ମହିଳାଙ୍କ ଅଧିକାର ହିଁ ବିକାଶର ପ୍ରକୃତ ଡବଲ ଇଞ୍ଜିନ: ନବୀନ ପଟ୍ଟନାୟକ

ଭୁବନେଶ୍ୱର:ମହିଳା ସଶକ୍ତିକରଣ ହେଉଛି ପ୍ରକୃତ ଡବଲ ଇଞ୍ଜିନ । ମୋଦି ଓ ଅମିତ ଶାହାଙ୍କ ଡବଲ ଇଞ୍ଜିନ ଉପାଖ୍ୟାନକୁ ତେରଛା ବାଣ ମାରି ନବୀନ ଡବଲ ଇଞ୍ଜିନର ନୂଆ ସଂଜ୍ଞା ଦେଇଛନ୍ତି । ମହିଳାଙ୍କ ବିକାଶ ହେଉଛି ଦେଶର ପ୍ରକୃତ ଡବଲ ଇଞ୍ଜିନ । ଏହାର ଉଦାହରଣ ଦେବାକୁ ଯାଇ ନବୀନ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଓ ଜର୍ମାନୀର ଚାନସେଲରଙ୍କ କଥା ଉଠାଇଛନ୍ତି।

ଭୋଟଗ୍ରହଣ ପୂର୍ବରୁ ଡବଲ ଇଞ୍ଜିନର ନୂଆ ସଂଜ୍ଞା ସାମ୍ନାକୁ ଆଣି ନବୀନ ଦୁଇ ଜାତୀୟ ଦଳକୁ ଟାର୍ଗେଟ କରିଛନ୍ତି । ଯେଉଁ ଦେଶରେ ମହିଳା ସଶକ୍ତିକରଣ ଉପରେ ଫୋକସ କରାଯାଇନଥାଏ , ତାହା ସିଙ୍ଗଲ ଇଞ୍ଜିନ ଚାଲିବା ଭଳି ହୋଇଥାଏ । ଦେଶରେ ଠିକ୍ ଭାବରେ ବିକାଶ ହୋଇନଥାଏ । କିନ୍ତୁ ମହିଳା ସଶକ୍ତିକରଣ ହେଉଛି ଦେଶର ପ୍ରକୃତ ଡବଲ ଇଞ୍ଜିନ । ଏହାଦ୍ୱାରା ଦେଶରେ ବିକାଶ ଓ ସମତା ଆସିପାରିବ ।

ଗୋଟିଏ ପଟେ ଜାତୀୟ ଦଳ ଗୁଡିକ ସେମାନଙ୍କ ଇସ୍ତାହାରରେ ମହିଳା ସଶକ୍ତିକରଣର କଥା କହୁଛନ୍ତି । କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବାକୁ ସର୍ବଦା ପଛଘୁଞ୍ଚା ଦେଉଛନ୍ତି । ତେବେ ବିଜେଡି ମହିଳା ସଶକ୍ତିକରଣ କ୍ଷେତ୍ରରେ ଏକ ନୂଆ ଉଦାହରଣ ସୃଷ୍ଟି କରିଛି । ମହିଳା ସଶକ୍ତିକରଣର ସାରଥୀ ଥିବା ବିଜୁ ବାବୁ ପ୍ରଥମେ ମହିଳା ମାନଙ୍କ ପାଇଁ ପଞ୍ଚାୟତିରାଜ ଅନୁଷ୍ଠାନରେ ୩୩ ପ୍ରତିଶତ ସଂରକ୍ଷଣ କରିଥିଲେ । ଯାହାକୁ ପରବର୍ତ୍ତୀ ସମୟରେ ବିଜେଡି ୫୦ ପ୍ରତିଶତକୁ ବୃଦ୍ଧି କରିଥିଲା ।

ବିଜୁ ଜନତା ଦଳ ନେତୃତ୍ୱରେ ରାଜ୍ୟ ସରକାର ମହିଳା ସଶକ୍ତିକରଣ ପାଇଁ ଅନେକ ଗୁଡ଼ିଏ ବିକାଶ ମୂଳକ କାମ ହାତକୁ ନେଇଛି। ମହିଳା ସଶକ୍ତିକଣ ଦେଶ ପାଇଁ ଡବଲ ଇଂଜିନ ବୋଲି ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ମହିଳା ସଶକ୍ତିକରଣ ଉପରେ ଜୋର ଦେଇ ନବୀନ କହିଛନ୍ତି, ବିଜେଡିର ୭ ମହିଳା ପ୍ରାର୍ଥୀଙ୍କ ସ୍ୱର ଲୋକସଭାରେ ଶୁଭିବ। ତେଣୁ ଲୋକେ ଏହି ମହିଳା ପ୍ରାର୍ଥୀଙ୍କୁ ସୁଯୋଗ ଦେବାକୁ ମୁଁ ନିବେଦନ କରୁଛି ବୋଲି ନବୀନ କହିଛନ୍ତି।

ମହିଳାଙ୍କ ପ୍ରସଙ୍ଗରେ ଜାତୀୟ ଦଳ ଗୁଡ଼ିକ ଉଦ୍ଦେଶ୍ୟମୂଳକ ଭାବେ ନିରବ ଅଛନ୍ତି। ଲୋକସଭାକୁ ୩୩ ପ୍ରତିଶତ ମହିଳାଙ୍କୁ ପଠାଇବାରେ ବିଜେଡି ପ୍ରଥମ ଦଳ। ବିଜେଡି ସଭାପତି ଭାବେ ଏହା ମୋ ପାଇଁ ଖୁସିର ମୂହୁର୍ତ୍ତ ବୋଲି ନବୀନ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜନୀତି ହେଉଛି କ୍ଷମତା, ତେବେ ଏହାର ପରିପ୍ରକାଶରେ ମହିଳାମାନେ ଅଧିକ ମାନବୀୟ ସ୍ୱର୍ଶ ଦେଇପାରିବେ। ଯଦି ରାଜନୀତି ଗୋଟିଏ ଦେଶର ମୂଲ୍ୟବୋଧକୁ ନିର୍ଦ୍ଧାରଣ କରିପାରେ, ତେବେ ଲୋକସଂଖ୍ୟାର ଅର୍ଦ୍ଧେକଙ୍କୁ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସାମିଲ ପାଇଁ ସୁଯୋଗ ନ ଦେବ କ’ଣ ବିଜ୍ଞତାର ପିଚାୟକ ବୋଲି ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର