ମହିଳା ଠିକାଦାର ବି କମ୍‌ ନୁହନ୍ତି

ବଡ଼ଚଣା: ପୂର୍ତ୍ତ ବିଭାଗ ଟେଣ୍ଡର୍‌ କେଳେଙ୍କାରୀ

ଯାଜପୁର: ଗୁପ୍ତ ଟେଣ୍ଡର୍‌ କେଳେଙ୍କାରୀରେ ମହିଳା ଠିକାଦାର ବେଶ ମୁନାଫା ଉଠାଇଥିବା ଜଣାପଡିଛି। ରାସ୍ତା ମରାମତି ନାଁରେ ଏମାନେ ବି କୋଟି କୋଟି ଟଙ୍କା ହଡ଼ପ କରିଛନ୍ତି। ଚାରବାଟିଆ ପୂର୍ତ୍ତ ବିଭାଗ ଡିଭିଜନ୍‌ ଅଧୀନ ବଡ଼ଚଣା ସବ୍‌ଡିଭିଜନ୍‌ରେ ଗୁପ୍ତ ଟେଣ୍ଡର୍‌ କେଳେଙ୍କାରୀ ନେଇ ଦିନକୁ ଦିନ ଏଭଳି ଚାଞ୍ଚଲ୍ୟକର ତଥ୍ୟ ହସ୍ତଗତ ହେବାରେ ଲାଗିଛି। ଏହି ଘଟଣା ଏବେ ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କଲାଣି। ହେଲେ ଏହା ଉପରେ ଏଯାଏ ଠୋସ୍‌ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇନାହିଁ। ନା ରାଜ୍ୟ କ୍ରାଇମବ୍ରାଞ୍ଚ ତନାଘନା କରୁଛି ନା ଜିଲ୍ଲାପାଳ ଖୋଳତାଡ଼ କରି ସରକାରଙ୍କୁ ରିପୋର୍ଟ ଦେଉଛନ୍ତି। ବରଂ ଘଟଣାକୁ ଚାପି ଦେବା ଲାଗି ଷଡ଼୍‍ଯନ୍ତ୍ରକାରୀମାନେ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି। ଏହି ସବ୍‌ଡିଭିଜନ୍‌ର କାର୍ଯ୍ୟକୁ ସମୀକ୍ଷା କଲେ ଦୁର୍ନୀତିର ଫର୍ଦ ଦିନକୁ ଦିନ ଲମ୍ବି ଲମ୍ବି ଚାଲିଛି। ଠିକାଦାର, ଯନ୍ତ୍ରୀ ଓ ଏହି ସବ୍‌ଡିଭିଜନ୍‌ ଦାୟିତ୍ୱରେ ଥିବା କେତେକ ଅଧିକାରୀଙ୍କ ସହଭାଗିତାରେ କୋଟି କୋଟି ଟଙ୍କାର ମିଥ୍ୟା ବିଲ୍‌ କରାଯାଉଥିବା ସୂଚନା ମିଳିଛି। ଅଭିନବ ଢଙ୍ଗରେ ଏମାନେ ଏହି ଜାଲିଆତି କାର୍ଯ୍ୟ ଜାରି ରଖିଛନ୍ତି। ମିଳିଥିବା ତଥ୍ୟ ଅନୁସାରେ, ପ୍ରଥମେ ବିଭାଗୀୟ ଅଧିକାରୀମାନେ ରାସ୍ତାରେ ଖୋଲା ଟେଣ୍ଡର୍‌ ମାଧ୍ୟମରେ କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ନିଅନ୍ତି। ତାହା ଜାଣିବା ପରେ ସେହି ରାସ୍ତାରେ ଲକ୍ଷ ଲକ୍ଷ ଟଙ୍କାର ଗୁପ୍ତ ଟେଣ୍ଡର୍‌ ଏଗ୍ରିମେଣ୍ଟ୍‌ ଆଗତୁରା କରି ଦିଆଯାଏ। ମାତ୍ର କୌଣସି କାର୍ଯ୍ୟ ନକରି ଏମାନେ ଏହାକୁ ପକାଇ ରଖିଥାନ୍ତି। ଖୋଲା ଟେଣ୍ଡର୍‌ ଶେଷ ହେବା ମାତ୍ରେ ଉଭୟ ଖୋଲା ଟେଣ୍ଡର୍‌ ଓ ଗୁପ୍ତ ଟେଣ୍ଡର୍‌ ବିଲ୍‌ କରାଯାଇ ଠିକାଦାରଙ୍କୁ ପ୍ରାପ୍ୟ ପ୍ରଦାନ କରାଯାଇଥାଏ। କେବଳ ଗୋଟିଏ ରାସ୍ତାରେ ନୁହେଁ ଅନେକ ରାସ୍ତାରେ ଏମିତି ଅଭିନବ ଢ଼ଙ୍ଗରେ ଅର୍ଥ ହଡ଼ପ୍‌ ହୋଇଥିବା ନେଇ ସମ୍ବାଦ ଅନୁସନ୍ଧାନ ଟିମ୍‌କୁ ପ୍ରମାଣ ମିଳିଛି। ତଥ୍ୟ ଅନୁଯାୟୀ, ଏହି ଗୁପ୍ତ ଟେଣ୍ଡର୍‌ କେଳେଙ୍କାରୀରେ ୮ ଜଣ ମହିଳା ଠିକାଦାର ସାମିଲ୍‌ ଅଛନ୍ତି। ପାଖାପାଖି ଏକ କୋଟି ଟଙ୍କାର ଗୁପ୍ତ ଟେଣ୍ଡର୍‌ ଏମାନଙ୍କ ନାମରେ କରାଯାଇଛି ଓ ମରାମତି ନାଁରେ ବିଲ୍‌ ପଇଠ ହୋଇଛି। ୨୦୧୩-୧୪ ରୁ ଚଳିତ ବର୍ଷ ମଧ୍ୟରେ ୧୦୦ରୁ ଊର୍ଦ୍ଧ୍ୱ ଗୁପ୍ତ ଟେଣ୍ଡର୍‌ରେ ମହିଳା ଠିକାଦାର୍‌ ଏଗ୍ରିମେଣ୍ଟ୍‌ କରି କୋଟି କୋଟି ଟଙ୍କା ହଡ଼ପ୍‌ କରିଛନ୍ତି। ସବୁଠାରୁ କୌତୂହଳ କଥା ହେଉଛି, ଏହି ମହିଳା ଠିକାଦାରଙ୍କ ମଧ୍ୟରୁ ଅନେକଙ୍କ ସ୍ୱାମୀ କୋଟି କୋଟି ଟଙ୍କାର ଖୋଲା ଟେଣ୍ଡର କରିଥିବା ବେଳେ ପତ୍ନୀମାନେ କିନ୍ତୁ କୋଟି କୋଟି ଟଙ୍କାର ଗୁପ୍ତ ଟେଣ୍ଡରରେ ମାତିଛନ୍ତି। ପୂର୍ତ୍ତ ବିଭାଗର ଏହି କେଳେଙ୍କାରୀର ସ୍ୱରୂପ ଦେଖି ବୁଦ୍ଧିଜୀବୀ ମହଲ ବିସ୍ମିତ। ସାଧାରଣରେ ମଧ୍ୟ ଏ ନେଇ ଅସନ୍ତୋଷ ବଢିଚାଲିଛି। ଘଟଣାର ତୁରନ୍ତ ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାଇଁ ଦାବି ହେଉଛି।

ସମ୍ବନ୍ଧିତ ଖବର