ଋଣ ପରିଶୋଧ କରିପାରିଲେନି, ବିଷ ପିଇଦେଲେ ମହିଳା

ଭିଟାମାଟିକୁ ଯାଇପାରିଲାନି ଶବ, ୨୪ ଘଣ୍ଟା ‌ପଡି ରହିବାପରେ ସ୍ବେଚ୍ଛାସେବୀ କଲେ ସତ୍କାର

କଟକ : ମୃତ୍ୟୁ ପରେ ବି ଗାଁକୁ ଯାଇପାରିଲାନି ଶବ। ହାତରେ ଟଙ୍କା ନାହିଁ। ଫଳରେ ଗତକାଲିଠାରୁ ସ୍ତ୍ରୀର ମୃତ୍ୟୁ ଘଟିଥିଲେ ମଧ୍ୟ ଦିବ୍ୟାଙ୍ଗ ସ୍ବାମୀ କରିପାରିଲେନି ଶବସତ୍କାର। ଶେଷରେ ମୃତ୍ୟୁର ୨୪ଘଣ୍ଟା ପରେ ଆଜି ସ୍ବେଚ୍ଛାସେବୀଙ୍କ ସହଯୋଗରେ କଟକ ଖାନନଗରସ୍ଥିତ ସ୍ବର୍ଗଧାମରେ ହେଲା ମହିଳାଙ୍କ ସତ୍କାର। ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କଟକ ବଡମେଡିକାଲରେ। ଏସ୍‌ସିବିରେ ବାରମ୍ବାର ଅର୍ଥାଭାବ ସମସ୍ୟା ହେଉ କିମ୍ବା ପରିଜନଙ୍କ ପାଖରେ ସାମର୍ଥ୍ୟ ନଥିବାରୁ ଶବସତ୍କାର ପାଇଁ ଦେଖିବାକୁ ମିଳୁଛି ଏଭଳି ଦୁଃଖଦ ଦୃଶ୍ୟ। ଏସ୍‌ସିବିରେ ହରିଶ୍ଚନ୍ଦ୍ର ଯୋଜନା ଲାଗୁ କରାଗଲେ ହୁଏତ ଏଭଳି ଘଟଣା ଆଉ ଦେଖିବାକୁ ମିଳନ୍ତା ନାହିଁ ବୋଲି କହିଛନ୍ତି ସ୍ବେଚ୍ଛାସେବୀ ଅଭିମନ୍ୟୁ ଦାସ।

ବାଲେଶ୍ବର ଜିଲ୍ଲା ବାଲିକୁଟା ଗ୍ରାମର ଦିବ୍ୟାଙ୍ଗ ଶୁକୁଲୁ ସୋରେନଙ୍କ ପରିବାର କହିଲେ ସ୍ତ୍ରୀ ପାର୍ବତୀ, ୪ବର୍ଷର ପୁଅ ଓ ୬ବର୍ଷର ଝିଅ। ସ୍ବାମୀ ଦିବ୍ୟାଙ୍ଗ ହୋଇଥିବାରୁ ସ୍ତ୍ରୀ କାମଧନ୍ଦା ଓ ଚାଷ ବାସ କରି ପରିବାର ଚଳାନ୍ତି। ଏଥର ଧାରକରଜ କରି ଖରାଟିଆ ଧାନ ଚାଷ କରିଥିଲେ। କିନ୍ତୁ ସବୁ ଚାଷ ଉଜୁଡିଗଲା। ଏପଟେ ଉଧାର ଟଙ୍କା ପରିଶୋଧ କରି ନଥିବାରୁ ଘରେ ପହଞ୍ଚି ବାରମ୍ବାର ତାଗିଦ୍‌ ମଧ୍ୟ କରିଥିଲେ କରଜ ଦେଇଥିବା ଲୋକମାନେ। ପାଖରେ ଟଙ୍କାଟିଏ ନାହିଁ। କେମିତି ପରିଶୋଧ କରିବେ ଋଣ ଟଙ୍କା? ସେହି ଚିନ୍ତାରେ ଦିନ କାଟୁଥିଲେ ପାର୍ବତୀ। ଟଙ୍କା ପରିଶୋଧ କରିନଥିବାରୁ ନାନା କଥା ଶୁଣିବାକୁ ପଡୁଥିବାବେଳେ ଏହାକୁ ନେଇ ସ୍ବାମୀ -ସ୍ତ୍ରୀ ଭିତରେ ହୋଇଥିଲା ଝଗଡା। ଶେଷରେ ୧୭ତାରିଖ ଦିନ ଘରେ ବୋତଲରେ ଥିବ‌େ ବିଷ ପିଇ ଦେଇଥିଲେ ପାର୍ବତୀ। ପ୍ରଥମେ ପାର୍ବତୀଙ୍କୁ ବସ୍ତା ମେଡିକାଲ, ତାପରେ ବାଲେଶ୍ବର ଓ ପରେ ଅବସ୍ଥା ଗୁରୁତର ହେବାରୁ କଟକ ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଶନିବାର ସକାଳେ ଏସ୍‌ସିବିରେ ଭର୍ତ୍ତି ହୋଇଥିବା ପାର୍ବତୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ରବିବାର ଦିନ ମୃତ୍ୟୁ ଘଟିଥିଲା। ହେଲେ ଗତକାଲିଠାରୁ ପାର୍ବତୀଙ୍କ ମୃତ୍ୟୁ ଘଟିବା ସହ ମୃତଦେହ ବ୍ୟବଚ୍ଛେଦ ସରିଥିଲେ ବି ପାଖରେ ଟଙ୍କା ନଥିବାରୁ ସ୍ତ୍ରୀର ଶବକୁ ଗାଁକୁ ନେଇପାରିନଥିଲେ ସ୍ବାମୀ। ଗତକାଲିଠାରୁ ଏସ୍‌ସିବି ଶବସଂରକ୍ଷଣ ଗୃହରେ ତାଙ୍କର ମୃତଦେହ ରଖାଯାଇଥିବାବେଳେ ଖବରପାଇ ସ୍ବେଚ୍ଛାସେବୀ ଅଭିମନ୍ୟୁ ଦାସଙ୍କ ସହାୟତାରେ ଆଜି ଖାନ୍‌ନଗର ସ୍ବର୍ଗଧାମରେ ଦାହ କରାଯାଇଛି। ଏଥିସହ ତାଙ୍କ ସ୍ବାମୀଙ୍କୁ କିଛି ଟଙ୍କା ଦେଇ ଗାଁକୁ ପଠାଇ ଦିଆଯାଇଛି। ଏଭଳି ସ୍ଥିତିରେ ମା’ର ମୃତଦେହକୁ ମଧ୍ୟ ଦେଖିପାରିଲେନି ଦୁଇ ସନ୍ତାନ। ଏଭଳି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ଏସ୍‌ସିବିରେ ହରିଶ୍ଚନ୍ଦ୍ର ସହାୟତା ମିଳୁନଥିବାରୁ ଅନେକ ଶବ ଭିଟାମାଟିକୁ ଯାଇପାରୁନି। ସ୍ବାସ୍ଥ୍ୟ ବିଭାଗ ଗୁରୁତର ସହ ଏହି ଘଟଣାକୁ ବିଚାର କଲେ ହୁଏତ ହରିଶ୍ଚନ୍ଦ୍ର ଯୋଜନା ଏସ୍‌ସିବିରେ ଏଭଳି ଗରିବଙ୍କୁ ମିଳିପାରନ୍ତା ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର