ଅଙ୍ଗଦାନ କରି ତିନି ଜୀବନ ବଞ୍ଚାଇଲେ ଲକ୍ଷ୍ମୀ

ପାତ୍ରପୁର : ମାନବିକତା ଦୃଷ୍ଟିରୁ କିଛି ବ୍ୟକ୍ତି ମୃତ୍ୟୁପରେ ଅଙ୍ଗଦାନ କରିବା ପାଇଁ ନିଷ୍ପତ୍ତି ନେଇଥାନ୍ତି। ଅଧିକାଂଶ କ୍ଷେତ୍ରରେ ଅଙ୍ଗଦାନ ପାଇଁ ସହମତି ପ୍ରକାଶ କରିଥିବା ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ପରିବାରବର୍ଗ ଏହି ନିଷ୍ପତ୍ତିକୁ ପାଳନ କରିଥାନ୍ତି। କିନ୍ତୁ ଜଣେ ମହଳା ଜୀବିତାବସ୍ଥାରେ ନିଜର ଶରୀରର ବିଭିନ୍ନ ଅଙ୍ଗକୁ ଦାନ କରିଥିବା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ କେଲୁଆ ଅଞ୍ଚଳର ଲକ୍ଷ୍ମୀ ସାହୁ (୫୫) ଗତ ୧୭ ତାରିଖ ନିଜ ସ୍ୱାମୀ ନରସିଂହଙ୍କ ସହ ବାଇକ୍‌ ଯୋଗେ ଗ୍ରାମକୁ ଫେରୁଥିଲେ। କେଲୁଆ ନିକଟରେ ଏକ ମାଙ୍କଡ଼ ନିଜର ଛୁଆ ମାଙ୍କଡ଼କୁ ଧରି ସେମାନଙ୍କ ଉପରେ ଡ଼େଇଁ ପଡ଼ିଥିଲା । ବଡ଼ ମାଙ୍କଡ଼ଟି ଡିଆଁ ମାରି ପଳାଇବା ବେଳେ ଛୁଆ ମାଙ୍କଡ଼ଟି ଲକ୍ଷ୍ମୀ ସାହୁ୍‌ଙ୍କ ନିକଟରେ ରହି ଯାଇଥିଲା। ଛୁଆ ମାଙ୍କଡ଼କୁ ବଞ୍ଚାଇବାକୁ ଯାଇ ଲକ୍ଷ୍ମୀ ଗାଡ଼ିରୁ ପଡ଼ି ଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପାତ୍ରପୁର ପରେ ବ୍ରହ୍ମପୁର ମେଡ଼ିକାଲକୁ ନିଆ ଯାଇଥିଲା। ଅବସ୍ଥା ଗୁରୁତର ହେତୁ ତାଙ୍କୁ ବିଶାଖାପାଟଣା ଆପୋଲୋ ହସ୍‌ପିଟାଲ୍‌ ସ୍ଥାନାନ୍ତରିତ କରା ଯାଇଥିଲା। ସେଠାରେ ଚିକିତ୍ସା ସତ୍ୱେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନଥିଲା। ମୃତ୍ୟୁ ନିଶ୍ଚିତ ଜାଣି ଲକ୍ଷ୍ମୀ ନିଜର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଯଥା, ଦୁଇଟି କିଡ଼୍‌ନି, ଆଖି, ଲିଭର ଦାନ କରିବାକୁ ସମ୍ମତି ଦେଇଥିଲେ। ଏହି ଅଙ୍ଗ ସେଠାରେ ଚିକିତ୍ସିତ ହେଉଥିବା ଅନ୍ୟ ତିନି ଜଣଙ୍କ ଶରୀରରେ ପ୍ରତିରୋପଣ କରାଯିବ ବୋଲି ହସ୍‌ପିଟାଲ୍‌ କର୍ତୃପକ୍ଷଙ୍କ ସୂତ୍ରରୁ ପ୍ରକାଶ। ନିଜର ପରିବାର ସଦସ୍ୟଙ୍କ ଉପସ୍ଥିତିରେ ନିଜର ଅଙ୍ଗଦାନର ସହମତି ପ୍ରକାଶ କରିବା ପରେ ତାଙ୍କ ମୃତ୍ୟୁ ଘଟିଥିଲା। ଲକ୍ଷ୍ମୀଙ୍କ ଘର ପାତ୍ରପୁର ବ୍ଳକ ଚୁଡ଼ିଆଲାଞ୍ଜି ଗ୍ରାମ।

ସମ୍ବନ୍ଧିତ ଖବର