ସପ୍ତାହେ କୋହଲା ପାଗ, ୫ରୁ ଶୀତରେ ଥରିବ ଓଡ଼ିଶା

ଭୁବନେଶ୍ବର: ସ୍ଥଳଭାଗରେ ଲଘୁଚାପ ପ୍ରଭା‌ବଶୂନ୍ୟ ହୋଇପଡ଼ିଛି। ପଶ୍ଚିମ-କେନ୍ଦ୍ର ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବର୍ତ୍ତମାନ ବଙ୍ଗୋପସାଗର ମଧ୍ୟରେ ସକ୍ରିୟ ରହିଛି। ଏହାର ପ୍ରଭାବରେ ବଙ୍ଗୋପସାଗରର ଆଭ୍ୟନ୍ତରୀଣ ଅଞ୍ଚଳରେ ଆହୁରି ଦୁଇଦିନ ଧରି ବର୍ଷା ଲାଗି ରହିବ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ଆକଳନ କରିଛି। ଏଣୁ ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ବର୍ତ୍ତମାନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୩.୧ ଏବଂ ୫.୮ କିଲୋମିଟର ମଧ୍ୟରେ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ସମୁଦ୍ର ଅଶାନ୍ତ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ମାତ୍ର ଉତ୍ତର ଓ ଉପକୂଳ ଓଡ଼ିଶାର ଆକାଶ ମେଘମୁକ୍ତ ହେବାକୁ ଆଉ ଚାରି ପାଞ୍ଚ ଦିନ ସମୟ ନେବାକୁ ଥିବାରୁ ଏହାର ପ୍ରଭାବରେ ଆହୁରି ସପ୍ତାହେ ଧରି କୋହଲା ପାଗ ଜାରି ରହିବ। ଭୁବନେଶ୍ବର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌.ଆର୍‌. ବିଶ୍ବାସଙ୍କ କହିବା ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପୂର୍ବ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ଉତ୍ତର ଓଡ଼ିଶାର ଦୁଇ ତିନିଟି ସ୍ଥାନରେ ବର୍ଷା ହୋଇପାରେ। ନଭେମ୍ବର ୧ ବେଳକୁ ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ୨ରେ ଦକ୍ଷିଣ ଓଡ଼ିଶାର ମାଲ୍‌କାନଗିରି ଓ କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହେବ। ୪ ପରଠାରୁ ଉତ୍ତର ଭାରତରୁ ଥଣ୍ଡା ପବନ ବହିବା ସହ ପାଗ ଶୁଷ୍କ ହେବାକୁ ଆରମ୍ଭ କରିବ। ନଭେମ୍ବର ୫ ପରଠାରୁ ଓଡ଼ିଶାର ଆକାଶ ସମ୍ପୂର୍ଣ୍ଣ ମେଘମୁକ୍ତ ହେବା ସହିତ ରାଜ୍ୟକୁ ଶୀତ ଫେରିବ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଆଜି ରାଜ୍ୟର କେତେକ ସ୍ଥାନରେ କୋହଲା ପାଗ ସାଙ୍ଗକୁ ତାପମାତ୍ରା ମଧ୍ୟ ହ୍ରାସ ପାଇଛି। ଦାରିଙ୍ଗିବାଡ଼ି, କୋରାପୁଟ, କେନ୍ଦୁଝର, ଭବାନୀପାଟଣାରେ ପାରଦ ବେଶ ତଳକୁ ଖସି ଆସିଛି। ଏସବୁ ଅଞ୍ଚଳରେ ଆଜି ମୃଦୁ ଶୀତ ଅନୁଭୂତ ହୋଇଛି। ଦାରିଙ୍ଗିବାଡ଼ିରେ ଆଜି ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରି ସେଲ୍‌ସିୟସ ଥିବାବେଳେ କୋରାପୁଟରେ ୧୪ ଡିଗ୍ରି, ଭବାନୀପାଟଣାରେ ୧୭ ଡିଗ୍ରି, କେନ୍ଦୁଝରରେ ୧୭ ଡିଗ୍ରି ସେଲ୍‌ସିୟସ ତାପମାତ୍ରା ରେକର୍ଡ କରାଯାଇଛି। କେବଳ ଏସବୁ ଅଞ୍ଚଳ ନୁହେଁ ଗୋପାଳପୁର, ବାଲେଶ୍ବର, କଟକ, ସୋନପୁର, ଟିଟିଲାଗଡ଼, ଝାରସୁଗୁଡ଼ା‌, ଅନୁଗୁଳ ଭଳି ଅଞ୍ଚଳରେ ପାରଦ ୨୦ ଡିଗ୍ରି ତଳେ ରହିଥିଲା।

ଆଜି ରାଜ୍ୟର କେତେକ ସ୍ଥାନରେ ଝିପିରି ଝିପିରି ବର୍ଷା ସାଙ୍ଗକୁ କୋହଲା ପାଗ ଅନୁଭୂତ ହୋଇଥିଲା। ଭୁବନେଶ୍ବର ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଗତ ୩୬ ଘଣ୍ଟା ମଧ୍ୟରେ ପାରାଦୀପରେ ସର୍ବାଧିକ ୨୬ ମିମି ବୃଷ୍ଟିପାତ ରେକର୍ଡ କରାଯାଇଛି। ସେହିଭଳି ବାଲେଶ୍ବରରେ ୫ ମିମି, ଚାନ୍ଦବାଲିରେ ୨ ମିମି ବର୍ଷା ହୋଇଛି। ସେହିଭଳି ଭୁବନେଶ୍ବରରେ ଆଗାମୀ ୨୪ ଘଣ୍ଟା ଆକାଶ ମେଘୁଆ ରହିବା ସହ ପାଗ କୋହଲା ରହିବ।

ସମ୍ବନ୍ଧିତ ଖବର