ମୃତ ମହିଳା ବଞ୍ଚିଛି ବୋଲି କୋକେଇରୁ ନେଲେ ହସ୍ପିଟାଲ

ରାଉରକେଲା : ଆଜି ରାଉରକେଲା ସରକାରୀ ଡାକ୍ତରଖାନାରେ ମୃତ ଘୋଷିତ ଜଣେ ମହିଳାଙ୍କୁ ନେଇ ଅଜବ ଘଟଣା ଘଟିଛି। ପ୍ରଥମେ ଅନ୍ତିମ ସତ୍କାର ପାଇଁ ଘରକୁ ନେବା ପରେ ତାଙ୍କ ଦେହରେ ପୁଣି ପ୍ରାଣ ସଞ୍ଚାର ହୋଇଥିବା ଅନୁଭବ କରିଥିଲେ ପରିବାର ଲୋକେ। ଏହାପରେ ଡାକ୍ତରଖାନା ନେଇଥିଲେ। ଡାକ୍ତର ପୁଣିଥରେ ମୃତ ଘୋଷଣା କରିବା ପରେ ଯାଇ ଶବ ସତ୍କାର କରିଥିଲେ। ରାଉରକେଲା ସେକ୍ଟର-୬ ଜି ବ୍ଲକ ନିକଟ ବସ୍ତିରେ ଏହିଭଳି ଏକ ଘଟଣା ଘଟିଛି।

ମୃତ ମହିଳାଙ୍କ ସ୍ବାମୀ ପୀୟୂଷ ଲୋହାରଙ୍କ କହିବା ଅନୁସାରେ, ସେ ବସ୍ତିର ଶୁକ୍ରୁ ମହାନନ୍ଦଙ୍କ ଝିଅ ସୁକାନ୍ତିଙ୍କୁ ୨ ବର୍ଷ ତଳେ ପ୍ରେମ ବିବାହ କରିଥିଲେ। ସ୍ବାମୀ ସ୍ତ୍ରୀ ସେକ୍ଟର-୬ ତାରିଣୀ ମନ୍ଦିର ପଡ଼ାରେ ରହୁଥିଲେ। ତେବେ ସୁକାନ୍ତି ରକ୍ତଶିକୁଳି ରୋଗରେ ପୀଡ଼ିତ ଥିବାରୁ ବହୁ ସମୟରେ ତାଙ୍କୁ ରକ୍ତ ଦେବାକୁ ପଡ଼ୁଥିଲା। କୁଲି ମଜୁରି କରି ପ୍ରତିପୋଷଣ କରୁଥିବା ସ୍ବାମୀ ପୀୟୂଷ ସୁକାନ୍ତିଙ୍କୁ ଭଲ କରିବା ପାଇଁ ନିଜ ସାଧ୍ୟମତେ ଅର୍ଥ ଖର୍ଚ୍ଚ କରି ଚାଲିଥିଲେ। କିନ୍ତୁ ସୁକାନ୍ତି ସବୁବେଳେ ଅସୁସ୍ଥ ରହୁଥିଲେ। ଗତ ୧୫ ଦିନ ତଳେ ଗୁରୁତର ଅସୁସ୍ଥ ସୁକାନ୍ତିଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେତେବେଳେ ତାଙ୍କୁ ୩ ୟୁନିଟ ରକ୍ତ ଦିଆଯାଇଥିଲା। ସେଠାରୁ ସାମାନ୍ୟ ସୁସ୍ଥ ହୋଇ ଫେରିବା ପରେ ସୁକାନ୍ତି ସ୍ବାମୀଙ୍କ ସହ ଆନନ୍ଦରେ ଦଶରା ମେଳା ବୁଲିଥିଲେ। କିନ୍ତୁ ଗତକାଲି ହଠାତ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିବାରୁ ସନ୍ଧ୍ୟା ୭ଟାରେ ତାଙ୍କୁ ପୁଣି ଆର‌୍‌ଜିଏଚ୍‌ରେ ଭର୍ତ୍ତି କରିଥିଲେ ସ୍ବାମୀ। ତେବେ ଚିକିତ୍ସା ଚାଲିଥିବା ବେଳେ ଆଜି ସକାଳ ୮ଟାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ପରେ ଦିନ ୧୨ଟାରେ ମୃତଦେହକୁ ମହାପ୍ରୟାଣ ଗାଡ଼ିରେ ସେକ୍ଟର-୬ ବସ୍ତିସ୍ଥିତ ବାପଘରକୁ ନିଆଯାଇଥିଲା। ସେଠାରେ ଶବ ସତ୍କାର ପାଇଁ କୋକେଇ ପ୍ରସ୍ତୁତ କରିବା ସହ ହିନ୍ଦୁ ରୀତି ଅନୁସାରେ ମୃତଦେହରେ ହଳଦୀ ଲଗାଉଥିବା ବେଳେ ମୃତାଙ୍କ ହାତଗୋଡ଼ ହଲିବା ସହ ଶିଥିଳ ଦେହରେ ଉତ୍ତାପ ସଞ୍ଚରିଥିବା ପରିବାର ଲୋକେ ଅନୁଭବ କରିଥିଲେ । ଏହା ପରେ ତାଙ୍କୁ ପୁଣି ଇସ୍ପାତ ଜେନେରାଲ ହସ୍ପିଟାଲକୁ ନେଇଥିଲେ ପରିବାର ଲୋକେ। ହେଲେ ସେଠାରେ ଡାକ୍ତର ପରୀକ୍ଷା କରି ତାଙ୍କର ମୃତ୍ୟୁ ହୋଇଯାଇଥିବା କହିବା ପରେ ଜ୍ଞାତିସ୍ବଜନ ଶବକୁ ଆଣି ଅପରାହ୍ନ ୪ଟାରେ ବେଦବ୍ୟାସ ଶ୍ମଶାନ ଘାଟରେ ସତ୍କାର କରିଥିଲେ।

ସମ୍ବନ୍ଧିତ ଖବର