ଆର୍‌ଜିଏଚକୁ ନେଇ ଚର୍ଚ୍ଚା ଥମିନି : ବାରଣ୍ଡାରେ ପଡ଼ି ରୋଗୀ ମୃତ୍ୟୁ!

ରାଉରକେଲା : ରାଉରକେଲା ସରକାରୀ ହସ୍ପିଟାଲ୍‌(ଆର୍‌ଜିଏଚ)କୁ ଏକ ମେଡ଼ିକାଲ କଲେଜ ଓ ସୁପର୍‌ ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର, ଏହି ପ୍ରତିଶ୍ରୁତି ପୂରଣ ନ ହେବାରୁ ମୁକ୍ତିକାନ୍ତ ବିଶ୍ୱାଳ ନାମକ ଯୁବକ ନୂଆଦିଲ୍ଲୀ ପର୍ଯ୍ୟନ୍ତ ପଦାଯାତ୍ରା କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଟ୍ଵିଟ୍‌ କରିବା ପରେ ଏହି ଘଟଣାକୁ ନେଇ ଜାତୀୟ ସ୍ତରରେ ଚର୍ଚ୍ଚା ହୋଇଛି। ତେବେ, ଏହାର ଗୋଟିଏ ଦିନ ପରେ ପୁଣିଥରେ ଚର୍ଚ୍ଚାକୁ ଆସିଛି ଆର୍‌ଜିଏଚ୍‌। ବାରଣ୍ଡାରେ ଛଟ ପଟ ହୋଇ ଆଜି ଜଣେ ମହିଳା ରୋଗୀଙ୍କ ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ଅନୁସାରେ, ନୂଆଗାଁ ବ୍ଲକ୍‌ ଅନ୍ତର୍ଗତ ହାତୀବାରି ପାହାଡ଼ଟୋଲାର ଆନନ୍ଦ ଡାଙ୍ଗଙ୍କ ପତ୍ନୀ ଆଶାମତୀ ଲତା ଡାଙ୍ଗ(୩୫) ମେଲେରିଆରେ ପୀଡ଼ିତ ହୋଇ ଚଳିତ ମାସ ୨ ତାରିଖ ଦିନ ଚିକିତ୍ସା ପାଇଁ ହାତୀବାରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ଜୁନ୍‌ ୧୧ ତାରିଖ ଦିନ ତାଙ୍କୁ ଡାକ୍ତରଖାନାରୁ ଛାଡ଼ କରାଯାଇଥିଲା। ଘରକୁ ଯିବା ପରେ ତାଙ୍କର ଭୀଷଣ ପେଟ ବିନ୍ଧା ହେବାରୁ ସେ ହସ୍ପିଟାଲକୁ ନ ଆସି ଦେଶୀ ପଦ୍ଧତିରେ ପେଟରେ ଚେଙ୍କ ଦେଇ ଚିକିତ୍ସିତ ହୋଇଥିଲେ। ଗତକାଲି ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଥିଲା। ଚିକିତ୍ସା ପାଇଁ ତାଙ୍କୁ ହାତୀବାରି ସିଏଚ୍‌ସିରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟବସ୍ଥାରେ ଅବନ୍ନତି ହେଉଥିବାରୁ ଆର୍‌ଜିଏଚ୍‌ ଯାଇ ଚିକିତ୍ସିତ ହେବାକୁ ହାତୀବାରି ଡାକ୍ତର ତାଙ୍କୁ ପରାମର୍ଶ ଦେଇଥିଲେ। ଆର୍ଥିକ ସ୍ଥିତି ଖରାପ ଥିବାରୁ ଗତକାଲି ଆଶାମତୀ ରାଉରକେଲା ଆସି ପାରିନଥିଲେ। ଆଜି ସକାଳ ୯ଟା ବେଳେ ଆଶାମତୀଙ୍କୁ ଧରି ତାଙ୍କ ସ୍ୱାମୀ ଆର୍‌ଜିଏଚ୍‌ ଆସିଥିଲେ। ନାମ ପଞ୍ଜିକରଣ ପାଇଁ ଆର୍‌ଜିଏଚ୍‌ ଆଗରେ ଲମ୍ବା ଧାଡ଼ି ଲାଗି ରହିଥିଲା। ପ୍ରଥମେ ଆଶାବତୀ ଧାଡ଼ିରେ ଛିଡ଼ା ହୋଇଥିଲେ। କିଛି ସମୟ ପରେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କ ସ୍ୱାମୀ ଧାଡ଼ିରେ ଛିଡ଼ା ହେଲେ। ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ତାଙ୍କୁ ଚିଠା ମିଳିପାରିଲା ନାହିଁ। ଅସୁସ୍ଥ ଆଶାବତୀ ଆଉଟ୍‌ଡୋରର ଏକ ଚୌକିରେ ବସିଥିଲେ। ଚିକିତ୍ସା ପାଇଁ ବିଳମ୍ବ ହେଉଥିବାରୁ ସେ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ସାଢେ ପୂର୍ବାହ୍ନ ସାଢେ ୧୦ଟା ବେଳେ ସେ ସ୍ୱାମୀଙ୍କୁ ପାଣି ପିଇବାକୁ ମାଗି ଚୌକିରୁ ତଳକୁ ଟଳି ପଡ଼ିଥିଲେ। ଲୋକେ ତାଙ୍କୁ ବାରଣ୍ଡାରୁ ଉଠାଇ ଡାକ୍ତରଙ୍କ ପାଖକୁ ନେଇଥିଲେ। ସେତେବେଳକୁ ତାଙ୍କର ମୃତ୍ୟୁ ଘଟିଥିଲା।

ଏହି ଘଟଣା ପରେ ଡାକ୍ତରଖାନାରେ ଉପସ୍ଥିତ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ନାମପଞ୍ଜିକରଣ, ଚିକିତ୍ସା ଓ ବିଭିନ୍ନ ପରୀକ୍ଷା ପାଇଁ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ା କରାଯାଉଥିବାରୁ ମହିଳାଙ୍କ ମୃତ୍ୟୁ ହେଲା ବୋଲି ସେମାନେ ଅଭିଯୋଗ କରି ଆର୍‌ଜିଏଚ୍‌ କର୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।
ଅନ୍ୟପକ୍ଷରେ, ମୁକ୍ତିକାନ୍ତଙ୍କ ପଦଯାତ୍ରା ପରେ ଜାତୀୟ ସ୍ତରରେ ଚର୍ଚ୍ଚାକୁ ଆସିଥିବା ଆର୍‌ଜିଏଚ୍‌କୁ କେବଳ ସୁପର୍‌ ସ୍ପେଶାଲିଟିରେ ପରିଣତ ନୁହେଁ, ଉତ୍ତମ ସ୍ୱାସ୍ଥ୍ୟସେବା ପାଇଁ ବ୍ୟବସ୍ଥା କରାଯିବା ଉଚିତ ବୋଲି ବହୁ ବୁଦ୍ଧିଜୀବୀ କହିଛନ୍ତି।

ସମ୍ବନ୍ଧିତ ଖବର