ଜମିବାଡ଼ି ବିବାଦରୁ ଆକ୍ରମଣ : ପୁତୁରାକୁ ବଞ୍ଚାଇବାକୁ ଯାଇ ମହିଳା ମୃତ

ଓଡ଼ଗାଁ : ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଓଡ଼ଗାଁ ଥାନା ଅନ୍ତର୍ଗତ ଗୌଡ଼ପୁଟ ପଞ୍ଚାୟତ ଯଦୁପୁର ଗ୍ରାମରେ ଗତକାଲି ରାତିରେ ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ମୃତା ମହିଳାଙ୍କ ନାମ ସୁମିତ୍ରା ବେହେରା (୫୨)।

ଅଭିଯୋଗ ଅନୁଯାୟୀ, ଯଦୁପୁର ଗ୍ରାମର ସ୍ୱର୍ଗତ ପାଣୁ ବେହେରାଙ୍କ ଜମିବାଡି ଭାଗବଣ୍ଟାକୁ ନେଇ ୩ ପୁଅ ରାଜକିଶୋର, ସୁଦର୍ଶନ ଓ ଫକୀରଙ୍କ ମଧ୍ୟରେ ଦୀର୍ଘ ୧ ବର୍ଷ ହେଲା ବିବାଦ ଲାଗି ରହିଥିଲା। ଗତକାଲି ସନ୍ଧ୍ୟାରେ ମଝିଆ ଭାଇ ସୁଦର୍ଶନଙ୍କ ପତ୍ନୀ ଗୌରୀ ଓ ସାନଭାଇ ଫକୀରଙ୍କ ପରିବାର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଖବର ପାଇ ଓଡ଼ଗାଁ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚ ଆପୋସ ସମାଧାନ କରିବା ପାଇଁ ପରାମର୍ଶ ଦେଇ ଫେରିଥିଲା। ତେବେ ରାତି ୯ଟା ବେଳେ ସୁଦର୍ଶନ ଗୌରୀ ଗୌଡ଼ପୁଟ ଗ୍ରାମର ତାଙ୍କର କିଛି ସମ୍ପର୍କୀୟଙ୍କୁ ଫୋନ୍‌ ଯୋଗେ ଡକାଇଥିଲେ। ସେମାନେ ଘରେ ପଶି ଫକୀର (୫୦), ତାଙ୍କ ପତ୍ନୀ ସୂରୁଜ (୪୫) ଓ ପୁଅ ପ୍ରତାପ (୨୨)ଙ୍କୁ ନିସ୍ତକ ମାଡ଼ ମାରିଥିଲେ। ପ୍ରତାପ ଜୀବନବିକଳରେ ବଡ଼ବାପା ରାଜକିଶୋରଙ୍କ ଘରେ ପଶି ଯାଇଥିଲା। ତେବେ ଆକ୍ରମଣକାରୀମାନେ ତାଙ୍କ ଘରେ ପଶି ପ୍ରତାପକୁ ମାଡ଼ ମାରୁଥିବା ବେଳେ ରାଜକିଶୋରଙ୍କ ପତ୍ନୀ ସୁମିତ୍ରା (୫୨) ଏହାର ପ୍ରତିବାଦ କରିବାରୁ ସେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ଅଭିଯୁକ୍ତମାନଙ୍କ ଆକ୍ରମଣରେ ସୁମିତ୍ରା ଗୁରୁତର ଆହତ ହେବା ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ନୟାଗଡ଼ ଓ ପରେ ଭୁବନେଶ୍ୱର ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ୍‌ ୩ ଜଣଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚାଲୁ ରଖିଛି।

ସମ୍ବନ୍ଧିତ ଖବର