ମଦମୃତ୍ୟୁକୁ ନେଇ ଲଙ୍କାକାଣ୍ଡ : ତାତିଲେ ମହିଳା, ମଦଭାଟି ଭଙ୍ଗାରୁଜା, ଜଳାପୋଡ଼ା

ଛତ୍ରଭଙ୍ଗ ଦେଲେ ମଦ ମାଫିଆ, ପୂର୍ବରୁ ବି ୪ ଜଣଙ୍କ ମଦ ମୃତ୍ୟୁ ହୋଇଥିଲା

ପୁରୀ : ବିଷାକ୍ତ ମଦ ମୃତ୍ୟୁକୁ ନେଇ ପୁରୀ ସଦର ଥାନା କପିଳେଶ୍ବରପୁର ପଞ୍ଚାୟତରେ ଆଜି ଲଙ୍କାକାଣ୍ଡ ଘଟିଛି। ବିଷାକ୍ତ ମଦ ପିଇ କପିଳେଶ୍ବରପୁର ପଞ୍ଚାୟତ ବିଲକାଙ୍କୁଡ଼ାର ସହଦେବ ନାୟକ(୫୦)ଙ୍କ ମୃତ୍ୟୁ ପରେ ମହିଳାମାନେ ତାତିଥିଲେ। ଗାଁ’ର ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନେ ଏକାଠି ହୋଇଥିଲେ। ପୁଲିସ ଓ ଅବକାରୀ ବିଭାଗ ଜ୍ଞାତସାରରେ ବର୍ଷ ବର୍ଷ ଧରି ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ୧୦ କିମି ଦୂର ଏହି ପଞ୍ଚାୟତରେ ବେଆଇନ ଦେଶୀ ମଦଭାଟି ଚାଲିଥିବା ବେଳେ ମହିଳାମାନେ ବ୍ୟାପକ ଭଙ୍ଗାରୁଜା କରିବା ସହ ଏକ ଆପାଚି ଗାଡ଼ି, ଦେଶୀ ମଦ ପାଇଁ ଗଚ୍ଛିତ ଗୁଡ଼, ବେକିଂ ପାଉଡର, ୟୁରିଆ ଜାରକିନ, ବସ୍ତା ଆଦିକୁ ଗାଁ’ ଦାଣ୍ଡରେ ଏକାଠି କରି ନିଆଁ ଲଗାଇ ଦେଇଥିଲେ।

????????????????????????????????????

ଗାଁ ଲୋକଙ୍କ କହିବା ମୁତାବକ, ସହଦେବ ଗତକାଲି ‌ଗେଣ୍ଡାପଡ଼ା ଭୋଇସାହିରେ ଥିବା ଦେଶୀ ମଦଭାଟିରେ ମଦ ପିଇଥିଲେ। ସେ ମଦ ପିଇବା ଲୋକେ ବି ଦେଖିଥିଲେ। କିନ୍ତୁ ସେ ରାତିରେ ଆଉ ଘରକୁ ଫେରି ନଥିଲେ। ଆଜି ସକାଳେ ମଦଭାଟିର କିଛି ଦୂରରେ ଥିବା ଏକ ପୋଖରୀରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇ ଥିଲା। ମଦ ପିଇ ସହଦେବଙ୍କ ମୃତ୍ୟୁ ହୋଇଥିବା ଖବର ପ୍ରଚାରିତ ହେବା ପରେ ଗାଁ’ର ଶହ ଶହ ମହିଳା ଏକାଠି ହୋଇ ମଦଭାଟି ଉପରେ ମିଳିତ ଆକ୍ରମଣ କରିଥିଲେ। ବିଷ‌ାକ୍ତ ମଦର ବିଷକ୍ରିୟା ଯୋଗୁଁ ସହଦେବଙ୍କ ମୃତ୍ୟୁ ହୋଇଥିବା ଗାଁ’ ଲୋକେ ଅଭିଯୋଗ କରିବା ସହ ତାଙ୍କ ପରିବାରକୁ କ୍ଷତିପୂରଣ ଦାବି କରିଥିଲେ।

ଯେଉଁ ସବୁ ସ୍ଥାନରେ ଦେଶୀ ମଦ ବିକ୍ରି ଓ ପ୍ରସ୍ତୁତି ହେଉଥିଲା, ସେଠାରେ ବ୍ୟାପକ ଭଙ୍ଗାରୁଜା କରିବା ସହ ମଦ ପ୍ରସ୍ତୁତ କଞ୍ଚାମାଲରେ ନିଆଁ ଲଗାଇ ଦେଇଥିଲେ। ସ୍ବାଇଁ ସାହି, ଗେଣ୍ଡାବାଡ଼ ଭୋଇସାହିରେ ଦେଶୀ ମଦ ପ୍ରସ୍ତୁତ କରୁଥିବା ଏକାଧିକ ବ୍ୟକ୍ତିଙ୍କ ଘରୁ ଶତାଧିକ ସଂଖ୍ୟାରେ ଗୁଡ଼ ଟିଣ, ବହୁ ପରିମାଣର ବେକିଂ ପାଉଡର, ୟୁରିଆ ଆଦିକୁ ମହିଳାମାନେ ଗାଁ’ ଦାଣ୍ଡରେ ଏକାଠି କରି ନିଆଁ ଲଗାଇ ଦେଇଥିଲେ। ମହିଳାମାନେ ପୁଲିସ ଉପସ୍ଥିତିରେ ଏ ସବୁକୁ ବାହାରକୁ ଆଣିବା ପରେ ଏଥିରେ ନିଆଁ ଲଗାଇ ଦେଇଥିଲେ। ମହିଳାଙ୍କ ଏଭଳି ଉଗ୍ରରୂପ ଦେଖିବା ପରେ ବେଆଇନ୍ ଭାବେ ଦେଶୀ ମଦ ବିକ୍ରି କରୁଥିବା ବିକ୍ରେତାମାନେ ଛତ୍ରଭଙ୍ଗ ଦେଇଥିଲେ ଓ ଗାଁ’ ଛାଡ଼ି ପଳାଇଥିଲେ। ଆଗାମୀ ଦିନରେ କେହି ବି ମଦ ବିକ୍ରି କଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି।

ସମ୍ବନ୍ଧିତ ଖବର