‘ମୋ ସରକାର’କୁ ଆପଣାଇଥିବା ରାଜ୍ୟ ସରକାର ‘ଓଡ଼ିଶା ରାଇଟ୍ ଟୁ ପବ୍ଲିକ ସର୍ଭିସେସ୍ ଆକ୍ଟ’କୁ ଭୁଲିଗଲେ କି? ଜାଣନ୍ତୁ ଏହି ଆକ୍ଟ ଅନୁଯାୟୀ କେତେ ଦିନ ମଧ୍ୟରେ କେଉଁ ସେବା ଯୋଗାଇବାକୁ ହୋଇଥିଲା ସ୍ଥିର

ଭୁବନେଶ୍ୱର : ମୋ ସରକାର କାର୍ଯ୍ୟକ୍ରମ ଓ ୫-ଟିର ପ୍ରଣୟନକୁ ନେଇ ଏବେ ରାଜ୍ୟ ସରକାର ଆରମ୍ଭ କରିଦେଇଛନ୍ତି ବଡ ଧରଣର ଅଭିଯାନ । ସଚିବଙ୍କଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀ ରାଜ୍ୟର ବିଭିନ୍ନ ଅଂଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବା ସହ ଦୃଢ ପଦକ୍ଷେପ ମଧ୍ୟ ନେଉଛନ୍ତି । ୫-ଟି ସଚିବଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ମଧ୍ୟ ବିଭିନ୍ନ ଜିଲା ଗସ୍ତ କରି ପରିସ୍ଥିତି ପରଖିବା ସହ ସାଧାରଣ ଜନତାଙ୍କ ସହ ଆଲୋଚନା କରୁଛନ୍ତି । କିନ୍ତୁ ଏହାରି ଭିତରେ ସାଧାରଣ ଲୋକଙ୍କୁ ସେବା ଯୋଗାଇବାକୁ ୨୦୧୨ରେ ପ୍ରଣୟନ କରାଯାଇଥିବା ଓଡିଶା ରାଇଟ୍ ଟୁ ପବ୍ଲିକ୍ ସର୍ଭିସେସ୍ ଆକ୍ଟର କାର୍ଯ୍ୟକାରିତାକୁ ନେଇ ଉଠିଛି ପ୍ରଶ୍ନ ।

ଆପଣ ଜମି ପଟ୍ଟା କିମ୍ବା ମ୍ୟୁଟେସନ ପାଇଁ ଆବେଦନ କରିଛନ୍ତି କି ? ଆପଣ ଡ୍ରାଇଭିଂ ଲାଇସେନ୍ସ କିମ୍ବା ଗାଡିର ମାଲିକାନାସତ୍ୱ ପରିବର୍ତନ କରିବାକୁ ଚାହୁଁଛନ୍ତି କି ? ଜାଣନ୍ତୁ ୨୦୧୨ରେ ପ୍ରଣୟନ କରାଯାଇଥିବା ଓଡିଶା ରାଇଟ୍ ଟୁ ପବ୍ଲିକ୍ ସର୍ଭିସେସ୍ ଆକ୍ଟ ଆପଣଙ୍କୁ କଣ ସୁବିଧା ଦେଉଛି ।
ଡ୍ରାଇଭିଂ ଲାଇସେନ୍ସ ପାଇଁ – ଟେଷ୍ଟ ଦେବାର ୫ ଦିନ ଭିତରେ
ଓନରସିପ୍ ଟ୍ରାନ୍ସଫର୍ – କ୍ରେତା ଓ ବିକ୍ରେତା ହାଜର ହେବାର ୪ଦିନ ଭିତରେ
ଜାତିଗତ ପ୍ରମାଣପତ୍ର – ୩୦ ଦିନ ଭିତରେ
ଲିଗାଲ ହାୟର ପ୍ରମାଣପତ୍ର – ୩୦ ଦିନ
ରେସିଡେନ୍ସିଆଲ ପ୍ରମାଣପତ୍ର – ୧୫ ଦିନ
ଜନ୍ମ କିମ୍ବା ମୃତ୍ୟୁ ପ୍ରମାଣପତ୍ର – ଗ୍ରାମାଞ୍ଚଳ ପାଇଁ ୩୦ ଦିନ ଓ ସହରାଞ୍ଚଳ ପାଇଁ ୧୫ ଦିନ
ସହରାଞ୍ଚଳରେ ବିଲ୍ଡିଂ ପ୍ଲାନ – ୬୦ ଦିନ

କେବଳ ଏତିକି ନୁହେଁ, ରାଜ୍ୟ ସରକାରଙ୍କ ୨୫ଟି ବିଭାଗ ଅନ୍ତର୍ଗତ ୩୦୦ରୁ ଉର୍ଦ୍ଧ୍ୱ ସେବାକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଜନସାଧାରଣଙ୍କୁ ଉପଲବ୍ଧ କରିବାକୁ ନିୟମ ରହିଛି । ଓଡିଶା ରାଇଟ ଟୁ ପବ୍ଲିକ ସର୍ଭିସେସ ଆକ୍ଟ ଅନୁସାରେ ୨୦୧୭ ମସିହାରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ସରକାର । କିନ୍ତୁ ଏହା ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ ହେଉଛି ।

କୁହାଯାଉଛି, ଯଦି ସରକାରଙ୍କ ଏହି ନିୟମ କଡାକଡି ଭାବେ ପାଳନ କରାଯାଏ ତେବେ ବିଭିନ୍ନ ସେବା ପାଇଁ ଲୋକଙ୍କୁ ସରକାରୀ ଅଫିସକୁ ବାରମ୍ବାର ଦୌଡିବାକୁ ପଡନ୍ତା ନାହିଁ। ଯାହା ରାଜ୍ୟ ସରକାରଙ୍କ ମୋ ସରକାର ଯୋଜନା ଓ ୫ଟି ମନ୍ତ୍ରକୁ ଅଧିକ ସଫଳ କରିପାରନ୍ତା ।

ସମ୍ବନ୍ଧିତ ଖବର