ଛୋଟ ଭୁଲ୍‌ ପାଇଁ ଏ କି ଦଣ୍ଡ? : ନିଷ୍ଠୁର ହେଲେ ଜେଜେମା’…. ବାପା

ବନ୍ତଳା : ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ବନ୍ତଳା ଥାନା ଗଡ଼ତରାସ ଗ୍ରାମରେ ନିଜ ୩ ବର୍ଷର ନାତୁଣୀକୁ ତାର ଜେଜେମା ନିଷ୍ଠୁର ଭାବେ ମାଡ଼ ମାରିବା ଘଟଣା ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଖାଲି ସେତିକି ନୁହେଁ, ଶିଶୁକୁ ମାଡ଼ ମାରି ଜେଜେମା ଏକ କୋଠରିରେ ତାଲା ପକାଇ ଦେଇଥିବା ବେଳେ ଖବର ପାଇ ଗ୍ରାମବାସୀଙ୍କ ସହାୟତାରେ ପୁଲିସ ଶିଶୁକୁ ଉଦ୍ଧାର କରିଛି। ଏ ଘଟଣାକୁ ନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସୂଚନା ଅନୁଯାୟୀ, ଗଡ଼ତରାସ ଗ୍ରାମର ଅସିତ ରାଉତଙ୍କ ସ୍ତ୍ରୀ ଦୀପ୍ତିମୟୀଙ୍କର ଦୁଇ ବର୍ଷ ପୂର୍ବେ ମୃତ୍ୟୁ ହୋଇଥିଲା। ତାଙ୍କର ଦୁଇ ଝିଅ ମଧ୍ୟରୁ ଜଣେ ୫ ବର୍ଷର ଓ ଅନ୍ୟଜଣକ ୩ ବର୍ଷର। ଅସିତ ବାହାରେ ଗାଡି ହେଲ୍‌ପର ଭାବେ କାମ କରୁଥିବାରୁ ପ୍ରାୟ ସମୟରେ ଘରେ ରହନ୍ତି ନାହିଁ। ଫଳରେ ଦୁଇ ଝିଅ ଜେଜେବାପା ଅଖିଳ ରାଉତ ଓ ଜେଜେମା କୁମୁଦିନୀ ରାଉତଙ୍କ ପାଖରେ ରହନ୍ତି।

ତେବେ ବିଭିନ୍ନ ସମୟରେ ଜେଜେମା କୁମୁଦିନୀ ବିନା କାରଣରେ ଦୁଇ ଶିଶୁଙ୍କୁ ମାଡ଼ପିଟ କରୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ଆଜି ୩ ବର୍ଷର ନାତୁଣୀର ସାମାନ୍ୟ ଭୁଲ୍ ପାଇଁ ଉତ୍‌କ୍ଷିପ୍ତ ହୋଇପଡ଼ିଥିଲେ କୁମୁଦିନୀ। ତାଙ୍କୁ ନ ପଚାରି ପଡ଼ିଶା ଘରେ ଖାଇବା ଯୋଗୁଁ ସେ ନାତୁଣୀକୁ ଗୋଇଠା ପରେ ଗୋଇଠା ମାରିଥିଲେ। ପରେ ଏକ ବାଡ଼ିରେ ମଧ୍ୟ ଅତି ନିର୍ଦ୍ଦୟ ଭାବେ ମାଡ଼ ମାରିଥିଲେ। ତେବେ ଏତିକିରେ ତାଙ୍କ ରାଗ ଶାନ୍ତ ହୋଇନଥିଲା। ଏକ କୋଠରିରେ ସେ ନାତୁଣୀକୁ ତାଲା ପକାଇ ଦେଇଥିଲେ। କୋଠରି ମଧ୍ୟରେ ଶିଶୁଟି ବିକଳରେ କାନ୍ଦିବା ସହିତ ପାଣି, ପାଣି ପାଇଁ ଚିତ୍କାର କରିଥିଲା।

ଏ ସମସ୍ତ ଘଟଣାର ଦୃଶ୍ୟକୁ କେହି ଜଣେ ମୋବାଇଲରେ ଉଠାଇ ସୋସିଆଲ୍ ମିଡିଆରେ ଛାଡ଼ି ଦେଇଥିଲେ। ଅନ୍ୟପକ୍ଷରେ ଗ୍ରାମବାସୀ, ସ୍ଥାନୀୟ ସମିତି ସଭ୍ୟ, ଅଙ୍ଗନବାଡି କର୍ମୀ, ସ୍ବେଚ୍ଛାସେବୀମାନେ ଘଟଣାସ୍ଥଳକୁ ଯାଇ ବନ୍ତଳା ପୁଲିସକୁ ଖବର ଦେଇଥିଲେ। ପୁଲିସ ସେଠାରେ ପହଞ୍ଚି ଶିଶୁକୁ ଉଦ୍ଧାର କରିବା ସହ ତାର ଜେଜେବାପା, ଜେଜେମାଙ୍କୁ ଥାନାକୁ ଆଣିଥିଲା। ଆହତ ଶିଶୁକୁ ସିଡବଲ୍ୟୁସିକୁ ହସ୍ତାନ୍ତର କରିଥିଲେ। ଏହାର ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ସଦସ୍ୟା ବିଦ୍ୟୁଲତା ମିଶ୍ର, ଭବାନୀ ଶଙ୍କର ଦାଶ ଆହତ ଶିଶୁର ଅବସ୍ଥା ଦେଖି ତାକୁ ତୁରନ୍ତ ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର