ବେବିନା ପରିବାରକୁ ଭେଟିବେ ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ

ଭୁବନେଶ୍ବର: ଆସନ୍ତାକାଲି ପୂର୍ବାହ୍ନ‌ ୧୧ଟାରେ ଅଖିଳ ଭାରତ ମହିଳା କଂଗ୍ରେସ ସଭାପତି ତଥା ସାଂସଦ ସୁସ୍ମିତା ଦେବ ଦୁଇଦିନିିଆ ଓଡ଼ିଶା ଗସ୍ତରେ ଆସୁଛନ୍ତିି। ସେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟରେ ପିପିଲି ଯାଇ ଦୁଷ୍କର୍ମ ତଥା ହତ୍ୟାକାଣ୍ଡରେ ମୃତ ବେବିନାଙ୍କ ପରିବାରବର୍ଗଙ୍କୁ ଭେଟିବେ। ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ମହିଳା କଂଗ୍ରେସ ସଭାପତି ସୁମିତ୍ରା ଜେନା ଜାତୀୟ ମହିଳା କଂଗ୍ରେସ ସଭାପତିଙ୍କ ଗସ୍ତ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ। ଏହି ସୂଚନା ଅନୁଯାୟୀ ଆସନ୍ତାକାଲି ସଭାପତି ସୁସ୍ମିତା ଦେବ କିଟ୍‌ ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ଇଣ୍ଡିଆ ଟୁଡେ କନ୍‌କ୍ଲେଭରେ ଯୋଗଦେବେ। ଅପରାହ୍ଣରେ ସେ ପିପିଲି ଅନ୍ତର୍ଗତ ଅର୍ଜୁନଗୋଡ଼ା ଗ୍ରାମକୁ ଯାଇ ମୃତା ବେବିନାଙ୍କ ପରିବାରବର୍ଗଙ୍କ ସହିତ ଆଲୋଚନା କରିବେ। ଏହି କାର୍ଯ୍ୟକ୍ରମ ପରେ ପିପିଲି ଏନ୍‌ଏସିରେ ଅନୁଷ୍ଠିତ ହେବାକୁ ଥିବା ସ୍ବୟଂ ସହାୟକ ଗୋଷ୍ଠୀ ସଭାରେ ଅଂଶଗ୍ରହଣ କରିବେ। ସନ୍ଧ୍ୟାରେ ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ୧୧ ତାରିଖ ପୂର୍ବାହ୍ନରେ ସେ ରାଜ୍ୟ ମହିଳା କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ଉଦ୍‌ବୋଧନ ଦେବେ। ଅପରାହ୍ଣରେ କଂଗ୍ରେସ ଭବନରେ ଆୟୋଜନ ହେବାକୁ ଥିବା ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ନୂଆଦିଲ୍ଲୀ ପ୍ରତ୍ୟାବର୍ତନ କରିବେ ବୋଲି ରାଜ୍ୟ ମହିଳା କଂଗ୍ରେସ ସଭାପତି କହିଥିଲେ। ବେବିନା ପ୍ରସଙ୍ଗରେ ସେ କହିଲେ, ଯେତେପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ନ ମିଳିଛି, ସେତେଦିନ ପର୍ଯ୍ୟନ୍ତ ମହିଳା କଂଗ୍ରେସର ଲଢ଼େଇ ଜାରି ରହିବ। ଆଗାମୀ ନିର୍ବାଚନୀ ଇସ୍ତାହାରରେ ନିଶାମୁକ୍ତ ଓଡ଼ିଶା ଗଠନ, ମହିଳା ସଶକ୍ତୀକରଣ ଭଳି କିଛି ପ୍ରସଙ୍ଗ ରହିବ ବୋଲି ସେ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ମହିଳା କଂଗ୍ରେସ କାର୍ଯ୍ୟକାରୀ ସଭାପତି ବନ୍ଦିତା ପରିଡ଼ା, ପିସିସି ପ୍ରଭାରୀ ସ୍ମୁୃତିସିକ୍ତା ଚୌଧୁରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର