୧୬ରୁ ବିଧାନସଭା ଶୀତକାଳୀନ ଅଧିବେଶନ

ଭୁବନେଶ୍ବର : ଓଡ଼ିଶା‌ ବିଧାନସଭାର ଶୀତକାଳୀନ ଅଧିବେଶନ ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ। ଆଜି ଏ ନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଅଧିବେଶନ ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ମୋଟ ୨୩ଟି କାର୍ଯ୍ୟଦିବସ ରହିଛି। ଅଧି‌େବଶନ ସମୟରେ ନଭେମ୍ବର ୨୧ ପ୍ରଫେଟ୍ ମହମ୍ମଦଙ୍କ ଜୟନ୍ତୀ ଓ ୨୩ ତାରିଖ ରାସ ପୂର୍ଣ୍ଣିମା ପାଇଁ ଛୁଟି ରହିଛି। ନଭେମ୍ବର ୧୭, ଡିସେମ୍ବର ୭ ଓ ୧୪ ତାରିଖରେ ବେସରକାରୀଙ୍କ ସଭ୍ୟଙ୍କ କାର୍ଯ୍ୟଦିବସ ରହିଛି। ଚଳିତ ଆର୍ଥିକ ବର୍ଷରେ ବିଧାନସଭାର ମୌସୁମୀ ଅଧିବେଶନ ସମୟରେ ସରକାର ପ୍ରଥମ ଅତିରିକ୍ତ ବଜେଟ୍ ଗୃହୀତ କରିସାରିଛନ୍ତି। ତେଣୁ ଏହି ଅଧିବେଶନରେ ଦ୍ବିତୀୟ ଅତିରିକ୍ତ ବଜେଟ୍‌ର ଆସିବ ନାହିଁ। ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ଲମ୍ବା ଅଧିବେଶନ ହେବ। ସରକାରଙ୍କୁ ଅଡ଼ୁଆରେ ପକାଇବାକୁ ବିରୋଧୀ ଦଳଗୁଡ଼ିକ ହାତରେ ଯଥେଷ୍ଟ ପ୍ରସଙ୍ଗ ରହିଛି। ସେହିପରି କେନ୍ଦ୍ର ବିରୋଧରେ ହୁଙ୍କାର ଦେବାକୁ ଶାସକ ଦଳ ହାତରେ ବି ପ୍ରସଙ୍ଗ ରହିଛି। ତେଣୁ ଆଗାମୀ ଅଧିବେଶନରେ ପରସ୍ପରକୁ ଘେରି ଗୃହକୁ ସରଗରମ କରିବାକୁ ଉଭୟ ପକ୍ଷ ହାତରେ ଯଥେଷ୍ଟ ସୁଯୋଗ ରହିଛି। ତେବେ ଅତିରିକ୍ତ ବଜେଟ୍ ନ ଥିବାରୁ ଏହି ଅଧିବେଶନ ନିର୍ଦ୍ଧାରିତ ସମୟର ଯଥେଷ୍ଟ ଆଗରୁ କାଣ୍ଟଛାଣ୍ଟ୍ କରାଯାଇପାରେ ବୋଲି ମଧ୍ୟ ଆଲୋଚନା ଜୋର୍ ଧରିଛି।

ସମ୍ବନ୍ଧିତ ଖବର