୧ରୁ ବଢ଼ିବ ଶୀତର ପ୍ରକୋପ

୩୧ ସୁଦ୍ଧା ବିଭିନ୍ନ ସ୍ଥାନରେ କାଁ ଭାଁ ବର୍ଷା

ଭୁବନେଶ୍ୱର : ଓଡ଼ିଶା ଆକାଶରେ ଏକ ଟ୍ରଫ୍‌ ଲାଇନ୍‌ ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ୩୧ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କାଁ ଭାଁ ବର୍ଷା ହେବ। ତେବେ ଟ୍ରଫ୍‌ ବଙ୍ଗୋପ ସାଗରକୁ ଯିବା ପରେ ନଭେମ୍ବର ପହିଲାରୁ ବଢ଼ିବ ଶୀତର ପ୍ରକୋପ।

ଏହି ମର୍ମରେ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। କେନ୍ଦ୍ରର ସୂଚନା ଅନୁଯାୟୀ ବିହାରରୁ ପଶ୍ଚିମବଙ୍ଗ ଉପକୂଳକୁ ଟ୍ରଫ୍‌ ଲାଇନ ଓଡ଼ିଶା ଦେଇ ଲମ୍ବିଯାଇଛି। ବାୟୁମଣ୍ଡଳର ୩.୬ କି.ମି.ରୁ ୪.୫ କି.ମି. ମଧ୍ୟରେ ଏହା ବ୍ୟାପ୍ତ। ଏହା ପ୍ରଭାବରେ ଅନେକ ସ୍ଥାନରେ ଶୀତଦିନିଆ ମେଘ ଆକାଶରେ ଖେଳିଯାଇଛି। ଦିନେ ଦୁଇଦିନ ଭିତରେ ଏହା ତଳକୁ ଖସିଲେ ପର୍ଯ୍ୟାୟ କ୍ରମେ ବିଭିନ୍ନ ସ୍ଥାନରେ ବର୍ଷା ହେବ। ଆସନ୍ତାକାଲିଠାରୁ ୨୯ ତାରିଖ ପର୍ଯ୍ୟନ୍ତ ଉତ୍ତରର କିଛି ସ୍ଥାନରେ ବର୍ଷା ହେବା ବେଳକୁ ଦକ୍ଷିଣ ସହିତ ରାଜ୍ୟର ଅନ୍ୟାନ୍ୟ ଭାଗରେ ପାଗ ସଂପୂର୍ଣ୍ଣ ଶୁଖିଲା ରହିବ। ୩୦ରୁ ୩୧ ତାରିଖ ଯାଏଁ ଉପକୂଳବର୍ତୀ କିଛି ସ୍ଥାନରେ ବର୍ଷା ହେବ। ସେତେବେଳେ ଆଭ୍ୟନ୍ତରୀଣ ଓଡ଼ିଶା ସହିତ ବିଭିନ୍ନ ସ୍ଥାନ ଶୁଖିଲା ରହିବ। ଟ୍ରଫ୍‌ ଲାଇନ ବଙ୍ଗୋପ ସାଗର ଦିଗକୁ ମୁହାଁଇ ଉଭେଇଯିବା ପରେ ସମଗ୍ର ରାଜ୍ୟରେ ଶୁଖିଲା ପାଗ ଦେଖାଦେବ। ଉତ୍ତର ପୂର୍ବ ଦିଗରୁ ଥଣ୍ଡା ପବନ ବହିବ। ଫଳରେ ନଭେମ୍ବର ୧ ତାରିଖରୁ ରାଜ୍ୟର ଅଧିକାଂଶ ସ୍ଥାନରେ ଶୀତର ପ୍ରକୋପ ଅନୁଭୂତ ହେବ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁ।

ଗତ ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜର ଚନ୍ଦନପୁରରେ ସର୍ବାଧିକ ୭୦ ମିଲିମିଟର ବର୍ଷା ହୋଇଥିଲା। ବନ୍ତରେ ୩୦ ମି.ମି., ଜାମଶୋଳାଘାଟ, ରାଜଘାଟରେ ୨୦ ମି.ମି., ଭଦ୍ରକ, ନୀଳଗିରି, ସୋର, ଜଳେଶ୍ୱର, ରେମୁଣାରେ ପ୍ରାୟ ୧୦ ମି.ମି. ବର୍ଷା ହୋଇଥିଲା। ଆଜି ସକାଳ ସାଢ଼େ ୮ଟା ପରେ କେଉଁଠି ବର୍ଷା ହୋଇନାହିଁ।

ସମ୍ବନ୍ଧିତ ଖବର