ଆଗାମୀ ୨୪ଘଣ୍ଟା ମଧ୍ୟରେ ଏହି ସବୁସ୍ଥାନରେ କୁଆପଥର ସହ ଝଡ଼ ବର୍ଷା ହେବାର ସମ୍ଭାବନା ରହିଛି

ଭୁବନେଶ୍ୱର: ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶା ଅନ୍ତର୍ଗତ ଜିଲ୍ଲାମାନଙ୍କରେ ତାପମାତ୍ରା ୪୦ରୁ ୪୨ ଡିଗ୍ରି ମଧ୍ୟରେ ରହୁଥିବା ବେଳେ ପଶ୍ଚିମ ଓଡ଼ିଶା ଅନ୍ତର୍ଗତ ଜିଲ୍ଲାମାନଙ୍କରେ ତାପମାତ୍ରା ୪୪ ଡିଗ୍ରିରେ ପହଞ୍ଚିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି କରାଯାଇଥିବା ସତର୍କ ସୂଚନା ଅନୁଯାୟୀ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନ ବିଶେଷ କରି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଅନୁଗୁଳ, ଢ଼େଙ୍କାନାଳ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ଗଞ୍ଜାମ ଓ ଗଜପତି ଆଦି ଜିଲ୍ଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ କୁଆପଥର ସହ ଝଡ଼ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ଏହି ସମସ୍ତ ଜିଲ୍ଲାର କେତେକ ସ୍ଥାନରେ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ସହ ବଜ୍ରପାତ ହୋଇପାରେ ବୋଲି ମଧ୍ୟ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଏହିସବୁ ଜିଲ୍ଲାରେ କୁଆପଥର ମାଡ଼, ଝଡ଼ତୋଫାନ ଓ ଘଡ଼ଘଡ଼ି ସହିତ ବର୍ଷା ହେବାର ଆଶଙ୍କା ରହିଛି। ଏଣୁ କାଳବୈଶାଖୀ ଜନିତ ଝଡ଼ବର୍ଷା ସମୟରେ ଘରୁ ପଦାକୁ ନବାହାରିବା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଜି ରାଜଧାନୀ ଭୁବନେଶ୍ୱର ସମେତ ପଶ୍ଚିମ ଓ ଉପକୂଳ ଓଡ଼ିଶାରେ ବିଭିନ୍ନ ଜିଲ୍ଲାରେ ପୂର୍ବାହ୍ନରୁ ପ୍ରବଳ ଖରା ଓ ଅସହ୍ୟ ଗରମ ଅନୁଭୂତ ହେବା, ଝାଞ୍ଜି ପବନ ମାଡ଼ରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି।

ସମ୍ବନ୍ଧିତ ଖବର