ଏସ୍‌ସିବିରେ ମହିଳା ମାଓବାଦୀ!

କଟକ : ଏସ୍‌ସିବି ମେଡିକାଲ୍‌ ଡାଇରିଆ ଓ୍ଵାର୍ଡରେ ଜଣେ ମହିଳା ମାଓବାଦୀ ଚିକିତ୍ସିତ ହୋଇଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ବଡ୍‌ବିଲ୍‌ ଅଞ୍ଚଳରୁ ଅନୀତା ଦାସ ନାମକ ଜଣେ ମହିଳାଙ୍କୁ ଝାଡ଼ାବାନ୍ତି ହେଉଥିବାରୁ ଗତକାଲି ସଂଧ୍ୟାରେ ତାଙ୍କୁ କାଜୁଆଲ୍‌ଟିରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଜଣେ ଅଜଣା ବ୍ୟକ୍ତି ଏସ୍‌ସିବିକୁ ଆଣିଥିଲେ। ଆଜି ତାଙ୍କୁ ଡାଇରିଆ ଓ୍ଵାର୍ଡକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଆଟେଣ୍ଡାଣ୍ଟଙ୍କୁ ଯୋଗାଯୋଗ କରାଯିବାରୁ ସେ କିଛି ଜାଣିନଥିବା କହି ଫୋନ୍‌ କାଟିଦେଇଥିଲେ। ଏଥିସହିତ ଓ୍ଵାର୍ଡରେ ଭର୍ତ୍ତି ହୋଇଥିବା ମହିଳା ଜଣଙ୍କର ଗତିବିଧି ସନ୍ଦେହ ଜନକ ଥିବା ଡାକ୍ତର ଓ ନର୍ସିଂ କର୍ମଚାରୀମାନେ ପୁଲିସ୍‌କୁ ରିପୋର୍ଟ ଦେଇଥିବା ଜଣାପଡ଼ିଛି। ତେବେ ଏନେଇ ପୁଲିସ୍‌ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନଥିଲାବେଳେ ମହିଳା ଜଣକ ଦିନ ପ୍ରାୟ ୨ଟା ପରଠୁ ଓ୍ଵାର୍ଡରୁ କେଉଁଆଡେ ଚାଲିଯାଇଥିବା ସୂଚନା ମିଳିଛି। ଏହାକୁ ନେଇ ମେଡିକାଲ୍‌ ପକ୍ଷରୁ ଲିଭ୍‌ ଏଗେନ୍‌ଷ୍ଟ ମେଡିକାଲ୍‌ ଆଡଭାଇସ୍‌ (ଲାମା) କରାଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର