ପତିଙ୍କୁ କାନ୍ଧରେ ଧରି ପତ୍ନୀ ବୁଲିବା ଘଟଣା : ସରକାରଙ୍କ ତଦନ୍ତ ନିର୍ଦେଶ

କୋରାପୁଟ : ନବରଙ୍ଗପୁର ଜିଲ୍ଲା ସାନମସିଙ୍ଗା ଗାଁର ଶ୍ୟାମସୁନ୍ଦର ମାଝୀଙ୍କୁ ଆରପିଏଫ କର୍ମଚାରୀ ବାଡେଇ ଦୁଇ ଗୋଡ ଭାଙ୍ଗିଦେବା ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଆଜି ଏଥିନେଇ ସମ୍ବାଦରେ ଏକ ସଚିତ୍ର ରିପୋର୍ଟର୍ ପ୍ରକାଶ ପାଇବା ପରେ ସରକାରଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ତଦନ୍ତ ନିର୍ଦେଶ ଦିଆଯାଇଛି। ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଏଡିଏମଓ ଡଃ ଅରୁଣ ପାଢୀ ଘଟଣାର ତଦନ୍ତ କରିଛନ୍ତି।

ଶ୍ୟାମ ତାଙ୍କ ପତ୍ନୀଙ୍କ ସହ ଭୁବନେଶ୍ୱରରୁ ହୀରାଖଣ୍ଡ ଏକ୍ସପ୍ରେସ ଯୋଗେ ଫେରିବା ସମୟରେ ଟିକିରି ରେଳ ଷ୍ଟେସନରେ ଓହ୍ଲାଇଥିଲେ। ଟିକିରି ରେଳବାଇ କଲୋନି ନିକଟରେ ଭୂପେଶ କୁମାର ନାମକ ଜଣେ ଆରପିଏଫ କନେଷ୍ଟବଳ ତାଙ୍କୁ ନିର୍ଦ୍ଧୁମ ପିଟିଥିଲେ। ଚୋର ସନ୍ଦେହରେ ତାଙ୍କୁ ଏମିତି ପିଟିଥିଲେ ଯେ, ଶ୍ୟାମଙ୍କର ଦୁଇଟି ଯାକ ଗୋଡ ଭାଙ୍ଗି ଯାଇଥିଲା। ଏହା ପରଠାରୁ ଶ୍ୟାମଙ୍କୁ ତାଙ୍କ ପତ୍ନୀ କାନ୍ଧରେ ବୋହି ସବୁଆଡେ ନେଉଛନ୍ତି। ଗତକାଲି ସେମାନେ କୋରାପୁଟ ଡିଆଇଜିଙ୍କ ପାଖକୁ ଆସିଥିଲାବେଳେ ସେମାନଙ୍କ କରୁଣ କାହାଣୀ ଗଣମାଧ୍ୟମ ଆଗରେ କହିଥିଲେ। ଏଥିନେଇ ଆଜି ସମ୍ବାଦରେ ରିପୋର୍ଟ ପ୍ରକାଶ ପାଇବା ପରେ ରାଜ୍ୟ ସରକାର ଏଥିନେଇ କୈଫିୟତ ତଲବ କରିଥିଲେ।

କୋରାପୁଟ ଜିଲ୍ଲା ପ୍ରଶାସନକୁ ସରକାରଙ୍କ ପକ୍ଷରୁ ଏଥିନେଇ ନିର୍ଦେଶ ଆସିବା ପରେ ଏଡିଏମଓ ଡା. ଅରୁଣ ପାଢୀଙ୍କୁ ତଦନ୍ତ କରିବାକୁ କୁହାଯାଇଥିଲା। ସେ ଆଜି ପୀଡିତଙ୍କ ସହ କଥା ହେବା ସହ ଘଟଣାର ଅନୁଧ୍ୟାନ କରିଛନ୍ତି। ଶ୍ୟାମଙ୍କୁ ଉପଯୁକ୍ତ ଚିକିତ୍ସା ମିଳିଛି କି ନାହିଁ ତାହାର ଯାଂଚ କରାଯାଇଛି। ସେହିପରି ତାଙ୍କ ସହ କ’ଣ ଅନ୍ୟାୟ ହୋଇଛି ତାହାର ଖୋଳତାଡ ଆରମ୍ଭ କରାଯାଇଛି। ଅପରପକ୍ଷରେ ଏଥିନେଇ ଆଜି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିନା କାରଣରେ ଜଣେ ଆରପିଏଫ କନେଷ୍ଟବଳ ଏମିତି ମାଡ ମାରି ଦୁଇ ଗୋଡ ଭାଙ୍ଗିବା ଘଟଣାକୁ କେହି ସହଜରେ ଗ୍ରହଣ କରି ପାରି ନାହାନ୍ତି। ତେଣୁ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର