ବାୟୁମଣ୍ଡଳରେ ଟ୍ରଫ୍‌ ଲାଇନ: ୧ ଯାଏଁ କାଁ ଭାଁ ବର୍ଷା, ପରେ ଆସିବ ଶୀତ

୨୪ ଘଣ୍ଟାରେ ସାରା ଦେଶରୁ ଅପସରି ଯିବ ମୌସୁମୀ

ଭୁବନେଶ୍ୱର: ବର୍ତମାନ ବାୟୁମଣ୍ଡଳରେ ସୃଷ୍ଟି ହୋଇଛି ଟ୍ରଫ୍‌ ଲାଇନ। ଏହାର ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ କାଁ ଭାଁ ବର୍ଷା ହୋଇଛି। ୨୮ ତାରିଖ ବେଳକୁ ଏହି ଟ୍ରଫ୍‌ ଲାଇନ ତଳକୁ ଖସିବ। ଫଳରେ ବିଭିନ୍ନ ସ୍ଥାନରେ ସ୍ୱଳ୍ପ ପରିମାଣର କାଁ ଭାଁ ବର୍ଷା ହେବ। ଏଭଳି ବର୍ଷା ନଭେମ୍ବର ପହିଲା ପର୍ଯ୍ୟନ୍ତ ରହିବ। ବର୍ଷା ଗଲା ପରେ ଧୀରେ ଧୀରେ ଶୀତ ଋତୁ ଓହ୍ଳାଇ ଆସିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଅନ୍ୟପକ୍ଷରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅପସରି ଯିବ। ୨୬ ତାରିଖ ବେଳକୁ ପ୍ରତିବର୍ଷ ଭଳି ଦକ୍ଷିଣ ଭାରତରେ ସକ୍ରିୟ ହେବ ଉତ୍ତର ପୂର୍ବ ମୌସୁମୀ ବାୟୁ।

ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ ଆଜି ବାୟୁମଣ୍ଡଳର ୫.୮ କି.ମି. ଉପରେ ଟ୍ରଫ୍‌ ଲାଇନ ରହିଛି। ନେପାଳରୁ ଏହା ଲମ୍ବିଆସିଛି ଓଡ଼ିଶାର ବାୟୁମଣ୍ଡଳ ପର୍ଯ୍ୟନ୍ତ। ମୌସୁମୀ ଚାଲିଗଲା ପରେ ଟ୍ରଫ୍‌ ଲାଇନର ବିଶେଷ ଭୂମିକା ନ ଥିଲେ ବି ଏହା କେତେକାଂଶରେ ବର୍ଷା କରାଇବାର ସାମର୍ଥ୍ୟ ରଖୁଛି। ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାର ହେମଗିରିରେ ପ୍ରାୟ ୧୦ ମିଲିମିଟର ବର୍ଷା ହୋଇଥିଲା। ଆଜି ସକାଳ ୮ଟା ବେଳକୁ ସୁନ୍ଦରଗଡ଼, ଝାରସୁଗୁଡ଼ା ଏପରି କି ଅନୁଗୁଳ ଜିଲ୍ଲାର କିଛି ସ୍ଥାନରେ ସାମାନ୍ୟ ବର୍ଷା ହୋଇଛି। ଟ୍ରଫ୍‌ ପ୍ରଭାବରେ ଉତ୍ତର, ଦକ୍ଷିଣ, ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ହେବ। ତେବେ ସ୍ୱଳ୍ପ ପରିମାଣର ବର୍ଷା ହେବ।
ପାଣିପାଗ କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁଙ୍କ କହିବାନୁସାରେ ୨୮/୨୯ ବେଳକୁ ଟ୍ରଫ୍‌ ଲାଇନ ତଳକୁ ଖସିବ। ସେତେବେଳକୁ ଚେନ୍ନାଇ ଉପକୂଳରେ ଲଘୁଚାପ ମଧ୍ୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉତ୍ତର ପୂର୍ବ ଦିଗରୁ ଥଣ୍ଡା ପବନ ଏବଂ ଦକ୍ଷିଣ ପଶ୍ଚିମ ଦିଗରୁ ସାମୁଦ୍ରିକ ପବନ ବହିପାରେ। ଏହାର ପ୍ରଭାବରେ ୧ ତାରିଖ ପର୍ଯ୍ୟନ୍ତ ବର୍ଷା ରହିବ।

ଅବଶ୍ୟ ବର୍ଷାଦିନ ଭଳି ପ୍ରବଳ ବର୍ଷା ନ ହୋଇ କାଁ ଭାଁ ଏବଂ ସ୍ୱଳ୍ପ ପରିମାଣର ବର୍ଷା ହେବ। ସେତେବେଳକୁ ଥଣ୍ଡା ପବନ ବହିବ। ଆକାଶରେ ମେଘ ଥିବାରୁ ବର୍ତମାନ ଦିନରେ ତାତି ଅଧିକ ଅନୁଭୂତ ହେଉଛି। କିନ୍ତୁ ୧ ତାରିଖ ପରେ ଶୀତ ଋତୁ ଆସିପରେ ବୋଲି ଡ. ସାହୁ ପୂର୍ବାନୁମାନ କରିଛନ୍ତି।
ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଗତ ଦିନେ ଦୁଇ ଦିନ ଭିତରେ ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରୁ ମୌସୁମୀ ଅପସରି ଯାଇଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅବଶିଷ୍ଟ ରାଜ୍ୟଗୁଡ଼ିକ ସମେତ ସମଗ୍ର ଦେଶରୁ ବିଦାୟ ନେବ ମୌସୁମୀ ବାୟୁ। ଏହି ବିଦାୟ ନେବାର ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଭାରତକୁ ଆଗମନ କରିବ ଉତ୍ତର ପୂର୍ବ ମୌସୁମୀ।

ସମ୍ବନ୍ଧିତ ଖବର