ଯୌତୁକ ଲୋଭରେ ସ୍ତ୍ରୀକୁ ହତ୍ୟା ଉଦ୍ୟମ : ନ୍ୟାୟ ପାଇଁ ମହିଳା କମିସନର ଦ୍ୱାରସ୍ଥ

ଭୁବନେଶ୍ୱର : ସ୍ତ୍ରୀକୁ ଛାଡ଼ି ଆଉ ଜଣେ ମହିଳା ସହ ସଂପର୍କ ରଖିବା, ବିରୋଧ କଲେ ସାଇ ପଡ଼ିଶାଙ୍କ ଆଗରେ ସ୍ତ୍ରୀର ଚରିତ୍ରକୁ ନେଇ ମିଛ ଅପପ୍ରଚାର କରିବା ଏବଂ ଯୌତୁକ ପାଇଁ ସ୍ତ୍ରୀକୁ ହତ୍ୟା ଉଦ୍ୟମ କରିବା ଓ ୪ବର୍ଷର ଝିଅ ସହ ଘରୁ ତଡ଼ି ଦେବା ଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ାର ଭଞ୍ଜାକୋଲା ପୋଖରୀସାହିରେ। ନିଜ ସ୍ୱାମୀଙ୍କଠାରୁ ଏମିତି ବାରମ୍ବାର ନିର୍ଯାତିତ ହେବା ପରେ ମହିଳା ଜଣ ସ୍ଥାନୀୟ ପୁଲିସଠାରୁ ନିରାଶ ହୋଇ ଶେଷରେ ଆଜି ନ୍ୟାୟ ପାଇଁ ମହିଳା କମିସନଙ୍କ ଦ୍ୱାରସ୍ଥ ହୋଇଛନ୍ତି।

୨୦୧୩ରେ ପୋଖରୀସାହିର ଶୁକଦେବ ସାହୁଙ୍କ ସାନ ପୁଅ ସୁଶାନ୍ତଙ୍କ ସହ ଡାୟଣଗିରିର ଗୋଲଖ ଦାସଙ୍କ ଝିଅ ଗୀତାଞ୍ଜଳିଙ୍କ ବାହାଘର ହୋଇଥିଲା। ବାହାଘର ସମୟରେ ଗୋଲଖ ଯୌତୁକ ଆକାରରେ ନଗଦ ୫୦ ହଜାର ଟଙ୍କା ସହ ବିଭିନ୍ନ ଗୃହୋପକରଣ ନେଇଥିଲେ। କିନ୍ତୁ ଶାଶୂଘର ଲୋକ ଅଧିକ ଯୌତୁକ ଲୋଭରେ ବାହାଘରର ୩ ମାସ ପରେ ଗୀତାଞ୍ଜଳିଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ସୁଶାନ୍ତ ପେସାରେ ଜଣେ ଶ୍ରମିକ ଠିକାଦାର। ସେ ଓଡ଼ିଶାରୁ ଲୋକ ନେଇ ଗୁଜୁରାଟରେ ଠିକା କାମ କରନ୍ତି। ଏହି କାମରେ ତାଙ୍କୁ ବାରମ୍ବାର ଟଙ୍କା ଦରକାର ପଡ଼ିଥାଏ। ତେଣୁ ସେ ବାପଘରୁ ଟଙ୍କା ଆଣିବା ପାଇଁ ଗୀତାଞ୍ଜଳିଙ୍କ ଉପରେ ଚାପ ପକାନ୍ତି। କିନ୍ତୁ ବାପାଙ୍କର ଆର୍ଥିକ ଅବସ୍ଥା ଭଲ ନଥିବାରୁ ଗୀତାଞ୍ଜଳି ଏହାକୁ ବାରଣ କରନ୍ତି। ଫଳରେ ଶାଶୂଘର ଲୋକଙ୍କୁ ତାଙ୍କୁ ମାଡ଼ ମରନ୍ତି। ଏକ ଶିଶୁ କନ୍ୟାକୁ ଜନ୍ମ ଦେଲା ପରେ ଗୀତାଞ୍ଜଳିଙ୍କ ଉପରେ ଶାଶୂଘର ଲୋକଙ୍କ ନିର୍ଯାତନା ବଢ଼ିବାରେ ଲାଗିଥିଲା।

ଗୀତାଞ୍ଜଳିଙ୍କ ଅଭିଯୋଗ ଅନୁଯାୟୀ ମେ ମାସ ୭ ତାରିଖ ରାତିରେ ସେ ଶୋଇଥିବା ଘରେ ତାଙ୍କ ସ୍ୱାମୀ ନିଆଁ ଲଗାଇ ଦେଇଥିଲେ। କୌଣସି ମତେ ସେ ଆଉ ତାଙ୍କ ଝିଅ ଘରୁ ଚାଲିଆସିବାରୁ ଅଳ୍ପକେ ବଞ୍ଚିଯାଇଥିଲେ। ଏ ନେଇ ସେ ରାଜକନିକା ଥାନାରେ ଅଭିଯୋଗ କରିଥିଲେ କିନ୍ତୁ ସେଠାରେ ତାଙ୍କ କଥା କେହି ଶୁଣି ନଥିଲେ। ପରେ ସେ ମହିଳା କମିସନ୍‌ଙ୍କ ଦ୍ୱାରସ୍ଥ ହୋଇଥିଲେ। ମହିଳା କମିସନ ତାଙ୍କ ସ୍ୱାମୀଙ୍କୁ ଡକାଇ ଘଟଣାର ଆପୋସ ସମାଧାନ କରି ଦୁହିଁଙ୍କୁ ଘରକୁ ପଠାଇଥିଲେ। ଗୋଟେ ମାସ ଠିକ୍‌ଠାକ୍‌ ଚାଲିଲାପରେ ପୁଣି ଆଗଭଳି ମାଡ଼ ଗାଳି ଆରମ୍ଭ ହୋଇଥିଲା ବୋଲି ଅଭିଯୋଗ କରିଛନ୍ତି ଗୀତାଞ୍ଜଳି। ତେଣୁ ସେ ଆଜି ପୁଣିଥରେ ମହିଳା କମିସନଙ୍କ ଦ୍ୱାରସ୍ଥ ହୋଇଥିଲେ। ମହିଳା କମିସନ ତାଙ୍କ ସ୍ୱାମୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇ ନଥିଲା। ଚଳିତ ମାସ ୨୧ ତାରିଖ ସୁଦ୍ଧା ଏହି ଘଟଣାର ସମାଧାନ ହେବ ବୋଲି ମହିଳା କମିସନ ଗୀତାଞ୍ଜଳିଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର