ପ୍ଲାଷ୍ଟିକ ଚାଉଳର ଭାତ ଖାଇ ଅସୁସ୍ଥ ମହିଳାଙ୍କ ମୃତ୍ୟୁ

ସମ୍ବଲପୁର/ବୁର୍ଲା:ମଂଗଳବାର ଅପରାହ୍‌ଣରେ ପ୍ଲାଷ୍ଟିକ ଚାଉଳର ଭାତ ଖାଇ ଅସୁସ୍ଥ ହୋଇଛନ୍ତି ବୋଲି କୁହାଯାଉଥିବା ମହିଳା ଚନ୍ଦନା ମାହତୋ(୪୭)ଙ୍କ ବୁର୍ଲା ଭିମ୍‌ସାରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏଥିସହିତ ପ୍ଲାଷ୍ଟିକ ଚାଉଳ ଖାଇ ମୃତ୍ୟୁ ଅଭିଯୋଗ ହେବା ରାଜ୍ୟରେ ପ୍ରଥମ ଘଟଣା ବୋଲି କୁହାଯାଇଛି। ଏହି ଘଟଣା ଆଜି ସ୍ଥାନୀୟ ଆଲୋଡ଼ନ ସୃଷ୍ଟି କରିବା ପରେ ପ୍ରଶାସନିକ ତତ୍ପରତା ମଧ୍ୟ ଦେଖାଯାଇଛି। ଶୀଘ୍ର ଚାଉଳର ପରୀକ୍ଷା ରିପୋର୍ଟ ପଠାଇବା ଦିଗରେ ପଦକ୍ଷେପ ନେବା ପାଇଁ ସମ୍ବଲପୁର ଜିଲ୍ଲାପାଳ ସମର୍ଥ ବର୍ମା ରାଜ୍ୟ ଖାଦ୍ୟ ସୁରକ୍ଷା କମିସନର ଆର୍‌.ପି.ସିଂଙ୍କୁ ପତ୍ର ଲେଖିଛନ୍ତି।

ମିଳିଥିବା ସୂଚନାରେ ଦୁଇ ଦିନ ମଧ୍ୟରେ ରାଜ୍ୟ ଜନସ୍ୱାସ୍ଥ୍ୟ ପରୀକ୍ଷାଗାରରୁ ରିପୋର୍ଟ ଆସିଯିବ ଓ ଏହି ରିପୋର୍ଟ ମିଳିବା ପରେ ପ୍ଲାଷ୍ଟିକ ଚାଉଳ ସଂପର୍କରେ ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ଜିଲ୍ଲାପାଳ ଶ୍ରୀ ବର୍ମା କହିଛନ୍ତି।

ଗତ ଅକ୍ଟୋବର ୬ତାରିଖ ଶୁକ୍ରବାର ଦିନ ସମ୍ବଲପୁର ସହର ଚନ୍ଦନଗରର ବଂଗଳାପଡ଼ା ଅଞ୍ଚଳରେ ରହୁଥିବା କମଳ ମାହତୋଙ୍କ ପତ୍ନୀ ଚନ୍ଦନା ମାହତୋ ପ୍ଲାଷ୍ଟିକ ଚାଉଳ ଖାଇ ଅସୁସ୍ଥ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଚନ୍ଦନାଙ୍କୁ ଚିକିତ୍ସା ପାଇଁ ଏକ ସ୍ଥାନୀୟ ନର୍ସିଂହୋମ୍‌ରେ ଭର୍ତି ହୋଇଥିଲେ। ତାଙ୍କ ପୁଅ ପିଣ୍ଟୁ ମହତୋ ଘଟଣା ସଂକ୍ରାନ୍ତରେ କ୍ଷେତରାଜପୁର ଥାନାରେ ଏତଲା ଦେଇଥିଲେ। ପିଣ୍ଟୁ କ୍ଷେତରାଜପୁର ତିଓ୍ଵାରି ଗଳିରେ ଥିବା ସନ୍ତୋଷ ଟ୍ରେଡର୍ସରୁ ‘ବଂଶୀବାଲା’ ବ୍ରାଣ୍ଡର ୨୫ କିଲୋଗ୍ରାମର ଚାଉଳ ପ୍ୟାକେଟ୍‌ କିଣି ଆଣିଥିଲେ। ଉକ୍ତ ଚାଉଳ ରାୟପୁର ଜିଲ୍ଲା ନୟାପରା ରାଜିମ୍‌ର ଶ୍ରୀ ଶ୍ୟାମ୍‌ଜୀ ରାଇସ୍‌ ମିଲ୍‌ରୁ ପ୍ୟାକିଂ ହୋଇଥିଲା। ଏହି ଚାଉଳର ଭାତ ଖାଇବା ପରେ ଚନ୍ଦନା ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରିବାର ଅନ୍ୟ ସଦସ୍ୟମାନେ ମଧ୍ୟ ଅସୁସ୍ଥ ଅନୁଭବ କରିଥିଲେ। ତେବେ ଚନ୍ଦନା ପ୍ରଥମେ ସ୍ଥାନୀୟ ଡାକ୍ତରଙ୍କୁ ଦେଖାଇଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ୩ଟି ନର୍ସିଂହୋମ୍‌ରେ ଚିକିତ୍ସିତ ହୋଇଥିଲେ। ହେଲେ ଧୀରେ ଧୀରେ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା। ଅପମିଶ୍ରିତ ଖାଦ୍ୟ ଯୋଗୁଁ ଏଭଳି ହୋଇଥିବା ଡାକ୍ତର କହିବାରୁ ଚାଉଳ ଉପରେ ସେମାନଙ୍କ ସନ୍ଦେହ ହୋଇଥିଲା। ଭଲ କରି ନିରୀକ୍ଷଣ କଲେ ଚାଉଳ ପ୍ଲାଷ୍ଟିକ୍‌ ତିଆରି ଭଳି ଲାଗିବା ଏବଂ ଭାତ ମଧ୍ୟ ଅଲଗା ଲାଗିବାରୁ ସେମାନଙ୍କ ସନ୍ଦେହ ବଢିଥିଲା।

କ୍ଷେତରାଜପୁର ଥାନା ପୁଲିସ୍‌ ଚାଉଳ ଏବଂ ରନ୍ଧା ଭାତ ଜବତ କରି ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଜରିଆରେ ପରୀକ୍ଷା ପାଇଁ ୭ ତାରିଖ ଦିନ ରାଜ୍ୟ ଜନସ୍ୱାସ୍ଥ୍ୟ ପରୀକ୍ଷାଗାରକୁ ପଠାଇଥିଲେ। ପରେ ସନ୍ତୋଷ ଟ୍ରେଡର୍ସରେ ୫୧ ବସ୍ତା ବଂଶୀବାଲା ବ୍ରାଣ୍ଡର ଚାଉଳକୁ ସିଲ୍‌ କରି ଦିଆଯାଇଥିଲା।

ସମ୍ବନ୍ଧିତ ଖବର