ପେସା ନୁହେଁ ନିଶା : ନିର୍ଜୀବ କାଠରେ ଜୀବନ ଫୁଟାଉଛନ୍ତି ୬୬ ବର୍ଷୀୟ ପୂର୍ଣ୍ଣଚନ୍ଦ୍ର ପ୍ରଧାନ

ଝାରସୁଗୁଡ଼ା : ପେସା ନୁହେଁ ଏହା ହେଉଛି ତାଙ୍କର ନିଶା। ପିଲାଟି ଦିନରୁ କାଠରେ ବିଭିନ୍ନ ମୂର୍ତ୍ତି ନିର୍ମାଣ କରିବା ଏକ ସଉକ। କାଠ ଫାଳିଆକୁ କାଟିକୁଟି, ରଙ୍ଗ ବୋଳି ଜୀବନ୍ତ କରି ପାରୁଥିବା ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଚାହିଁଥିଲେ ଏହାକୁ ନିଜର ପେସା କରି ପାରିଥାନ୍ତେ। ମାତ୍ର ତାହା ସେ କରିନାହାନ୍ତି। ପେସାରେ ଜଣେ ଚାଷୀ ଥିବା ପୂର୍ଣ୍ଣଚନ୍ଦ୍ର ସମୟ ପାଇଲେ କାଠରେ ମୂର୍ତ୍ତି ନିର୍ମାଣ କରି ନିଜର ସଉକ ମେଣ୍ଟାଇଥାନ୍ତି। ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଜମଗାଁ ପଞ୍ଚାୟତ ପଧାନଡେରା ଗ୍ରାମର ପୂର୍ଣ୍ଣଚନ୍ଦ୍ରଙ୍କୁ ବୟସ ଏବେ ୬୬ ବର୍ଷ। ଘରେ ପତ୍ନୀଙ୍କ ସହ ଦୁଇ ପୁଅ, ଦୁଇ ବୋହୁ ତଥା ନାତି ନାତୁଣୀଙ୍କୁ ନେଇ ତାଙ୍କ ପରିବାର। ତିନି ଝିଅ ବାହା ହୋଇ ସାରିଛନ୍ତି। ବେଶୀ ଚାଷ ଜମି ନ ଥିଲେ ବି ଯେତେ ଅଛି ସେଥରେ ଦୁଇ ପୁଅ ମିଶି ଚାଷ କରନ୍ତି ଓ ପୂର୍ଣ୍ଣଚନ୍ଦ୍ର ସେମାନଙ୍କୁ ସେଥିରେ ସାହାଯ୍ୟ କରିଥାନ୍ତି। ଚାଷ କାମ ପରେ ‌ଯାହା ସମୟ ମିଳେ ସେଥିରେ ସେ ଅଖିଆ ଅପିଆ ମୂର୍ତ୍ତି ନିର୍ମାଣରେ ଲାଗିପଡ଼ନ୍ତି। ତାଙ୍କର ଏହି ନିଆରା କଳା ପ୍ରତି ଥିବା ଆକର୍ଷଣକୁ ଗାଁ’ରେ ସମସ୍ତେ ସମ୍ମାନ ଦିଅନ୍ତି। ପରିବାର ଲୋ‌କେ ମଧ୍ୟ ତାଙ୍କୁ ବେଶ୍‌ ପ୍ରୋତ୍ସାହିତ କରିଥାନ୍ତି।

ନିର୍ଜୀବ କାଠକୁ ଏକ ପ୍ରକାର ଜୀବନ୍ୟାସ ଦେଇଥାନ୍ତି ପୂର୍ଣ୍ଣଚନ୍ଦ୍ର। ନିଜ ପ୍ରତିଭା ପ୍ରୟୋଗ କରି ବିଭିନ୍ନ ଖେଳଣା, ପଶୁ ପକ୍ଷୀଙ୍କ ମୂର୍ତ୍ତି, ଦେବଦେବୀ ଓ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି। ପୂର୍ଣ୍ଣଚନ୍ଦ୍ରଙ୍କ କହିବାନୁସାରେ ଛୋଟ ବେଳେ ଅନ୍ୟ ଛୁଆମାନେ ଯେତେବେଳେ ଖେଳିବାକୁ ଯାଉଥିଲେ ସେ ଖେଳଣା ନିର୍ମାଣରେ ସମୟ ଦେଉଥିଲେ। ସେହି ଅଭ୍ୟାସ ଆଜି ଯାଏ ବଳବତ୍ତର ରହିଛି। ଚାଷ କାମ ସାରି ଯେତେବେଳେ ଅନ୍ୟମାନେ ଗାଁ’ରେ ତାସ ଖେଳ, ଗପ ତଥା ଅନ୍ୟାନ୍ୟ କାମ କରନ୍ତି କିମ୍ବା ବିଶ୍ରାମ ନିଅନ୍ତି ସେତେବେଳ ପୂର୍ଣଚନ୍ଦ୍ର ତାଙ୍କ ଘର ଅଗଣାରେ ହାତ ହାତିଆର ସହ ବସି ଲାଗି ପଡ଼ନ୍ତି କାଠ କାରୁକାର୍ଯ୍ୟରେ। ସେ କୁହନ୍ତି ଯେ, ଯେତେବେଳ ତାଙ୍କ ମନ ବିଭିନ୍ନ ପ୍ରକାରର ସଙ୍କଳ୍ପ ଓ ବିକଳ୍ପରେ ବୁଡ଼ି ରହିଥାଏ, ସେତେବଳେ ସେ ଏହାକୁ ଦେଖି କିମ୍ବା ତିଆରି କଲେ ସବୁ ଦୁଃଖକୁ ଭୁଲିଯାନ୍ତି। ଖାଲି ସମୟ ଟିକେ ପାଇଲେ ସେ ଲାଗିପଡ଼ନ୍ତି ଏପରି ଜିନିଷ ତିଆରି କରିବା ପାଇଁ। ଘରେ ତାଙ୍କୁ କେହି କେବେ ବିରୋଧ କରି ନାହାନ୍ତି। ତାଙ୍କ ବୋହୁ ସୁଭାଷିନୀ କୁହନ୍ତି, ଆମେ ତାଙ୍କର ଏଭିଳି କଳା ଦେଖି ଖୁବ୍‌ ଖୁସି। ତାଙ୍କର ସରଳତା ଓ କଳାରେ ଆମେ ସମସ୍ତେ ନିଜକୁ ଧନ୍ୟ ମନେକରୁଛୁ। ଏଭଳି ଜଣେ କଳାକାରଙ୍କ ପରିବାରେ ସେ ବୋହୁ ହେବା ସୌଭାଗ୍ୟ ବୋଲି କହିଛନ୍ତି।

ପୂର୍ଣଚନ୍ଦ୍ର କୁହନ୍ତି ଯେ, ଏହି କଳାକୃତିକୁ ବିକ୍ରି କରି ତାଙ୍କୁ ଟଙ୍କା ଦରକାର ନାହିଁ। ଜଣେ କଳାକାରଙ୍କ ପାଇଁ ଟଙ୍କା ପଇସା ବଡ଼ ନୁହେଁ। ତାଙ୍କ କଳାକୃତି ସୁରକ୍ଷିତ ରହିବା ହିଁ ତାଙ୍କର ବଡ଼ ଇଚ୍ଛା। ସେ ଆହୁରି ମଧ୍ୟ କୁହନ୍ତି ‘ମୋ କଳାକୁ ବିକ୍ରି କରି ପେଟ ପୋଷିବା କଥା ମୁଁ କେବେ ଚିନ୍ତା କରିନାହିଁ। ମୁଁ ଏହି ସବୁ କଳାକୃତି ଆଖପାଖ ଗ୍ରାମର ସ୍କୁଲ୍‌ଗୁଡ଼ିକୁ ଦେବି। ମଣିଷ କିଛି ନେଇକି ଆସିନି କି ନେଇକି ଯିବନି। ମୁଁ ମରିଗଲା ପରେ ମୋତେ ମନେ ରଖିବା ପାଇଁ ମୋର କୃତି ଯଥେଷ୍ଟ। ଯଦି ସରକାର ଏଥି ପ୍ରତି ଧ୍ୟାନ ଦେଇ ପ୍ରୋତ୍ସାହିତ କରନ୍ତ‌େ ତେବେ ମୁଁ ଏହି କଳାକୁ ଆହୁରି ଆଗକୁ ନେଇପାରନ୍ତି। ଗ୍ରାମର ବେକାର ଯୁବକଯୁବତୀଙ୍କୁ ତାଲିମ ଦେଇ ସେମାନଙ୍କୁ ସ୍ବାବଲମ୍ବୀ କରି ପାରନ୍ତି’ ବୋଲି କହିଛନ୍ତି। ‌ପୂର୍ଣ୍ଣଚନ୍ଦ୍ର। ଗମ୍ଭାରୀ, ଶାଳ କାଠରେ ଏହି ସବୁ ଜିନିଷ ତିଆରି ହେଉଥିବା ବେଳେ ଏବେ କାଠର ଘୋର ଅଭାବ ତାଙ୍କ ପାଇଁ ଆହ୍ବାନ ସୃଷ୍ଟି କରିଥିବା ପୂର୍ଣ୍ଣଚନ୍ଦ୍ର କହିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ହସ୍ତକଳାକୁ ଗୁରୁତ୍ୱ ଦେଉଛନ୍ତି। କର୍ଣ୍ଣାଟକରେ ଚେନ୍ନାପଟନମରେ ଏହି ପରି ବହୁ କଳାକାର ସେଠିକାର ରାଜ୍ୟ ସରକାରଙ୍କ ପକ୍ଷରୁ ସାହାଯ୍ୟ ସହଯୋଗ ପାଇ ବହୁ ଅର୍ଥ ରୋଜଗାର କରିପାରୁଛନ୍ତି। ଯଦି ପ୍ରଶାସନ ପୂର୍ଣ୍ଣଚନ୍ଦ୍ରଙ୍କ ପ୍ରତି ସହଯୋଗର ହାତ ବଢ଼ାନ୍ତି ତେବେ ଏହି କଳାକୁ ପ୍ରୋତ୍ସାହିତ କରିବାରେ କୌଣସି ସମସ୍ୟା ରୁହନ୍ତା ନାହିଁ ବ‌ୋଲି ଅନେକ ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର

Comments are closed.