-୧୨ରେ ୧୪୫, ୨୦୧୨-୧୩ରେ ୧୫୨, ୨୦୧୩-୧୪ରେ ୧୫୮, ୨୦୧୪-୧୫ରେ ୧୪୪ ଥିବା ବେଳେ ଏବେ ତାହା ହ୍ରାସ ପାଇ ୧୨୧ରେ ପହଞ୍ଚିଛି। ଚିଲିକାକୁ ମିଶାଇ ଓଡ଼ିଶା ଉପକୂଳରେ ୨୦୧୪-୧୫ରେ ୭ ପ୍ରଜାତିର ୪୫୦ଟି ଡଲ୍‌ଫିନ୍‌ ଥିଲେ। ଏଡ୍‌ଓ୍ଵାଡି ଡଲଫିନ୍‌ଙ୍କ ସଂଖ୍ୟା ୨୦୬ ଥିବା ବେଳେ ବୋଟେଲ ନୋଜ୍‌ ପ୍ରଜାତିର ୫୨, ହମ୍ପବ୍ୟାକ୍‌ ପ୍ରଜାତିର ୧୨୫, ପାଣ୍ଟ୍ରୋପିକାଲ ସ୍ପଟେଡ୍‌ର ୫୦, ଫିନ୍‌ଲେସ୍‌ ଏବଂ ଗଙ୍ଗେଜ୍‌ ପ୍ରଜାତିର ଗୋଟିଏ ଲେଖାଏ ଡଲ୍‌ଫିନ୍‌ ରହିଥିଲେ। ଏବେ ଏହି ସଂଖା ୨୫୭କୁ ହ୍ରାସ ପାଇଛି। ଏଡ୍‌ଓ୍ଵାଡି ଡଲଫିନ୍‌ଙ୍କ ସଂଖ୍ୟା ବହୁ ପରିମାଣରେ ହ୍ରାସ ପାଇଥିବା ନେଇ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର