କେନ୍ଦୁଝର : ମରିଗଲା ମାନବିକତା। ରୋଗ ଯନ୍ତ୍ରଣାରେ ଛଟପଟ ଜଣେ ମହିଳାଙ୍କୁ ବସ୍ରୁ ଓହ୍ଲାଇଦେଲେ। ରାସ୍ତାକଡ଼ରେ ଘଣ୍ଟାଏ କାଳ ଛଟପଟ ହେଲେ ମହିଳା ଜଣକ। ଗାଡ଼ି ନମିଳିବାରୁ ସ୍ଥାନୀୟ ଡାକ୍ତରଖାନାକୁ ବି ଯାଇ ପାରିନଥିଲେ। ସ୍ବାମୀ ଅସହାୟ ଅବସ୍ଥାରେ ଜଗି ରହିଥିଲେ। ୧୦୮ ଆମ୍ବୁଲାନ୍ସ ମଧ୍ୟ ପହଞ୍ଚି ନଥିଲା। ବହୁ ସମୟ ପରେ ଏକ ଅଟୋରେ ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ। ମାତ୍ର ସେତେବେଳକୁ ମହିଳାଙ୍କ ମୃତ୍ୟୁ ହୋଇସାରିଥିଲା। ଏମିତି ହୃଦୟବିଦାରକ ଘଟଣା ଘଟିଛି କେନ୍ଦୁଝର ସଦର ବ୍ଲକ୍ ବରଦାପାଳ ଗ୍ରାମରେ।
/sambad/media/post_attachments/wp-content/uploads/2020/02/Ill-Women-Dies_PNG.png)
ସନ୍ତାନ ପ୍ରସବ ପରେ ରକ୍ତହୀନତା ଓ ପୁଷ୍ଟିକର ଖାଦ୍ୟ ଅଭାବରୁ ଉଭୟ ମା’ ଓ ଦୁଇମାସର ଶିଶୁଙ୍କ ଅବସ୍ଥା ଗୁରୁତର ରହିଥିଲା। ଶେଷରେ ମା’ ଆଖି ବୁଜିଛନ୍ତି। ଶିଶୁପୁତ୍ର ଅସହାୟ ହୋଇପଡ଼ିଛି। ମୃତ ମହିଳା ହେଲେ ଉପରକୁସୁମିତାର କୁନି ପ୍ରଧାନ (୨୫)। ଦେଢ଼ବର୍ଷ ତଳେ ବଲାଣିର ଦିଲୀପ ନାଏକ ତାଙ୍କୁ ଦ୍ବିତୀୟ ବିବାହ କରିଥିଲେ। ଗତ ଡିସେମ୍ବର ୨୩ ରେ କୁନି ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ସେବେଠାରୁ ସେ ତାଙ୍କ ପୈତୃକ ଘର ଉପରକୁସୁମିତାରେ ରହୁଥିଲେ। ପ୍ରସବକାଳୀନ ଅସୁସ୍ଥତା ଓ ପୁଷ୍ଟିକର ଖାଦ୍ୟ ଅଭାବରୁ ତାଙ୍କଠାରେ ରକ୍ତହୀନତା ଦେଖା ଦେଇଥିଲା। ଖବରପାଇ ଦିଲୀପ ବଲାଣିରୁ ଉପରକୁସୁମିତାକୁ ଆସି ଆଜି ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରୁ ଫେରି ଦୁହେଁ ବଲାଣି ଯିବାକୁ ଗାଁରୁ ଏକ ବସ୍ରେ ଚଢ଼ିଥିଲେ। ମାତ୍ର ୪ କିଲୋମିଟର ରାସ୍ତା ଯିବା ପରେ କୁନି ଅସୁସ୍ଥ ହୋଇପଡ଼ିଥିଲେ। ଏଭଳି ଅବସ୍ଥାରେ ବରଦାପାଳ ଛକରେ ଉଭୟଙ୍କୁ ବସ୍ରୁ ଓହ୍ଲାଇ ଦିଆଯାଇଥିଲା। ବରଦାପାଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବା ପାଇଁ ଅଟୋଟିଏ ବି ମିଳିନଥିଲା। ୧୦୮କୁ ଫୋନ କରିଥିଲେ ବି ଆସିନଥିଲା। ପାଖାପାଖି ଘଣ୍ଟାଏ କାଳ ସେହି ରାସ୍ତାରେ କୁନି ପଡ଼ିରହି ଛଟପଟ ହୋଇଥିଲେ। ଘଣ୍ଟାଏ ପରେ ଏକ ଅଟୋ ଆସୁଥିଲା। ସେଥିରେ ତାଙ୍କୁ ବରଦାପାଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କର ୨ ମାସର ଶିଶୁପୁତ୍ରର ଅବସ୍ଥା ମଧ୍ୟ ଗୁରୁତର ରହିଛି। ଚାଇଲ୍ଡ ଲାଇନକୁ ଖବର ଦେବା ପରେ ଏହାର କର୍ମକର୍ତ୍ତାମାନେ ଆସି ଶିଶୁଟିକୁ ଡାକ୍ତରଖାନା ନେଇଥିଲେ। ଦୁଇମାସର ଶିଶୁଟିକୁ କିପରି ଲାଳନପାଳନ କରିବେ ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଦିଲୀପ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/Ill-Women-Dies_Thumbnail-1.jpg)