ଡ୍ରେନ୍‌ରେ ପ୍ରସବ

ମେଡିକାଲରୁ ତଡ଼ିଦେଲେ!

କୋରାପୁଟ : ଗର୍ଭ ଯନ୍ତ୍ରଣା ପାଇ ମହିଳା ଜଣେ ଧାଇଁ ଯାଇଥିଲେ ମେଡିକାଲ ଲେବର ରୁମ୍‌କୁ। ହେଲେ ସେଠାରୁ ତାଙ୍କୁ ତଡ଼ି ଦିଆଗଲା। ମମତା କାର୍ଡ ଓ ଟିକେଟ୍‌ ନେଇ ଆସିବାକୁ କୁହାଗଲା। ଅଗତ୍ୟା କାର୍ଡ ପାଇଁ ଘରକୁ ଫେରିଲା ବେଳକୁ ଗର୍ଭଯନ୍ତ୍ରଣା ଅସହ୍ୟ ହେଲା। ଉପାୟ ନପାଇ ସେହି ମେଡିକାଲ ପରିସରରେ ଥିବା ଏକ ଡ୍ରେନ୍‌ ଭିତରେ ସନ୍ତାନ ପ୍ରସବ କଲେ ମହିଳାଜଣକ। ଅତ୍ୟନ୍ତ ଅସୁରକ୍ଷିତ ଭାବେ ପ୍ରସୂତି ଓ ନବଜାତ ଶିଶୁ ଅଧାଘଣ୍ଟାରୁ ଅଧିକ ସମୟ ସେମିତି ଡ୍ରେନ୍‌ ଭିତରେ ପଡ଼ି ରହିବା ପରେ ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ସରକାରଙ୍କ ଜନନୀ ସୁରକ୍ଷା ଯୋଜନାକୁ ଖୋଲା ବିଦ୍ରୂପ କରୁଥିବା ଏଭଳି ଏକ ଅଭାବନୀୟ ଘଟଣା ଆଜି କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଦେଖିବାକୁ ମିଳିଛି।

ଘଟଣାରୁ ଜଣାପଡ଼ିଛି ଯେ କୋରାପୁଟ ସଦର ବ୍ଲକ ମସ୍ତିପୁଟ ପଞ୍ଚାୟତ ଜାନିଗୁଡା ଗ୍ରାମର ରଘୁ ମୁଦୁଲିଙ୍କ ଦେହ ଭଲ ନ ଥିବାରୁ ସେ ଗତ ବୁଧବାର ସହିଦ୍‌ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ଦେଖିବା ପାଇଁ ଗତକାଲି ରାତିରୁ ଆସିଥିଲେ ପତ୍ନୀ ଦମାଇ। ଆଜି ସକାଳ ପ୍ରାୟ ସାଢେ ୭ଟା ବେଳକୁ ଦମାଇଙ୍କ ପେଟରେ ହଠାତ୍‌ ଯନ୍ତ୍ରଣା ହୋଇଥିଲା। ସେ ଗର୍ଭବତୀ ଥିବାରୁ ଲେବର ରୁମ୍‌କୁ ଯାଇ ନର୍ସଙ୍କୁ ଏଥିନେଇ ଜଣାଇଥିଲେ। ଏପରିକି ଗର୍ଭ ଯନ୍ତ୍ରଣା କଥା କହିଥିଲେ। କିନ୍ତୁ ତାଙ୍କ କଥାକୁ ଗୁରୁତ୍ୱ ଦେଇ ନ ଥିଲେ ସଂପୃକ୍ତ ନର୍ସ। ମମତା କାର୍ଡ ନେଇ ଆସିବାକୁ କହିଥିଲେ। ତେଣୁ ଦମାଇ ନିରାଶରେ ସେଠାରୁ ଫେରି ଆସିଥିଲେ। ମେଡିକାଲ ପରିସରରେ ଥିବା କ୍ୟାଣ୍ଟିନ ନିକଟରେ ତାଙ୍କ ଯନ୍ତ୍ରଣା ଅଧିକ ହେବାରୁ କ୍ୟାଣ୍ଟିନ ପଛପଟକୁ ଚାଲି ଯାଇଥିଲେ। ପ୍ରସବ ବେଦନା ସହି ନପାରି ସେଠାରେ ଥିବା ଏକ ଡ୍ରେନ ଭିତରେ ସେ ପଶିଯାଇଥିଲେ। ସେଠାରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ବିପଜ୍ଜନକ ଅବସ୍ଥାରେ ସନ୍ତାନ ପ୍ରସବ ପରେ ପ୍ରାୟ ଅଧାଘଣ୍ଟା ଧରି ସେଠାରେ ପଡି ରହିଥିଲେ ଦମାଇ। ଏହି ଘଟଣା ନେଇ ତାଙ୍କ ସଂପର୍କୀୟମାନେ ପାଟିତୁଣ୍ଡ କରିବାରୁ କିଛି ସମୟ ପରେ ମେଡିକାଲ କର୍ତ୍ତୃପକ୍ଷ ସେଠାରେ ପହଞ୍ଚିଥିଲେ। ସେହିଠାରେ ହିଁ ନବଜାତ ଶିଶୁର ନାହି କାଟିବା ପରେ ଡମାଇଙ୍କୁ ମେଡିକାଲ ଭିତରକୁ ନେଇଥିଲେ। ଏବେ ଉଭୟଙ୍କର ଚିକିତ୍ସା ଚାଲିଥିବା ବେଳେ ସେମାନେ ସୁସ୍ଥ ଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି।

ମେଡିକାଲ ପରିସରରେ ଏକ ଡ୍ରେନ ଭିତରେ ଜଣେ ଗର୍ଭବତୀ ସନ୍ତାନ ପ୍ରସବା କରିବା ଘଟଣା ଆମ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଥିବା ଛିଦ୍ରକୁ ପଦାରେ ପକାଇ ଦେଇଛି। ଏହି ଘଟଣା ଜଣାପଡିବା ପରେ ଚାରିଆଡୁ ସମାଲୋଚନାର ସ୍ୱର ଉଠିଛି। ଏଥିନେଇ ଏଡିଏମଓ ଡା. ପର୍ଶୁରାମ ଚଂପତ୍ତିରାୟଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କୁ ଦେଖିବାକୁ ମେଡିକାଲ ଆସିଥିଲେ। ଆଜି ସକାଳେ ଶୌଚ ପାଇଁ ବାହାରକୁ ଯାଇଥିବା ସମୟରେ ସନ୍ତାନ ପ୍ରସବ ହୋଇଗଲା। ଏବେ ସେମାନଙ୍କୁ ଡାକ୍ତରଖାନାରେ ରଖାଯାଇ ଚିକିତ୍ସା କରାଯାଉଛି। ଡାକ୍ତରଖାନାରୁ ସେମାନଙ୍କୁ ଫେରାଇ ଦିଆଯାଇଥିବା ଯେଉଁ ଅଭିଯୋଗ ହେଉଛି ତାହା ସତ ନୁହେଁ। ତଥାପି ଏଥିନେଇ ତଦନ୍ତ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର