ପହିଲାରୁ ବଢ଼ିବ ଶୀତ, ୨° ଖସିବ ପାରଦ

ଆଜି ଉତ୍ତର, ଦକ୍ଷିଣରେ କାଁ ଭାଁ ବର୍ଷା, ଉପକୂଳର କିଛି ସ୍ଥାନରେ ହେବ ସକାଳୁଆ କୁହୁଡ଼ି

ଭୁବନେଶ୍ୱର : ଆଜି ବାଲେଶ୍ୱର ସମେତ ରାଜ୍ୟର ୭ଟି ସ୍ଥାନର ସର୍ବନିମ୍ନ ତାପମାତ୍ରା ୨୦° ବା ତା’ ତଳକୁ ଖସିଆସିଛି। ଆସନ୍ତାକାଲି ଉତ୍ତର, ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ହେବାର ସମ୍ଭାବନା ଅଧିକ। ଉପକୂଳର କିଛି ସ୍ଥାନରେ ସକାଳୁଆ କୁହୁଡ଼ି ବି ଦେଖାଦେବ। ନଭେମ୍ବର ପହିଲାରୁ ଅଧିକାଂଶ ସ୍ଥାନର ତାପମାତ୍ରା ପ୍ରାୟ ୨° କମିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।

ସୂଚନା ମୁତାବକ ବର୍ତମାନ ରାଜ୍ୟରେ ଏକ ଟ୍ରଫ୍‌ ଲାଇନ ରହିଛି। ଏହା ପ୍ରଭାବରେ ବିଭିନ୍ନ ସ୍ଥାନରେ ଆକାଶ ମେଘୁଆ ରହିଛି। କିନ୍ତୁ କାଁ ଭାଁ ବର୍ଷା ହେବାର ପୂର୍ବାନୁମାନ କରାଯାଇଥିଲେ ବି ଗତକାଲି ଏବଂ ଆଜି ପାଗ ପ୍ରାୟତଃ ଶୁଖିଲା ରହିଛି। ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଆସନ୍ତାକାଲି ଉଭୟ ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର ଅଳ୍ପ କିଛି ସ୍ଥାନରେ କାଁ ଭାଁ ବର୍ଷା ହେବ। ୩୧ ତାରିଖ ବେଳକୁ ଟ୍ରଫ୍‌ ଲାଇନ ଅପସରି ଯିବ। ଟ୍ରଫ୍‌ ଲାଇନ ହଟିଯିବା ପରେ ଉତ୍ତରର ହିମାଳୟ ପାଦଦେଶ ଏବଂ ଉତ୍ତର ପୂର୍ବ ସିକିମ, ବିହାର ରାଜ୍ୟର ଅପେକ୍ଷାକୃତ ଥଣ୍ଡା ପବନ ଓଡ଼ିଶାକୁ ବହିବ। ଏହାର ପ୍ରଭାବରେ ୧ ତାରିଖରୁ ରାଜ୍ୟରେ ଉଭୟ ସର୍ବାଧିକ ଏବଂ ସର୍ବନିମ୍ନ ତାପମାତ୍ରା ୨° ପର୍ଯ୍ୟନ୍ତ କମିବାର ସମ୍ଭାବନା ଅଧିକ।

ଆସନ୍ତାକାଲି ଉପକୂଳର ଭୁବନେଶ୍ୱର ସହିତ କିଛି ସ୍ଥାନରେ ସକାଳୁଆ କୁହୁଡ଼ି ଦେଖାଦେବ। ଆଜି ଦକ୍ଷିଣ ଉପକୂଳର କିଛି ସ୍ଥାନରେ ସାମାନ୍ୟ କୁହୁଡ଼ି ଦେଖାଦେଇଥିବା ପାଣିପାଗ କେନ୍ଦ୍ର ସୂତ୍ରରୁ ଜଣାଯାଇଛି। ଆଜି ରାଜ୍ୟରେ ସର୍ବାଧିକ ତାପମାତ୍ରା ୨୮°ରୁ ୩୪.୮° ସେଲ୍‌ସିୟସ ପର୍ଯ୍ୟନ୍ତ ଥିବାବେଳେ ସର୍ବନିମ୍ନ ତାପମାତ୍ରା ୧୪.୫°ରୁ ୨୩.୫° ମଧ୍ୟରେ ରହିଛି। ସର୍ବନିମ୍ନ ୧୪.୫°ର ତାପମାତ୍ରା ରେକର୍ଡ ହୋଇଛି ଦାରିଙ୍ଗିବାଡ଼ିରେ। ସେହିପରି ଫୁଲବାଣୀରେ ୧୭°, କୋରାପୁଟ ଏବଂ ହୀରାକୁଦରେ ୧୭.୨°, ବାଲେଶ୍ୱରରେ ୧୯.୬°, କେନ୍ଦୁଝରରେ ୧୯.୮°, ସୁନ୍ଦରଗଡ଼ରେ ୨୦° ରହିଛି। ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୨.୫°, ସର୍ବନିମ୍ନ ୨୨.୪° ଥିବାବେଳେ କଟକରେ ଯଥାକ୍ରମେ ୩୦.୫° ଏବଂ ୨୨° ରେକର୍ଡ ହୋଇଛି।

ବଜ୍ରାଘାତ ମୁକାବିଲା ପାଇଁ ପରାମର୍ଶଦାତା ନିଯୁକ୍ତି ଦିଆଯିବ

ଭୁବନେଶ୍ୱର : ରାଜ୍ୟରେ ବଜ୍ରାଘାତ ଜନିତ ବିପର୍ଯ୍ୟୟର ସୁପରିଚାଳନା ଓ ତଦ୍‌ଜନିତ ମୃତ୍ୟୁକୁ ଏଡ଼ାଇବା ଦିଗରେ ରାଜ୍ୟ ସରକାର ଆଜି ପଦକ୍ଷେପ ନେଇଛନ୍ତି। ଓଡ଼ିଶାରେ ଅଧିକ ସଂଖ୍ୟାରେ ବଜ୍ରାଘାତର କାରଣ ଓ ଏହାର ନିରାକରଣ ଦିଗରେ ଆବଶ୍ୟକୀୟ ବୈଷୟିକ ଜ୍ଞାନକୌଶଳ ଓ ପରାମର୍ଶ ଦେବା ନିମନ୍ତେ ବୈଷୟିକ ଅନୁଷ୍ଠାନ କିମ୍ବା ପରାମର୍ଶଦାତା ସଂସ୍ଥାଙ୍କୁ ନିୟୋଜିତ କରାଯିବ। ଏଥି ନିମନ୍ତେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ଏଭଳି ସଂସ୍ଥାମାନଙ୍କଠାରୁ ଏକ୍ସପ୍ରେସ୍‌ ଅଫ୍‌ ଇଣ୍ଟରେଷ୍ଟ ଆହ୍ଵାନ କରାଯିବା ପ୍ରସ୍ତାବକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତି ଅନୁମୋଦନ ଦେଇଛନ୍ତି। ମନୋନୀତ ସଂସ୍ଥା ବଜ୍ରାଘାତ ଓ ଏଥିରେ ହେଉଥିବା ମୃତ୍ୟୁ ସଂପର୍କରେ ଅନୁଧ୍ୟାନ କରି ଏହାର ନିରାକରଣ ଏବଂ ଏଥିରୁ ରକ୍ଷା ପାଇବା ପାଇଁ ବଜ୍ରାଘାତ ସଂପର୍କରେ ଆଗୁଆ ସୂଚନା ପ୍ରଦାନ ପଦ୍ଧତି ସ୍ଥାପନ ଓ ଏହାର ବୈଷୟିକ ଜ୍ଞାନକୌଶଳ ସଂପର୍କରେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବେ । ସୂଚନାଯୋଗ୍ୟ ଯେ ରାଜ୍ୟରେ ଗତ ୭ ବର୍ଷ ମଧ୍ୟରେ ବଜ୍ରାଘାତରେ ୨୪୦୮ ଜଣଙ୍କର ମୃତ୍ୟୁ ହୋଇଛି । ଏହି ସମୟ ମଧ୍ୟରେ ଏହା ଅନ୍ୟ ଯେ କୌଣସି ପ୍ରାକୃତିକ ବିପର୍ଯ୍ୟୟରେ ହୋଇଥିବା ମୃତ୍ୟୁ ସଂଖ୍ୟାଠାରୁ ଅଧିକ ।

ସମ୍ବନ୍ଧିତ ଖବର