ମଦ ପାଇଁ ଗଲାଣି ୪ ଜୀବନ : ଶତାଧିକ ମହିଳା ତାତିଲେ; ମଦ ଦୋକାନ ଭଙ୍ଗାରୁଜା, ପୋଡ଼ାଜଳା

ବୁଗୁଡ଼ା : କିଛିଦିନ ମଧ୍ୟରେ ମଦ୍ୟପାନ କରି ୪ ଜଣଙ୍କ ପ୍ରାଣହାନୀ ଘଟିଛି। ଏହାର ପ୍ରତିବାଦରେ ଆଜି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ୍‌ ମାଣିତରା ପଞ୍ଚାୟତର ଶତାଧିକ ମହିଳା ଆଜି ରାଜରାସ୍ତାକୁ ଓହ୍ଲାଇଥିଲେ। ମଦ ଦୋକାନକୁ ଭଙ୍ଗାରୁଜା କରିବା ସହିତ ମଦ ପାଉଚ୍ ଓ ଅନ୍ୟାନ୍ୟ ସାମଗ୍ରୀ ପୋଡ଼ି ଦେଇଛନ୍ତି।

ଆନ୍ଦୋଳନକାରୀ ମହିଳାଙ୍କ ଅଭିଯୋଗ ଅନୁସାରେ, ମଦ ପିଇ ଗତ ୧୧ ତାରିଖରେ କାହ୍ନୁ ଗୌଡ଼ (୨୦) ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ସେହିପରି ୪ ମାସ ଭିତରେ ଭଜରାମ ପ୍ରଧାନ (୪୬), ଲମ୍ବୁ ନାହାକ (୪୫) ଓ ହୁସେନ ସେଠୀ (୨୮) ବି ମଦ ପିଇ ଆଖି ବୁଜିବାରୁ ସେମାନଙ୍କ ପରିବାର ଲୋକେ ବେସାହାରା ପାଲଟି ଯାଇଛନ୍ତି।

ଏହାର ପ୍ରତିବାଦରେ ଗାଁର ଶତାଧିକ ମହିଳା ଆଜି ବିରାଟ ଶୋଭାଯାତ୍ରାରେ ବାହାରିଥିଲେ। ମାଣିତରା ଓ ଭୋଗଡ଼ା ଗାଁ ପରିକ୍ରମା କରିଥିଲେ। ଏଥିରେ ଅଙ୍ଗନବାଡି କର୍ମୀ, ଆଶାକର୍ମୀ, ସ୍ବୟଂ ସହାୟକ ଗୋଷ୍ଠୀ, କଲେଜ ଓ ସ୍କୁଲ ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ବର୍ଗର ସାମିଲ ହୋଇଥିଲେ।

ଗାଁ ବୁଲିବା ପରେ ମହିଳାମାନେ ଭୋଗଡ଼ାଠାରେ ଥିବା ଏହି ସରକାରୀ ଲାଇସେନପ୍ରାପ୍ତ ଦେଶୀ ମଦ ଦୋକାନରେ ଭଙ୍ଗାରୁଜା କରିଥିଲେ। ମଦ ପାଉଚ୍ ଓ ଅନ୍ୟାନ୍ୟ ସାମଗ୍ରୀ ରାସ୍ତାରେ ଜମା କରି ନିଆଁ ଲଗାଇ ଦେଇଥିଲେ।

ସମ୍ବନ୍ଧିତ ଖବର