ରାଉରକେଲା : ଅନ୍ତଃସତ୍ତ୍ୱା ପତ୍ନୀ ଥାଇ ମାତାଲ ସ୍ୱାମୀ ନିଜକୁ ଅବିବାହିତ କହି ଜଣେ ଯୁବତୀଙ୍କୁ ବିବାହ କରି ଏବେ ଜେଲ୍ରେ। ଦୁଇ ଦିନ ତଳେ ସାରନଗରୀ ଅଞ୍ଚଳରେ ଘଟିଥିବା ଏଭଳି ସ୍ପର୍ଶକାତର ଘଟଣାର ଚର୍ଚ୍ଚା ଥମି ନଥିବା ବେଳେ ସ୍ଥାନୀୟ ସିଭିଲ୍ ଟାଉନ୍ସିପ୍ରେ ଜଣେ ବିବାହିତା ନିଜକୁ କୁଆଁରୀ କହି ଦ୍ୱିତୀୟ ବିବାହ କରିବା ସହରବାସୀଙ୍କୁ ତଟସ୍ତ କରିଛି। ବ୍ୟବସାୟୀ ସ୍ୱାମୀ ମନଞ୍ଜୟ ଚୌବେ ବନାରସ ଯାଇଥିବା ବେଳେ ପତ୍ନୀ ଅନ୍ୟ ଜଣେ ପୁରୁଷଙ୍କୁ ବେଦିରେ ବାହା ହେବା ଓ ଚତୁର୍ଥୀ ଭୋଜିରେ ପ୍ରଥମ ସ୍ୱାମୀ ପହଞ୍ଚି ଉଭୟଙ୍କ ବିବାହର ଫଟୋ ବିବାହ ପଞ୍ଜୀକରଣ ସାର୍ଟିଫିକେଟ୍ ଦେଖାଇ ରଘୁନାଥପାଲି ଥାନାରେ ଫେରାଦ ହେବା ‘ଆନ୍ତର୍ଜାତିକ ମହିଳା ଦିବସ’ରେ ଚର୍ଚ୍ଚିତ ହୋଇଛି। ତେବେ ପୁଲିସ୍ଠାରୁ ନ୍ୟାୟ ନପାଇ ମନଞ୍ଜୟ ଶେଷରେ କୋର୍ଟ ଯିବାକୁ ଓକିଲଙ୍କ ସହାୟତା ନେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସ୍ଥାନୀୟ ମିଡିଆ କ୍ଲବରେ ସାମ୍ବାଦିକ ସମ୍ମିଳନୀ ଡାକି ପ୍ରତାରିତ ଶ୍ରୀ ଚୌବେ ଓ ତାଙ୍କ ଓକିଲ ରମେଶ ବଳ ଏହି ଚର୍ଚ୍ଚିତ ଘଟଣାର ଅବତାରଣା କରିଥିଲେ। ବନ୍ଧମୁଣ୍ଡାର ଦେବ ନାରାୟଣ ଚୌବେଙ୍କ ପୁଅ ମନଞ୍ଜୟ ବେଦବ୍ୟାସରେ ଓମ୍ ଶ୍ରୀ ସାଇ ଡିଜେଲ୍ ନାମକ ଏକ ବ୍ୟବସାୟିକ ସଂସ୍ଥା ଚଲାଉଛନ୍ତି। ରାଉରକେଲା ଏଚ୍ଡିଏଫ୍ସିରେ କାମ କରୁଥିବା ଜଗଦାର ଜଣେ ସୁନ୍ଦରୀ ତଥା ଶିକ୍ଷିତା ଯୁବତୀଙ୍କ ସହ ମନଞ୍ଜୟଙ୍କ ୨୦୧୩ରେ ସାକ୍ଷାତ ହୋଇଥିଲା। ଧିରେ ଧିରେ ଦୁହେଁ ଦୁହିଁଙ୍କୁ ଭଲ ପାଇ ବସିଥିଲେ। ପ୍ରେମ ନିବିଡ଼ ହେବା ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ମାତ୍ର ମନଞ୍ଜୟଙ୍କ ରକ୍ଷଣଶୀଳ ପରିବାର ଏହାକୁ ଗ୍ରହଣ ନକରିବାରୁ ସେ ପ୍ରେମିକାଙ୍କୁ ଜୀବନ ସାଥୀ କରିବା ନିଷ୍ପତ୍ତି ନେଇ ଘର ଛାଡ଼ିଥିଲେ। ୨୦୧୬ ସେପ୍ଟେମ୍ବର ୧୭ରେ ପାନପୋଷ କୋର୍ଟରେ ସେମାନଙ୍କ ବିବାହ ପଞ୍ଜୀକରଣ ହୋଇଥିଲା। ଏହା ପରେ ମନଞ୍ଜୟ ପତ୍ନୀଙ୍କୁ ନେଇ ସିଭିଲ୍ଟାଉନ୍ସିପ୍ରେ ଭଡ଼ା ଘର ନେଇ ରହୁଥିଲେ। ଇତିମଧ୍ୟରେ ପତ୍ନୀ ଏଚ୍ଡିଏଫ୍ସିରୁ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କରେ ଯୋଗ ଦେଇଥିଲେ। ପତ୍ନୀଙ୍କୁ ଖୁବ ଭଲ ପାଉଥିଲେ ମନଞ୍ଜୟ। ଏପରିକି ବର୍ଷେ ତଳେ ବଜାରକୁ ଆସିଥିବା ମାରୁତି ସୁଜୁକି ସିଆଜ୍ କାର୍ ଚଢ଼ିବାକୁ ପତ୍ନୀ ମନ ବଳାଇବା ମାତ୍ରେ ସେହି ଦିନ ହିଁ ଅର୍ବିଟ୍ ମୋଟର୍ସରୁ କାର୍ କିଣି ସେ ତାଙ୍କୁ ଉପହାର ଦେଇଥିଲେ। ଦୀର୍ଘ ଅଢ଼େଇ ବର୍ଷ ଧରି ପତି-ପତ୍ନୀଙ୍କ ମଧ୍ୟରେ ସବୁ ଠିକ୍ଠାକ୍ ଚାଲିଥିଲା।
ଗତ ଫେବ୍ରୁଆରି ୨୩ ତାରିଖରେ ମନଞ୍ଜୟ ବ୍ୟବସାୟିକ କାର୍ଯ୍ୟରେ ବନାରସ ବାହାରିଲେ। ପତ୍ନୀ ତାଙ୍କୁ ପ୍ରେମରେ ପ୍ରେମରେ ବାଟେଇ ଦେଇ ନିଜ ବାପ ଘର ଜଗଦାକୁ ଯାଇଥିଲେ। ବନାରସ ଯାଇଥିଲେ ବି ମନଞ୍ଜୟ ପତ୍ନୀଙ୍କୁ ଫୋନ୍ କରି ଭଲମନ୍ଦ ବୁଝୁଥିଲେ। ହେଲେ ମାର୍ଚ୍ଚ ୪ ତାରିଖ ସକାଳେ ପତ୍ନୀ ଆଉ ଫୋନ୍ ଧରି ନଥିଲେ। ବାରମ୍ବାର କଲ୍ କଲା ପରେ ସେ ନିରୁତ୍ତର ରହିବାରୁ ମନଞ୍ଜୟ ଶ୍ୱଶୂରଙ୍କୁ ଫୋନ୍ କଲେ। ସେ ବି ଫୋନ୍ କାଟି ଦେଇଥିଲେ। ମନଞ୍ଜୟଙ୍କ ମନକୁ ପାପ ଛୁଇଁଲା। ସେ ଅଜଣା ନମ୍ବରରୁ ଶାଶୁଙ୍କୁ ଫୋନ ଲଗାଇଲେ। ଶାଶୁ ରିସିଭ୍ କରିବା ପରେ ସ୍ମରଣୀକା (ଛଦ୍ମନାମ) କେଉଁଠି ବୋଲି ପଚାରିଲେ। ଜ୍ୱାଇଁ ମନଞ୍ଜୟଙ୍କ ସ୍ୱର ବାରି ପାରି ନଥିଲେ ଶାଶୁ। କହିଲେ, ଝିଅ ବିବାହ ସରିଛି, ଆଜି ରିସେପ୍ସନ୍ ପାଇଁ ବ୍ୟୁଟି ପାର୍ଲର୍ ଯାଇଛି। ଶାଶୁଙ୍କ କଥା ଶୁଣିବା ପରେ ହତ୍ଚକିତ ମନଞ୍ଜୟ କାଳବିଳମ୍ବ ନକରି ସେହି ରାତିରେ ରାଉରକେଲା ଫେରି ଆସିଥିଲେ। ଆସି ଶୁଣିଲେ ଯେ ବେଙ୍ଗାଲୁରୁରେ ରିଲାଏନ୍ସ ଜିଓ କମ୍ପାନିରେ ଚାକିରି କରୁଥିବା ସିଭିଲ୍ଟାଉନ୍ସିପ୍ର ପ୍ରିୟରଞ୍ଜନ ଦାସଙ୍କୁ ତାଙ୍କ ପତ୍ନୀ ଗତ ୪ ତାରିଖରେ ବିବାହ କରିଛି। ୭ରେ ବିବାହ ଭୋଜି। ଏହା ଜାଣିବା ପରେ ମନଞ୍ଜୟ ତାଙ୍କର କିଛି ବନ୍ଧୁ ସହ ରଘୁନାଥପାଲି ଥାନାକୁ ଆସି ବିବାହ ପ୍ରମାଣପତ୍ର ଦେଖାଇ ବିବାହ ରୋକିବାକୁ ଅନୁରୋଧ କରିଥିଲେ। ହେଲେ ପୁଲିସ କିଛି ଶୁଣି ନଥିଲା। ଶେଷରେ ସେ ଗତକାଲି ସିଭିଲ୍ଟାଉନ୍ସିପ୍ରେ ଆୟୋଜିତ ଭୋଜିକୁ ଯାଇ ତାଙ୍କ ପ୍ରେମ ଓ ବିବାହ ବେଳର ଫଟୋ ପତ୍ନୀଙ୍କ ମୁହଁକୁ ଫୋପାଡ଼ି ଚାଲି ଆସିଥିଲେ। ନିଜକୁ ଅବିବାହିତା କହି ବିବାହ କରିଥିବାରୁ ଏହି ଘଟଣା ନବବଧୂଙ୍କ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିଲା।