ବେଗୁନିଆ : ବୈଦେଶ୍ୱର ଥାନା ଅନ୍ତର୍ଗତ ପୁଇଁଚା ପଞ୍ଚାୟତର କଢ଼ାମଲ୍ଲ ଗ୍ରାମରେ ଆଜି ମଦ ବିରୋଧରେ ମହିଳାଙ୍କ ଶାଣିତ ସ୍ୱର ଦେଖିବାକୁ ମିଳିଛି। ଅଞ୍ଚଳରେ ମଦବିକ୍ରି ସମ୍ପୂର୍ଣ୍ଣ ବନ୍ଦ ଦାବିରେ ଗ୍ରାମର ଶତାଧିକ ମହିଳା ବାଘମାରୀ-କଣ୍ଟିଲୋ ପର୍ଯ୍ୟଟନ ରାସ୍ତାରେ ନିଆଁ ଲଗାଇ ସକାଳ ୧୦ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଅବରୋଧ କରି ରଖିଥିଲେ। ଖବର ପାଇ ବୈଦେଶ୍ୱର ଥାନାଧିକାରୀ ସତ୍ୟନାରାୟଣ ସେନାପତି ସଦଳବଳ ଘଟଣାସ୍ଥଳରେ ପହଞ୍ଚି ବହୁ ବୁଝାସୁଝା କରିବା ପରେ ସେମାନେ ଅନ୍ଦୋଳନରୁ ଓହରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାନୁଯାୟୀ, ସ୍ଥାନୀୟ ଗ୍ରାମରେ ଦୀର୍ଘ ଦିନ ଧରି ବିଭିନ୍ନ ଦୋକାନରେ ଦେଶୀ ଓ ବିଦେଶୀ ମଦ ଅବାଧରେ ବିକ୍ରି ହେଉଥିବା ଅଭିଯୋଗ ହେଉଛି। ଗ୍ରାମରେ ମଦ୍ୟପମାନଙ୍କର ଦୌରାତ୍ମ୍ୟ ସାଙ୍ଗକୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜରେ ଝିଅବୋହୂମାନେ ଅତିଷ୍ଠ ହୋଇପଡ଼ିଛନ୍ତି। ଏପରିକି ଗାଁଦାଣ୍ଡରେ ଯିବାକୁ ମଧ୍ୟ ସେମାନେ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି। ସେମାନଙ୍କର ଏହି ପୁଞ୍ଜୀଭୂତ ଅସନ୍ତୋଷ ଆଜି ଉଗ୍ରରୂପ ନେଇଥିଲା। ମହିଳାମାନେ ଆଜି ଏକତ୍ରିତ ହୋଇ ଅତର୍କିତ ଘରକୋଣରୁ ରାସ୍ତା ଉପରକୁ ଉଠିଆସିଥିଲେ। ସେମାନେ ନିଆଁ ଜାଳି ରାସ୍ତା ଅବରୋଧ କରିବା ସହ ରାସ୍ତା ଉପରେ ବସି ରହିବାରୁ ବିଭିନ୍ନ ଗାଡ଼ିେମୋଟର ଓ ଯାତ୍ରୀବାହୀ ବସ ଚଳାଚଳରେ ଘୋର ବ୍ୟାଘାତ ସୃଷ୍ଟି ହୋଇଥିଲା। ବୈଦେଶ୍ୱର ଥାନାଧିକାରୀ ଶ୍ରୀ ସେନାପତି ପହଞ୍ଚି ସେମାନଙ୍କୁ ଯେତେ ବୁଝାଇଥିଲେ ବି ମଦବିକ୍ରି ସମ୍ପୂର୍ଣ୍ଣ ବନ୍ଦ ଦାବିରେ ମହିଳାମାନେ ଅଟଳ ରହିଥିଲେ। ତେବେ ପ୍ରଶାସନ ସହ କଥାବାର୍ତ୍ତା କରି ଯାହା କିଛି ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ପାଇଲା ପରେ ସେମାନେ ରାସ୍ତାରୋକରୁ ହଟିଥିଲେ।