ମହିଳାଙ୍କୁ ଜିଅନ୍ତା ଜାଳିଦେଲେ

ହୀରାକୁଦ : ଝିଅ ଜନ୍ମ ପାଇଁ ବାରମ୍ବାର ନିର୍ଯାତନା ଦେଇ ଆସୁଥିଲେ। ସେହି ଝିଅ ସାମ୍ନାରେ ବାନ୍ଧି ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ। ୩ ବର୍ଷର କୁନି ଝିଅର କାନ୍ଦବୋବାଳି ବାପା କି ଆଈ ଅଜା କେହି ଶୁଣିଲେ ନାହିଁ। ଏହି ମହିଳା ଏବେ ବୁର୍ଲା ମେଡିକାଲରେ ମୃତ୍ୟୁ ସହ ଲଢ଼ୁଛନ୍ତି । ସମ୍ବଲପୁର ଜିଲ୍ଲା ହୀରାକୁଦ ଭିଏସ୍‌ଏସ୍‌ କଲୋନିରେ ମଙ୍ଗଳବାର ଅପରାହ୍ନରେ ଘଟିଥିବା ଏଭଳି ଅମାନବୀୟ ଘଟଣା ଘଟିଛି।

ହୀରାକୁଦ ଭିଏସ୍‌ଏସ୍‌ କଲୋନିର ସ୍ମୃତିରଞ୍ଜନ ନାୟକ ଓ ସେହି ଅଞ୍ଚଳର ଜ୍ୟୋତିର୍ମୟୀ ନାୟକ (୨୭ର୍ଷ)ଙ୍କ ମଧ୍ୟରେ ୨୦୦୮‌ରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ୨୦୦୯ ମସିହାରେ ଦୁହେଁ ଘରୁ ପଳାଇ କୋର୍ଟ‌ରେ ବିବାହ କରିଥିଲେ। ଏହି ଘଟଣା ପରଠାରୁ ଜ୍ୟୋତିର୍ମୟୀଙ୍କର ବାପ ଘର ସହ ଆଉ କୌଣସି ସମ୍ପର୍କ ବି ନଥିଲା। ବିବାହର କିଛି ବର୍ଷ ବେଶ୍‌ ଭଲରେ ଯିବା ପରେ ୨୦୧୨ରେ ସେମାନଙ୍କର ପ୍ରଥମ ଝିଅ ଲିନୁ ଜନ୍ମ ହୋଇଥିଲା। ଝିଅ ଜନ୍ମକୁ ନେଇ ପରିବାରରେ ଅସନ୍ତୋଷ ଦେଖାଦେଇଥିବା ବେଳେ ପରବର୍ତ୍ତୀ ସନ୍ତାନ ପୁଅ ହେବ ବୋଲି ଆଶା ବାନ୍ଧି ବସିଥିଲେ। ୨୦୧୬ମସିହାରେ ଯେତେବେଳେ ଦ୍ବିତୀୟ ସନ୍ତାନ ମଧ୍ୟ ଝିଅ ଜନ୍ମ ହେଲା ତା ପରଠାରୁ ଶାଶୂଘର ଲୋକଙ୍କ ପାଇଁ ଅଭିଶପ୍ତ ପାଲଟି ଯାଇଥି‌ଲେ ଜ୍ୟୋତିର୍ମୟୀ। ସବୁବେଳେ ଏହି କଥାକୁ ନେଇ ଶାଶୂ ଘର ଲୋକେ ତାଙ୍କୁ ନିର୍ଯାତନା ‌ମଧ୍ୟ ଦେଉଥିଲେ ।

ଏଥିରେ ଅତିଷ୍ଠ ହୋଇ ବିଗତ ୧୧ ତାରିଖ ଦିନ ଏନେଇ ଜ୍ୟୋତିର୍ମୟୀ ହୀରାକୁଦ ଥାନାର ଦ୍ବାରସ୍ଥ ହୋଇ ତାଙ୍କୁ ଅକଥନୀୟ ଅତ୍ୟାଚାର କରାଯାଉଥିବା ଅଭିଯୋଗ କରିଥିଲେ। ପୁଲିସ୍‌ ଉଭୟ ପକ୍ଷଙ୍କୁ ଡାକି ମାମଲାର ଆପୋସ ସମାଧାନ କରିଥିଲା। ତେବେ ବୁଧବାର ଅପରାହ୍ନରେ ପୁଣିଥ‌ରେ ସେମାନଙ୍କ ମଧ୍ୟରେ ଝଗଡ଼ା ହେବା ପରେ ସ୍ବାମୀ ସ୍ମୃତିରଞ୍ଜନ, ଶାଶୂ ବାସନ୍ତୀ ନାୟକ ଓ ଶ୍ବଶୁର ରଘୁନାଥ ନାୟକ ଜ୍ୟୋତିର୍ମୟୀଙ୍କୁ ଛାତ ଉପରକୁ ନେଇଯାଇଥିଲେ। ଛାତରେ ଥିବା ଏକ ରଡ଼ରେ ଜ୍ୟୋତିର୍ମୟୀଙ୍କ ଦୁଇ ହାତକୁ ଏକ ରଶିରେ ବାନ୍ଧି ଦେବା ପରେ ତାଙ୍କ ପାଟିରେ ତୁଳା ବିଣ୍ଡା ଭର୍ତ୍ତି କରି ଦେଇଥିଲେ। ପରେ ସାନ ଝିଅ ସିନୁ ନାୟକ(୩)ଙ୍କ ସମ୍ମୁଖରେ ଜ୍ୟୋତିମୟୀଙ୍କ ଉପରେ କିରୋସିନ୍‌ ଢାଳି ନିଆଁ ଲଗାଇ ଦେଇଥିଲେ। ଜ୍ୟୋତିର୍ମୟୀ ଚିତ୍କାର କରିବା ପରେ ପାଖ ପଡ଼ିଶା ଲୋକ ଉପରକୁ ଧାଇଁ ଆସିଥିଲେ। ଏହି କାଣ୍ଡ ଦେଖି ଉତ୍ୟକ୍ତ ଲୋକେ ଶ୍ବଶୁର ରଘୁନାଥଙ୍କୁ ନିସ୍ତୁକ ମାଡ଼ ମାରିବା ପରେ ଆମ୍ବୁଲାନ୍ସ ଡକାଇ ଜ୍ୟୋତିର୍ମୟୀଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରିଥିଲେ। ତାଙ୍କ ଶରୀର ନବେ ଭାଗ ପୋଡ଼ି ଯାଇଛି। ସେ ଏବେ ମୃ୍ତ୍ୟୁ ସହିତ ସଂଘର୍ଷ କରୁଛନ୍ତି।

ଜ୍ୟୋତିର୍ମୟୀଙ୍କ ବାପା କୃଷ୍ଣଚନ୍ଦ୍ର ଶତପଥୀଙ୍କ ଅଭିଯୋଗ କ୍ରମେ ହୀରାକୁଦ ପୁଲିସ୍‌ ଏକ ମାମଲା ରୁଜୁ କରିଛି। ସ୍ବାମୀ ସ୍ମୃତି ରଞ୍ଜନଙ୍କୁ ପୁଲିସ ଅଟକ ରଖି ଘଟଣାର ତଦନ୍ତ କରୁଛି। ପୀଡ଼ିତାଙ୍କ ସ୍ବାମୀ, ଶାଶୂ ଓ ଶ୍ବଶୁରଙ୍କ ବିରୋଧରେ ହତ୍ୟା ଉଦ୍ୟମ, ଯୌତୁକ ନିର୍ଯାତନା ମାମଲା ରୁଜୁ ହୋଇଥିବା ତଦନ୍ତକାରୀ ଅଧିକାରୀ ସୁନୀତି ପାଣିଗ୍ରାହୀ କହିଛନ୍ତି ।

ସମ୍ବନ୍ଧିତ ଖବର