କାଶୀପୁର: ଗଛ ମୂଳେ ଶିଶୁପୁତ୍ରକୁ ଜନ୍ମ ଦେଲେ ପ୍ରସୂତି

ରାୟଗଡ଼ା/ଟିକିରି : ଜନନୀ ଯନ୍ତ୍ରଣାର ଅଭାବନୀୟ ଦୃଶ୍ୟ ପୁଣି ଦେଖିବାକୁ ମିଳିଛି କାଶୀପୁର ବ୍ଲକର ସର୍ଗିଗୁଡ଼ା ଗ୍ରାମରେ। ପ୍ରସବ ପାଇଁ ଡାକ୍ତରଖାନା ଆସୁଥିବା ସମୟରେ ଗଛ ମୂଳେ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି ପ୍ରସୂତି। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଟିକିରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସା ପରେ ମା’ ଓ ଶିଶୁ ସୁସ୍ଥ ଥିବା ଡାକ୍ତର ପ୍ରକାଶ କରିଛନ୍ତି।

ଗୋରଖପୁର ଗ୍ରାମର ସୀମାଦ୍ରି ନାୟକଙ୍କ ପତ୍ନୀ ମାମୁନି ନାୟକ ଆଜି ସକାଳେ ଗର୍ଭ ଯନ୍ତ୍ରଣା ଅନୁଭବ କରିଥିଲେ। ପରିବାର ଲୋକ ମାମୁନିଙ୍କୁ ଚିକିତ୍ସା ପାଇଁ ଟିକିରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତରଖାନାରେ ୪ଘଣ୍ଟା ଅପେକ୍ଷା କରିବା ପରେ ମଧ୍ୟ ପ୍ରସବ ହୋଇନଥିଲା। ଫଳରେ ଡାକ୍ତର ମାମୁନିଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ୧୦୨ ଆମ୍ବୁଲାନସ୍ ଯୋଗେ ମାମୁନିଙ୍କୁ ରାୟଗଡ଼ା ଡାକ୍ତରଖାନାକୁ ଅଣାଯାଉଥିବା ସର୍ଗିଗୁଡ଼ା ଗାଁ ନିକଟରେ ମାମୁନି ପରିଶ୍ରା ଯିବା ପାଇଁ ଆମ୍ବୁଲାନସରୁ ଓହ୍ଲାଇଥିଲେ। ଏହି ସମୟରେ ଏକ ଗଛମୂଳେ ମାମୁନି ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଆମ୍ବୁଲାନ୍ସ କର୍ମଚାରୀ ଓ ପରିବାର ଲୋକ ସଙ୍ଗେ ସଙ୍ଗେ ମାମୁନିକୁ ପୁଣି ଟିକିରି ମେଡିକାଲକୁ ଫେରାଇ ଆଣି ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଡା. ଅନୀଲ କୁମାର ବେହେରା ନବଜାତ ଶିଶୁ ଓ ମାର ଚିକିତ୍ସା ଆରମ୍ଭ କରିଥିଲେ। ଚିକିତ୍ସା ପରେ ଉଭୟେ ସୁସ୍ଥ ଅଛନ୍ତି। ତରବରିଆ ଭାବେ ଡାକ୍ତର ଟିକିରିରୁ ରାୟଗଡ଼ାକୁ ସ୍ଥାନାନ୍ତର କରିବା କାରଣରୁ ଏପରି ଘଟିଲା ବୋଲି ମାମୁନିଙ୍କ ସ୍ବାମୀ ସୀମାଦ୍ରି ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର