୧୪ ଘଣ୍ଟା ପରେ ପିଠିରୁ ବାହାରିଲା ତୀର : ଅଳି ପାଇଲେ ନୂଆ ଜୀବନ

କଟକ/ଆନନ୍ଦପୁର : ଦୀର୍ଘ ୧୪ ଘଣ୍ଟା କାଳ ପିଠିରେ ପଶି ରହିଥିଲା ତୀର। ଯନ୍ତ୍ରଣାରେ ଛଟପଟ ହେଉଥିଲେ କେନ୍ଦୁଝର ଜିଲ୍ଲା ଘସିପୁରା ଥାନା କାଠପାଳ ଗାଁର ୩୨ ବର୍ଷୀୟା ମହିଳା ଅଳି ଜେନା। କଟକ ବଡ଼ ମେଡିକାଲ ହୃଦବକ୍ଷ ଶଲ୍ୟ ଚିକିତ୍ସା ବିଭାଗରେ ଦୀର୍ଘ ସାଢେ ତିନି ଘଣ୍ଟାର ଅସ୍ତ୍ରୋପଚାର କରାଯାଇ ସେହି ତୀରକୁ ବାହାର କରାଯାଇଛି। ଅସ୍ତ୍ରୋପଚାର ପରେ ଅଳିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ବେଳେ ତାଙ୍କୁ ଆଇସିୟୁରେ ରଖାଯାଇଛି। ସପ୍ତାହେ ତଳେ କେନ୍ଦୁଝର ଜିଲ୍ଲାର ବିଷ୍ଣୁ ମହାକୁଡ଼ଙ୍କ ଛାତିରୁ ସଫଳତାର ସହିତ କାଠ ଖୁଣ୍ଟା ବାହାର କରାଯାଇଥିବା ବେଳେ ଆଜି ଅଳିଙ୍କ ପିଠିରୁ ତୀର ବାହାର କରାଯିବା ଘଟଣା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।

ସୂଚନା ଅନୁସାରେ, ଅଳି ଜେନା(୩୨)ଙ୍କ ସହିତ ସେହି ଗାଁର ଅଭିମନ୍ୟୁ ଜେନାଙ୍କର ପାଟିତୁଣ୍ଡ ହୋଇଥିଲା। ଅଭିମନ୍ୟୁ ଗାଁ ଦାଣ୍ଡରେ ତାଙ୍କ ପିଠିକୁ ଧନୁତୀର ମାରି ଥିଲେ। ଫଳରେ ଗୁରୁତର ଅବସ୍ଥାରେ ମହିଳାଙ୍କୁ ପରିବାର ଲୋକ ଏକ ବାଇକ୍‌ରେ ୨୦ କିଲୋମିଟର ପର୍ଯ୍ୟନ୍ତ ଆଣି ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆମ୍ବୁଲାନ୍ସରେ କଟକ ବଡମେଡିକାଲକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ତାଙ୍କ ଅବସ୍ଥା ଗୁରୁତର ଥିବା ଓ ଛାତିରେ ରକ୍ତ ଜମାଟ ବାନ୍ଧିଥିବାରୁ ତୁରନ୍ତ ଆଶୁ ଚିକିତ୍ସା କେନ୍ଦ୍ରରେ ତାଙ୍କର ପ୍ରାଥମିକ ଅସ୍ତ୍ରୋପଚାର କରାଯାଇଥିଲା। ପରେ ଆଜି ସକାଳ ପ୍ରାୟ ସାଢେ ୯ଟାରେ କାର୍ଡିଓଥୋରାସିସ୍‌ ଓଟିରେ ଭର୍ତ୍ତି କରାଯାଇଥିଲା। ଦିନ ସାଢେ ୧୨ଟାରେ ଆରମ୍ଭ ହୋଇଥିଲା ଅସ୍ତ୍ରୋପଚାର। ବିଭାଗର ମୁଖ୍ୟ ଡାକ୍ତର ପ୍ରଫେସର ମନୋଜ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଆସିଷ୍ଟାଣ୍ଟ୍‌ ପ୍ରଫେସର(ସର୍ଜରୀ) ଡାକ୍ତର ସାରଦା ପ୍ରସନ୍ନ ସାହୁ, ପିଜି ଛାତ୍ର ଡାକ୍ତର ଚିତ୍ତରଞ୍ଜନ ଥାଟୋଇ, ନିଶ୍ଚେତକ ବିଭାଗ ଡାକ୍ତର କଲ୍ୟାଣୀବାଳା ନାଏକ, ଡାକ୍ତର ଅରୁଣ କୁମାର ସାହୁ, ଡାକ୍ତର ସତ୍ୟରଞ୍ଜନ ସାହୁ ପ୍ରମୁଖ ଏଥିରେ ସହଯୋଗ କରିଥିଲେ। ଦୀର୍ଘ ସାଢେ ତିନିଘଣ୍ଟାର ଅସ୍ତ୍ରୋପଚାର ପରେ ତାଙ୍କ ବାମପଟ ପିଠି ଦେଇ ଫୁସଫୁସ ଡେଇଁ ହୃତପିଣ୍ଡ ପର୍ଯ୍ୟନ୍ତ ପଶିଥିବା ଦେଢ ଫୁଟ ଲମ୍ବ ଓ ଦେଢ ଇଞ୍ଚ ଗୋଲେଇର ତୀରକୁ ବାହାର କରାଯାଇଥିଲା।

ସମ୍ବନ୍ଧିତ ଖବର