ଆଉ ଏକ ଚର୍ଚ୍ଚିତ ବିବାହ : କନ୍ୟାକୁ ନ ପାଇ ସାନ ଭଉଣୀକୁ ଉଠାଇ ନେଲା ବର

ଲାଠିକଟା/ରାଉରକେଲା : ସାରନଗରୀ ଓ ସିଭିଲ ଟାଉନ୍‌ସିପ୍‌ରେ ଦୁଇଟି ସ୍ପର୍ଶକାତର ବିବାହର ଚର୍ଚ୍ଚା ଥମିନଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକ ମୁଣ୍ଡାଜୋର୍‌ ଗ୍ରାମରେ ନାବାଳିକା ବିବାହ ଉଦ୍ୟମ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି। ବିବାହ ପୂର୍ବରୁ ନାବାଳିକା କନ୍ୟା ଫେରାର୍‌ ହୋଇଯିବାରୁ ବର ପକ୍ଷ କନ୍ୟାର ୫ମ ଶ୍ରେଣୀରେ ପଢୁଥିବା ସାନ ଭଉଣୀକୁ ଜୋର୍‌ଜବରଦସ୍ତ ନେଇ ଯାଇଛନ୍ତି। ଲାଠିକଟା ବ୍ଲକ୍‌ ମୁଣ୍ଡାଜୋର୍‌ ଗ୍ରାମର ଜନୈକା ୮ମ ଶ୍ରେଣୀ ଛାତ୍ରୀ (୧୫)ଙ୍କ ପରିବାର ଝାଡ଼ଖଣ୍ଡର ଜଣେ ଯୁବକ ସହ ବିବାହ ସ୍ଥିର କରିଥିଲେ। ତେବେ ସ୍ଥାନୀୟ ସ୍କୁଲରେ ପଢ଼ୁଥିବା ଏହି ଛାତ୍ରୀ ପାଠ ଛାଡ଼ି ବିବାହ କରିବାକୁ ଅମଙ୍ଗ ହୋଇଥିଲେ। ମାତ୍ର ତା’ ଗରିବ ବାପ-ମା’ ବର ପକ୍ଷରୁ ଅଗ୍ରୀମ ଅର୍ଥ ଆଣିଥିବାରୁ ସେମାନେ ଝିଅକୁ ବିବାହ ପାଇଁ ବାଧ୍ୟ କରିଥିଲେ। ଗତକାଲି ବିବାହ ପାଇଁ ଝାଡ଼ଖଣ୍ଡର ବର ପ୍ରାୟ ୫୦ ଜଣ ବରଯାତ୍ରୀଙ୍କ ସହିତ ବାଜା ବଜାଇ ଓ ବାଣ ଫୁଟାଇ ମୁଣ୍ଡାଜୋର୍‌ରେ ପହଞ୍ଚିଥିଲା। ତେବେ ବର ଓ ବରଯାତ୍ରୀ ବାଳିକା ବଧୂ ଘରେ ପହଞ୍ଚିବା ପୂର୍ବରୁ କନ୍ୟା ଘରୁ କେଉଁ ଆଡ଼େ ଲୁଚି ପଳାଇଥିଲା। କନ୍ୟା ଚମ୍ପଟ ମାରିଥିବା ଖବର ପାଇ ବର ପକ୍ଷ ଉତ୍ତ୍ୟକ୍ତ ହେବା ସହ କନ୍ୟାର ବାପା-ମା’ଙ୍କଠାରୁ କ୍ଷତିପୂରଣ ଦାବି କରିଥିଲେ। କନ୍ୟା ପିତା ଟଙ୍କା ଦେବା ପାଇଁ ଅକ୍ଷମତା ପ୍ରକାଶ କରିଥିଲେ। ତେଣୁ ବର ଓ ତାଙ୍କ ସହିତ ଆସିଥିବା ସମ୍ପର୍କୀୟମାନେ କନ୍ୟାର ସାନ ଭଉଣୀକୁ ଗାଡ଼ିରେ ବସାଇ ଜୋର୍‌ଜବରଦସ୍ତ ଝାଡ଼ଖଣ୍ଡ ନେଇ ପଳାଇଥିଲେ।

ସମ୍ବନ୍ଧିତ ଖବର