ଟ୍ରକ୍‌ ଚାପାରେ ମହିଳା ମୃତ

ବୋଲଗଡ଼ : ଖୋର୍ଧା ଜିଲ୍ଲା ବୋଲଗଡ଼ ଥାନା ଅଧୀନ ୫୭ ନମ୍ବର ଜାତୀୟ ରାଜପଥର ରାଜସୁନାଖଳା ଗଣେଶ ବଜାର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଟ୍ରକ୍‌ ଚକା ତଳେ ଚାପି ହୋଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳାଜଣଙ୍କ ହେଲେ, ବାଙ୍କୋଇ ପଞ୍ଚାୟତର ଗର୍ଭଣୀପଡ଼ା ଗ୍ରାମର ଭାବଗ୍ରାହୀ ପାଇକରାୟଙ୍କ ପତ୍ନୀ ସରୋଜିନୀ ପାଇକରାୟ (୨୯)। ସେହିପରି ଏହି ଦୁର୍ଘଟଣାରେ ସରୋଜିନୀଙ୍କ ଭଉଣୀ ଗୀତାଞ୍ଜଳି ବିଶ୍ୱାଳ (୨୭) ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଭୁବେନଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି।

ଦୁଇ ଭଉଣୀଯାକ ଆଜି ଦିନ ପ୍ରାୟ ସାଢ଼େ ୧ଟା ବେଳେ ଏକ ସ୍କୁଟି (ଓଡି୨୫-୧୫୪୪)ରେ ଗୋଡ଼ିଆଳି ଗ୍ରାମରୁ ରାଜସୁନାଖଳା ବଜାରକୁ ଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା। ସେମାନେ ପୁରୁଣା ବସଷ୍ଟାଣ୍ଡ ଛକ ପାର୍‌ ହେଉଥିବା ବେଳେ ଭୁବନେଶ୍ୱରରୁ ନୟାଗଡ଼ ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା ଏକ ସିମେଣ୍ଟ ବୋଝେଇ ଟ୍ରକ୍‌ (ଓଆର୍‌- ୦୯ଏନ୍‌-୧୧୪୩) ତାଙ୍କୁ ଧକ୍କା ଦେଇଥିଲା। ସ୍କୁଟି ଚାଳକ ସରୋଜିନୀ ଟ୍ରକ୍‌ ଚକା ତଳେ ଚାପି ହୋଇଯିବାରୁ ଘଟଣାସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ମୃତ ମହିଳାଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଦିନ ସାଢ଼େ ଗୋଟାଏରୁ ଅପରାହ୍‌ଣ ସାଢ଼େ ୩ଟା ପର୍ଯ୍ୟନ୍ତ ଜାତୀୟ ରାଜପଥ ଅବରୋଧ କରିଥିଲେ।

ସମ୍ବନ୍ଧିତ ଖବର