ମହିଳା ଭାଙ୍ଗିଲେଣି ୪୫ ମଦଦୋକାନ, ମୟୂରଭଂଜରେ ସର୍ବାଧିକ

ଭୁବନେଶ୍ୱର : ଗତ ତିନିବର୍ଷ ମଧ୍ୟରେ ରାଜ୍ୟରେ ୭୫ଟି ନୂଆ ମଦ ଦୋକାନ ଖୋଲିଥିବାବେଳେ ମହିଳାମାନେ ୪୫ଟି ମଦ ଦୋକାନକୁ ବାଡେଇ ଭାଙ୍ଗି ଦେଇଛନ୍ତି । ଏଥି ସହିତ ମହିଳାଙ୍କ ବିରୋଧ ଯୋଗୁଁ ୨୨ଟି ମଦଦୋକାନ ସମ୍ପୂର୍ଣ୍ଣ ବନ୍ଦହୋଇ ଯାଇଛି ।

ମହିଳାମାନଙ୍କ ଦ୍ୱାରା ମଦ ଦୋକାନ ଭଙ୍ଗାଯିବା ଓ ମଦ ରାଜସ୍ୱ ସଂଗ୍ରହ ସଂକ୍ରାନ୍ତରେ କଂଗ୍ରେସ ବିଧାୟକ କୈଳାଶ ଚନ୍ଦ୍ର କୁଳେଶିକା ପଚାରିଥିବା ପ୍ରଶ୍ନର ଉତ୍ତରରେ ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି, ଗତ ତିନିବର୍ଷ ଭିତରେ ରାଜ୍ୟରେ ୭୫ଟି ନୂଆ ମଦଦୋକାନ ଖୋଲିଛି । ଏଥି ମଧ୍ୟରୁ ସର୍ବାଧିକ ୨୯ଟି ରହିଛି ଖୋର୍ଧା ଜିଲ୍ଲାରେ ।

ଏହାବାଦ୍‌ ବ୍ରହ୍ମପୁର, ବରଗଡ ଓ ଯାଜପୁର ଜିଲ୍ଲାରେ ୮ଟି କରି ନୂତନ ମଦଦୋକାନ ଏହି ସମୟ ଭିତରେ ଖୋଲିଥିବାବେଳେ ଅନୁଗୁଳ, ପୁରୀ ଓ ଜଗତସିଂହପୁରରେ ୫ଟି କରି ନୂଆ ଦୋକାନ ଖୋଲିଛି । ବାଲେଶ୍ୱର, ଭଦ୍ରକ, କଟକ, ମୟୁରଭଞ୍ଜ,ନୟାଗଡ, ବଲାଙ୍ଗୀର, ଢେଙ୍କାନାଳ, ଦେବଗଡ, ଝାରସୁଗୁଡା, କେନ୍ଦୁଝର, ସମ୍ବଲପୁର, ସୋନପୁର, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର, ନୂଆପଡା, କନ୍ଧମାଳ ଓ ରାୟଗଡା ଜିଲ୍ଲାରେ ଏହି ତିନିବର୍ଷ ମଧ୍ୟରେ ଗୋଟିଏ ହେଲେ ନୂଆ ମଦଦୋକାନ ପାଇଁ ସରକାର ଲାଇସେନ୍ସ ଦେଇନାହାନ୍ତି।

ନୂଆ ମଦଦୋକାନକୁ ଲାଇସେନ୍ସ ପ୍ରଦାନ ସହିତ ତାଳଦେଇ ମହିଳାମାନେ ମଦଦୋକାନ ଭାଙ୍ଗିବା ସହିତ ତାକୁ ବନ୍ଦ କରିବାରେ ବି ସଫଳ ହେଉଛନ୍ତି । ଏହି ସମୟ ମଧ୍ୟରେ ମୟୁରଭଞ୍ଜ ଜିଲ୍ଲାରେ ସର୍ବାଧିକ ୩୧ଟି ଦୋକାନକୁ ମହିଳାମାନେ ଭାଙ୍ଗି ଦେଇଛନ୍ତି । ସେହିଭଳି ବଲାଙ୍ଗୀର ଜିଲ୍ଲାରେ ୬ଟି ମଦଦୋକାନ ଭାଙ୍ଗି ଥିବାବେଳେ ବାଲେଶ୍ୱର ଓ ଯାଜପୁର ଜିଲ୍ଲାର ଦୁଇଟି କରି ମଦଦୋକାନ ଏହି ତାଲିକାରେ ରହିଛି ।

ଅନୁରୂପ ଭାବେ ମହିଳାମାନଙ୍କ ବିରୋଧ ଯୋଗୁଁ ୩ବର୍ଷ ମଧ୍ୟରେ ରାଜ୍ୟରେ ୨୨ଟି ମଦଦୋକାନ ସମ୍ପୂର୍ଣ୍ଣ ଭାବେ ବନ୍ଦହୋଇ ଯାଇଛି । ଏଥିମଧ୍ୟରେ ଗଞ୍ଜାମ ଓ ବଲାଙ୍ଗୀର ଜିଲ୍ଲାରେ ୬ଟି କରି ଦୋକାନ ଥିବାବେଳେ ବରଗଡ ଜିଲ୍ଲାରେ ୨ଟି ମଦଦୋକାନ ରହିଛି। ମଦ ଦୋକାନ ଭଙ୍ଗା ଓ ବନ୍ଦ ସହିତ ତାଳ ଦେଇ ରାଜ୍ୟରେ ଅବକାରୀ ରାଜସ୍ୱ ଆଦାୟ ବି ବଢିବାରେ ଲାଗିଛି। ୨୦୧୫-୧୬ ବର୍ଷରେ ୨୫୬୮କୋଟି ୬୮ଲକ୍ଷ ଟଙ୍କାର ଅବକାରୀ ରାଜସ୍ୱ ଆଦାୟ ହୋଇଥିବାବେଳେ ୨୦୧୬-୧୭ ବର୍ଷରେ ଏହା ୨୭୮୩ କୋଟି ୬୯ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଥିଲା । ଗତ ଆର୍ଥକ ବର୍ଷରେ ରାଜ୍ୟ ସରକାର ଅବକାରୀ ରାଜସ୍ୱରୁ ୩୨୨୧ କୋଟି ୩ଲକ୍ଷ ଟଙ୍କା ପାଇଥିବା ଅବକାରୀ ମନ୍ତ୍ରୀ ଶ୍ରୀ ବେହେରା ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ।

ସମ୍ବନ୍ଧିତ ଖବର