ହଜାରେ ଟଙ୍କାରେ ଶିଶୁ ବିକ୍ରି

କେନ୍ଦୁଝର : ହଜାରେ ଟଙ୍କା ଓ ୩ଟି ଶାଢ଼ି ବଦଳରେ ଏକ ନବଜାତ ଶିଶୁକୁ ବିକ୍ରି କରିଦିଆଯାଇଥିଲା। ଘଟଣା ପ୍ରଘଟ ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ହସ୍ତକ୍ଷେପ କରି ଶିଶୁଟିକୁ ଉଦ୍ଧାର କରିଛି। ବିକ୍ରି ହୋଇଥିବା ଶିଶୁଟିକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏବେ ଚିକିତ୍ସା କରାଯାଉଛି।

ବାଂଶପାଳ ବ୍ଲକ ଗୋନାସିକାସ୍ଥିତ ଗୁପ୍ତଗଙ୍ଗା ଗ୍ରାମର ଜଣେ ମହିଳା ସ୍ୱାମୀଙ୍କ ମୃତ୍ୟୁ ପରେ ବାପଘରେ ରହୁଥିଲେ। ସୋମବାର ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ମା’ ଓ ଶିଶୁପୁତ୍ର ଅସୁସ୍ଥ ହେବାରୁ ତାଙ୍କୁ ଚାଇଲ୍‌ଡ୍‌ ଲାଇନ୍‌ ପକ୍ଷରୁ ଚିକିତ୍ସା ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଙ୍ଗଳବାର ଭର୍ତ୍ତି କରାଯାଇଥିଲା। କିନ୍ତୁ ବୁଧବାର ସକାଳୁ ସଂପୃକ୍ତ ମହିଳାଙ୍କ ପାଖରେ ଶିଶୁଟି ନଥିଲା। ଏ ସଂପର୍କରେ ଖୋଳତାଡ଼ ବେଳେ ଶିଶୁଟିକୁ ଲୋକଲଜ୍ଜା ଭୟରେ ମହିଳା ଜଣଙ୍କ ବିକ୍ରି କରି ଦେଇଥିବା ଜଣାପଡ଼ିଥିଲା। ମା’ଜଣକ ଶିଶୁଟିକୁ ହସ୍ପିଟାଲର କେତେକ କର୍ମଚାରୀଙ୍କ ସହାୟତାରେ ବିକ୍ରି କରି ଦେଇଥିଲା। ଶିଶୁବିକ୍ରି ବାବଦକୁ ମାତ୍ର ୧ ହଜାର ଟଙ୍କା ଓ ୩ଟି ଶାଢ଼ି ମଳିଥିଲା। ଏହା ଜଣାପଡ଼ିବା ପରେ ଆଜି ସକାଳୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ପକ୍ଷରୁ ଖୋଳତାଡ଼ କରାଯାଇ ପୁରୁଣାବଜାରର ଧନୁ ନାଏକଙ୍କ ପାଖରୁ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ଏବେ ଶିଶୁଟିକୁ ତା’ର ପ୍ରକୃତ ମା’ଙ୍କୁ ହସ୍ତାନ୍ତର କରାଯିବା ସହିତ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏସ୍‌ଏନ୍‌ସିୟୁରେ ଭର୍ତ୍ତି କରାଯାଇଛି।

ଏ ସଂପର୍କରେ ଶିଶୁଟିକୁ କିଣିଥିବା ଧନୁ ନାଏକ କହିଛନ୍ତି, ମୁଁ ନିଃସନ୍ତାନ ଥିବାରୁ ଜଣେ ନର୍ସ ମୋତେ ଖବର ଦେବାରୁ ହସ୍ପିଟାଲରୁ ଯାଇ ଶିଶୁଟିକୁ ଆଣିଥିଲି।

ଏ ସଂପର୍କରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଦେବାଙ୍ଗନା ବାରିକ୍‌ କହିଛନ୍ତି, ଏ ସଂପର୍କରେ ଆଜି ଆମେ ଖବର ପାଇବା ପରେ ଅନୁସନ୍ଧାନ କରି ଶିଶୁଟି ପୁରୁଣା ବଜାରରର ଧନୁ ନାଏକଙ୍କୁ ବିକ୍ରି ହୋଇଥିବା ଜାଣିବାକୁ ପାଇଲୁ । ପରବର୍ତ୍ତୀ ସମୟରେ ଶିଶୁଟିକୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏ ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସ୍ୱପ୍ନେଶ୍ୱର ଗଡନାୟକଙ୍କୁ ପଚାରିବାରୁ ସେ କୌଣସି ମତାମତ ଦେଇ ନ ଥିଲେ।

ଜଳେଶ୍ୱରରେ ଶିଶୁ ବିକ୍ରି ଘଟଣାର ତଦନ୍ତ ଆରମ୍ଭ : ଚାଇଲଡ୍‌ଲାଇନ୍‌ ହେପାଜତକୁ ଗଲା ଶିଶୁକନ୍ୟା

ଜଳେଶ୍ୱର : ଜଳେଶ୍ୱର ମ୍ୟୁନସିପାଲିଟି ଅଧୀନ ପଞ୍ଚୁଘଣ୍ଟା ଗ୍ରାମର ଜଣେ ମହିଳା ତାଙ୍କର ୩ ମାସର ଶିଶୁକନ୍ୟାକୁ ୧୦ ହଜାର ଟଙ୍କାରେ ବିକିଦେବା ଘଟଣାରେ ଆଜି ବାଲେଶ୍ୱର ଚାଇଲଡ୍‌ଲାଇନ୍‌ ଦ୍ୱାରା ତଦନ୍ତ ଆରମ୍ଭ ହୋଇଛି। ଗତକାଲି ଏକ ସ୍ୱୟଂସହାୟକ ଗୋଷ୍ଠୀ ଦ୍ୱାରା ଉଦ୍ଧାର ହୋଇଥିବା ସମ୍ପୃକ୍ତ ଶିଶୁକୁ ତାର ବାପାମାଆ ନେବାକୁ ରାଜି ନ ହେବାରୁ ଆଜି ଚାଇଲଡ୍‌ଲାଇନ୍‌ ଶିଶୁକନ୍ୟାକୁ ନିଜ ହେପାଜତକୁ ନେଇଛି।

ଜିତେନ୍ଦ୍ର ହେମ୍ବ୍ରମଙ୍କ ସ୍ତ୍ରୀ ସାବିତ୍ରୀ ନିଜ ନବଜାତ ଶିଶୁକନ୍ୟାକୁ ୧୦ ହଜାର ଟଙ୍କାରେ ବିକି ଦେବାକୁ ଚାହୁଁଥିଲେ। ମାତୃଶକ୍ତି ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଓ ସ୍ଥାନୀୟ ଅଧିବାସୀଙ୍କ ଦ୍ୱାରା ଉକ୍ତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଥିଲା। ହେଲେ ଶିଶୁକନ୍ୟାର ବାପାମାଆ ତାକୁ ଆପଣେଇବାକୁ ରାଜି ନ ହେବାରୁ ଜଳେଶ୍ୱର ପୁଲିସ ହାତରେ ଶିଶୁକନ୍ୟାକୁ ଜିମା ଦିଆଯାଇଥିଲା। ପରେ ଶିଶୁକନ୍ୟାର ଜେଜେମା ମାଣିକ ହେମ୍ବ୍ରମ୍‌ ଲିଖିତ ଭାବେ ଶିଶୁଟିକୁୁ ଗ୍ରହଣ କରିଥିଲେ। ବାଲେଶ୍ୱରରୁ ଚାଇଲଡ୍‌ଲାଇନ୍‌ର ଜଣେ ମହିଳା ପଦାଧିକାରୀ ଜଳେଶ୍ୱରରେ ପହଞ୍ଚିବା ପରେ ଏଠାରୁ ଶିଶୁକନ୍ୟାକୁ ବାଲେଶ୍ୱର ନିଆଯାଇ କୁରୁଡ଼ାସ୍ଥିତ ନିର୍ମଳା ଶିଶୁ ଭବନରେ ଶିଶୁକନ୍ୟାକୁ ଛଡ଼ାଯାଇଥିବା ଚାଇଲଡ୍‌ଲାଇନ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର