ଧରାକୋଟ : ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଜାହାଡ଼ା ଗ୍ରାମରେ ମହିଳାଙ୍କ ଦ୍ବାରା ନିଶାନିବାରଣ ଆନ୍ଦୋଳନ ତେଜିବାରେ ଲାଗିଛି। ଗତକାଲି ମଦ ପିଇବା ପରେ ଜଣେ ଯୁବକର ମୃତ୍ୟୁକୁ ନେଇ ମହିଳାମାନେ ଏକ ମଦଭାଟିକୁ ପୋଡ଼ି ଦେଇଥିଲେ। ଆଜି ପୁଣି ବେଆଇନ୍ ଭାବେ ମଦ ଓ ଗଞ୍ଜେଇ କାରବାର ଚାଲିଥିବା ଦୁଇଟି ଦୋକାନକୁ ଉତ୍ତ୍ୟକ୍ତ ମହିଳାମାନେ ସଂଘବଦ୍ଧ ଭାବେ ଭଙ୍ଗାରୁଜା କରିବା ସହ ପୋଡ଼ି ଦେଇଛନ୍ତି। ଖାଲି ଏତିକି ନୁହେଁ, ଦୋକାନ ଚଲାଉଥିବା ଭ୍ରମର ସ୍ବାଇଁ ଓ ଡାକ ଖଟାଇଙ୍କ ଘରେ ପଶି ମହୁଲି ମଦ ପକେଟ୍, ବିଦେଶୀ ମଦ ସହ ୩୦ କେଜି ଗଞ୍ଜେଇ ଜବତ କରିଛନ୍ତି। ଏହାପରେ ତାଳପାଟଣା ଛକରେ ପ୍ରାୟ ୨ ଘଣ୍ଟା ଧରି ଟାୟାର୍ ଜାଳି ୫୯ ନମ୍ବର ଜାତୀୟ ରାଜପଥକୁ ଅବ‌ରୋଧ କରିଥିଲେ। ଏହା ସହ ପ୍ଲାକାର୍ଡ ଧରି ଗାଁ ପରିକ୍ରମା କରିଥିଲେ। ତେବେ ସେମାନଙ୍କ ଦାବି ଶୁଣିବା ଲାଗି କୌଣସି ପ୍ରାଶାସନିକ ଅଧିକାରୀ ନ ପହଞ୍ଚିବାରୁ ଉତ୍ତେଜନା ଆହୁରି ବୃଦ୍ଧି ପାଇଥିଲା।

Advertisment

ପରେ ମହିଳାମାନେ ସାଙ୍ଗରେ ଧରି ଆସିଥିବା ମଦ ଓ ଗଞ୍ଜେଇ ପକେଟ୍ ଧରି ସନ୍ଧ୍ୟାରେ ଧରାକୋଟ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଥାନା ଭିତରକୁ ଧସେଇ ପଶିବାକୁ ଚେଷ୍ଟା କରିଥିଲେ। ଶେଷ ଖବର ମିଳିବା ସୁଦ୍ଧା ଥାନା ଆଗରେ ବିକ୍ଷୋଭ ଓ ଉତ୍ତେଜନା ଜାରି ରହିଛି। କୌଣସି ଅଧିକାରୀ ଆଲୋଚନା ପାଇଁ ଆସିନାହାନ୍ତି ।