ରାସ୍ତାରେ ଅଟକାଇ ହାଣିଲେ, ମହିଳା ମୃତ, ସ୍ବାମୀ ଓ ପୁଅ ଗୁରୁତର

ବିନିକା/ ମହାଦେବପାଲି : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ମହାଦେବପାଲି ଫାଣ୍ଡି ଘୋଡ଼ାଧାର ଗାଁରେ ରବିବାର ରାତି ପ୍ରାୟ ସାଢ଼େ ୮ଟାରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟି ଯାଇଛି। ଦୁର୍ବୃତ୍ତଙ୍କ ଆକ୍ରମଣରେ ଘୋଡ଼ାଧାର ଗାଁର ପାଞ୍ଜେଶ୍ବରୀ ଲୁହା (୫୦)ଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ବାମୀ କଣ୍ଟିଆ ଲୁହା (୬୦) ଓ ପୁଅ ବାଲେଶ୍ବର ଲୁହା (୨୨)ଗୁରୁତର ଆହତ ହୋଇଛନ୍ତି।

ଘୋଡ଼ାଧାର ଗାଁର କଣ୍ଟିଆ, ସ୍ତ୍ରୀ ପାଞ୍ଜେଶ୍ବରୀ ଓ ପୁଅ ବାଲେଶ୍ବର ଏକ ବାଇକ୍‌ରେ ନିକଟ ସଂସାମୁରା ଗାଁରୁ ନିଜ ଘରକୁ ଫେରୁଥିଲେ। ରାତି ପ୍ରାୟ ୮.୩୦ମିରେ ନିଜ ଗାଁ ଘୋଡ଼ାଧାର ସରକାରୀ ସ୍କୁଲ ପଛପଟ ରାସ୍ତାରେ ଛପି ରହିଥିବା କିଛି ଦୁର୍ବୃତ୍ତ ସେମାନଙ୍କୁ ଅଟକାଇ ଥିଲେ। କୌଣସି କଥାକୁ ନେଇ ଉଭୟ ପକ୍ଷ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ଦୁର୍ବୃତ୍ତମାନେ ତିନିଜଣଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରି ଫେରାର୍ ହୋଇ ଯାଇଥିଲେ। ଘଟଣାସ୍ଥଳରେ ପାଞ୍ଜେଶ୍ବରୀଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ସ୍ବାମୀ କଣ୍ଟିଆ ଓ ପୁଅ ବାଲେଶ୍ବରଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ସୋନପୁର ଡାକ୍ତରଖାନାକୁ ପଠାଇଥିଲେ। କଣ୍ଟିଆଙ୍କ ବେକ ଓ ବାଲେଶ୍ବରଙ୍କ ହାତରେ ଆଘାତ ଲାଗିଥିବା ଜଣାଯାଇଛି। ସୁବର୍ଣ୍ଣପୁର ଏସ୍‌ପି ଦେବୀ ପ୍ରସାଦ ଦାଶ ଓ ବିନିକା ଫାଣ୍ଡି ଅଧିକାରୀ ବସନ୍ତ ରଥ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।

ସମ୍ବନ୍ଧିତ ଖବର