ପିପିଲି/ପୁରୀ: ସ୍ବଚ୍ଛ ଭାରତ ମିସନ୍ରେ ନିର୍ମାଣ ଚାଲିଥିବା ଶୌଚାଳୟ କରାଇ ଦେବାକୁ କହି ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ପୁରୀ ଜିଲ୍ଲା ପିପିଲି ବ୍ଲକ୍ କୁଳଶିଖରପାଟଣା ପଞ୍ଚାୟତର ଜିଆର୍ଏସ୍ ଲକ୍ଷ୍ମୀପ୍ରିୟା ସାହୁ (ପୂଜା) ଭୁବନେଶ୍ବର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। କୁଳଶିଖରପାଟଣାସ୍ଥିତ ନିଜ ଘରେ ଜନୈକ ହିତାଧିକାରୀଙ୍କ ଠାରୁ ଲାଞ୍ଚ ଗ୍ରହଣ କଲାବେଳେ ଭିଜିଲାନ୍ସ ତାଙ୍କୁ ଧରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଭିଜିଲାନ୍ସ ବିଭାଗର ସୂଚନା ହେଲା, ପିପିଲି ବ୍ଲକ୍ ବରାଗଡ଼ ଗାଁ’ର ଦୀପୁ ସ୍ବାଇଁ ବିଜୁ ପକ୍କାଘର ଯୋଜନାରେ ଏକ ଘରର କାର୍ଯ୍ୟାଦେଶ ପାଇଥିଲେ। ସରକାରଙ୍କ ନିର୍ଦ୍ଧାରିତ ସମୟ ପୂର୍ବରୁ ଦୀପୁ ଘର ତିଆରି କରି ଦେଇଥିବାରୁ ତାଙ୍କୁ ଶୌଚାଳୟ ଓ ଅନ୍ୟାନ୍ୟ ବାବଦକୁ ୨୦ ହଜାର ଟଙ୍କା ମିଳିବାର ଥିଲା। ଏହାର କାଗଜପତ୍ର କରାଇ ଦେବାକୁ କହି ଜିଆର୍ଏସ୍ ପୂଜା ତାଙ୍କ ଠାରୁ ୨ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ବହୁବାର ଦୌଡ଼ି ଦୌଡ଼ି ନିରାଶ ହେବା ପରେ ଦୀପୁ ଭୁବନେଶ୍ବର ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଭୁବନେଶ୍ବର ଭିଜିଲାନ୍ସର ସ୍ବତନ୍ତ୍ର ଦଳ ଆଜି ସେ ୨ ହଜାର ଟଙ୍କା ଗ୍ରହଣ ସମୟରେ ତାଙ୍କ ଘର କୁଳଶିଖରପାଟଣାରୁ ଗିରଫ କରିଛନ୍ତି। ତାଙ୍କ ଠାରୁ ଲାଞ୍ଚ ବାବଦ ଟଙ୍କା ଓ ଅନ୍ୟାନ୍ୟ କାଗଜପତ୍ର ଜବତ କରାଯିବା ସହ ଗିରଫ ପରେ କୋର୍ଟଚାଲାଣ କରାଯାଇଛି। ଏ ସମ୍ପର୍କରେ ଭୁବନେଶ୍ବର ଭିଜିଲାନ୍ସ ବିଭାଗ ପକ୍ଷରୁ ୪୬/୧୯ରେ ଏକ ମାମଲା ରୁଜୁ ହେବା ସହ ଅଧିକ ତଦନ୍ତ ଚାଲିଛି।
ତେବେ ଏହା ପଛରେ ରାଜନୈତିକ ଷଡ଼ଯନ୍ତ୍ର କରାଯାଇଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ। କୋଠାଘର ଥିବା ଲୋକଙ୍କୁ ବିଜୁ ପକ୍କାଘର ଯୋଗାଇ ଦେବାକୁ ଲକ୍ଷ୍ମୀପ୍ରିୟାଙ୍କ ଉପରେ ଚାପ ପଡ଼ୁଥିବା ପରିବାର ଲୋକେ କହିଛନ୍ତି। ଭିଜିଲାନ୍ସ ପକ୍ଷରୁ ଦୁଇଟି ଟିମ୍ ଚଡ଼ାଉ କରିଥିବା ବେଳେ ତାଙ୍କ ନାମରେ କୌଣସି ଆୟ ବହିର୍ଭୁତ ସମ୍ପତ୍ତି ପାଇନଥିଲା। ରାଜନୈତିକ ଦଳ ଓ ନେତାଙ୍କ କଥାରେ ଗଲେ ନାହିଁ ବୋଲି ଲକ୍ଷ୍ମୀପ୍ରିୟାଙ୍କୁ ଫସାଇ ଦିଆଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।