ମା ସାଜି ବିଧବା ବୋହୂକୁ ଅନ୍ୟତ୍ର ବିବାହ କରାଇଲେ ପ୍ରତିମା, ସମାଜ ପାଇଁ ସୃଷ୍ଟି କଲେ ଅନନ୍ୟ ଉଦାହରଣ

ତାଳଚେର : ଯେଉଁ ସମାଜରେ ଶାଶୂଘର ଲୋକେ ଯୌତୁକ ଦାବି କରି ବୋହୂକୁ ଜୀବନରେ ମାରି ଦେବା ଭଳି ଘଟଣା ନିୟମିତ ଘଟୁଥାଏ ସେଭଳି ଏକ ସମାଜକୁ ତାଳଚେର ବ୍ଲକ୍ ଗୋବରା ଗ୍ରାମର ପ୍ରତିମା ବେହେରା ଭଳି ନାରୀ ଦିଗ୍‌ଦର୍ଶନ ଦେଖାଇଛନ୍ତି। ପୁଅ ମୃତ୍ୟୁର ଦୁଇ ମାସ ନ ବିତୁଣୁ ନିଜେ ବୋହୂର ମା’ ସାଜି ବୋହୂକୁ ବିବାହ ଦେଇଛନ୍ତି ପ୍ରତିମା। ପ୍ରତିମାଙ୍କ ଏଭଳି କାର୍ଯ୍ୟକୁ ପ୍ରଶାସନ ସମେତ ସାଧାରଣ ଲୋକେ ବି ପ୍ରଶଂସା କରିଛନ୍ତି।

ଭରତପୁର କୋଇଲା ଖଣି ଦୁର୍ଘଟଣାରେ ତାଳଚେର ବ୍ଲକ୍ ଗୋବରା ଗ୍ରାମର ରକି ବେହେରାଙ୍କ ମୃତ୍ୟୁ ହୋଇଥିଲା। ଏକ ଘରୋଇ କମ୍ପାନିରେ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ବେଳେ ରକି କୋଇଲା ଗଦା ତଳେ ଚାପି ହୋଇ ପ୍ରାଣ ହରାଇଥିଲେ। ଏହି ଘଟଣାର ଚାରି ମାସ ପୂର୍ବରୁ ଅନୁଗୁଳ ଜିଲ୍ଲା ତୁରଙ୍ଗ ଗ୍ରାମର ଲିଲି ବେହେରାଙ୍କୁ ରକି ବିବାହ କରିଥିଲେ। ସ୍ୱାମୀଙ୍କ ଏଭଳି ଆକସ୍ମିକ ମୃତ୍ୟୁକୁ ହଠାତ୍ ବିଶ୍ୱାସ କରି ପାରି ନଥିଲେ ଲିଲି। ଏହି ଘଟଣାକୁ ଦେଢ଼ ମାସ ବିତି ଯାଇଥିଲେ ବି ସ୍ୱାମୀଙ୍କୁ ମନେ ପକାଇ କାନ୍ଦିବା ସହ ବାରମ୍ବାର ମୂର୍ଚ୍ଛା ଯାଉଥିଲେ ଲିଲି। ବୋହୂର ଏଭଳି ଦୁଃଖକୁ ଶାଶୂ ପ୍ରତିମା ବେଶ ବୁଝି ପାରିଥିଲେ। ଦୁଇ ବର୍ଷ ପୂର୍ବରୁ ନିଜ ସ୍ୱାମୀଙ୍କୁ ହରାଇଥିଲେ ପ୍ରତିମା। ତେଣୁ ୨୦ ବର୍ଷର ବୋହୂ ସେଭଳି କଷ୍ଟ ନପାଉ ଏହି କଥା ଭାବି କାହାକୁ କିଛି ନ ଜଣାଇ ପାତ୍ର ସନ୍ଧାନ କରିବାରେ ଲାଗି ପଡ଼ିଲେ। ବୋହୂ ପ୍ରଥମେ ବିବାହ ପାଇଁ ଅରାଜି ଥିଲା। ତେବେ ସମସ୍ତେ ବୁଝାସୁଝା କରିବା ପରେ ରାଜି ହେଲା। ଗ୍ରାମରେ ତେଜରାତି ଦୋକାନ କରିଥିବା ଅନୁଗୁଳ ହେମସୁରପଡ଼ାର ସଂଗ୍ରାମ ବେ‌‌‌ହେରାଙ୍କ ସହିତ ଲିଲିଙ୍କର ବିବାହ ସେ ସ୍ଥିର କରିଥିଲେ। ଗୁରୁବାର ଦିନ ରାଜକିଶୋରପଡ଼ା ଜଗନ୍ନାଥ ମନ୍ଦିରର ବୈଦିକ ରୀତିରେ ବାହାଘର ସଂପନ୍ନ ହୋଇଛି। ନିଜେ ପ୍ରତିମା କନ୍ୟା ମାତା ସାଜି କନ୍ୟାଦାନ କରିଥିଲେ। ପୂର୍ବରୁ ମଧ୍ୟ କିଛି ଭିନ୍ନ କାର୍ଯ୍ୟ କରି ରାଜ୍ୟ ସରକାରଙ୍କ ଦ୍ୱାରା ଉଚ୍ଚ ପ୍ରଂଶସିତ ହୋଇଥିଲେ ପ୍ରତିମା। ୨୦୦୮ ମସିହାରେ ସରପଞ୍ଚ ଥିବା ବେଳେ ଗୋବରା ପଞ୍ଚାୟତର ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ଏକ ହଜାର ପାଇଖାନା ନିର୍ମାଣ କରାଇଥିଲେ। ଏଥିପାଇଁ ସେ ଗ୍ରାମ୍ୟ ଜଳ ଓ ପରିମଳ ମିଶନ ଦ୍ୱାରା ସାରା ରାଜ୍ୟରେ ଏକ ନମ୍ବର ସ୍ଥାନ ଅଧିକାର କରି ମୁଖ୍ୟମନ୍ତ୍ରୀଙ୍କଠାରୁ ୨ ଲକ୍ଷ ଟଙ୍କା ଓ ପ୍ରଶଂସାପତ୍ର ପାଇଥିଲେ। ସେହିସମୟରେ ପ୍ରତିମା ନୂଆଦିଲ୍ଲୀ ଯାଇ ପରିମଳ ସଂକ୍ରାନ୍ତୀୟ ଅନୁଭୂତିକୁ ଜାତୀୟ ପଞ୍ଚାୟତ ପ୍ରତିନିଧିଙ୍କ ସମ୍ମିଳନୀରେ ବର୍ଣ୍ଣନା କରିଥିଲେ।

ସମ୍ବନ୍ଧିତ ଖବର