ପୁରୀ : ଶ୍ରୀମନ୍ଦିରରେ ଅବଢ଼ା ରାନ୍ଧିବା ପାଇଁ ଜାଳେଣୀ କାଠ ସୃଷ୍ଟି କରିଛି ସଂକଟ। ବନ ଉନ୍ନୟନ ନିଗମରୁ ଆବଶ୍ୟକ ପରିମାଣର କାଠ ମିଳୁନାହିଁ। ବାଧ୍ୟ ହୋଇ ଅବଢ଼ା ପାଇଁ ବାହରୁ ଚଢ଼ା ଦରରେ କିଣାଯାଉଛି କାଠ। ଯାହାର ବୋଝ ଭକ୍ତଙ୍କ ମୁଣ୍ଡରେ ପଡ଼ୁଛି। ତେଣେ ବନ ବିଭାଗ ଅଧିକାରୀଙ୍କ ଅଜବ ନିୟମ। ଶବଦାହ ପାଇଁ ସେମାନେ କାଠ ଦେବେ, ମହାପ୍ରଭୁଙ୍କ ଭୋଗ ପାଇଁ କାଠ ଦେବାକୁ ବାଧ୍ୟ ନୁହନ୍ତି ବୋଲି ଦର୍ଶାଇଛନ୍ତି ପୁରୀ ବନ୍ୟପ୍ରାଣୀ ବନଖଣ୍ଡର ଅଧିକାରୀ ହର୍ଷବର୍ଦ୍ଧନ ଉଦ୍ଗାତା।
ମହାପ୍ରଭୁଙ୍କ ମହାପ୍ରସାଦ ପ୍ରସ୍ତୁତକାରୀ ସୁଆରମାନଙ୍କ ସୂଚନ ଅନୁଯାୟୀ, ରୋଷଘରେ ଅବଢ଼ା ପ୍ରସ୍ତୁତି ପାଇଁ ଦୈନିକ ୫୦ ରୁ ୫୫ କୁଇଣ୍ଟାଲ ଜାଳେଣୀ କାଠର ଆବଶ୍ୟକତା ରହିଛି। ରୋଷ ଘରକୁ କାଠ ଯୋଗାଇବା ପାଇଁ ବନ ଉନ୍ନୟନ ନିଗମ କାଠ ଦେବ ବୋଲି ଧାର୍ଯ୍ୟ ହୋଇଛି। ଏପରିକି ଏକ ସ୍ବତନ୍ତ୍ର ପରମିଟ୍ ମଧ୍ୟ ଦିଆଯାଇଛି। ହେଲେ ଠାକୁରଙ୍କ ମହାପ୍ରସାଦ ପାଇଁ କାଠ ମିଳୁନାହିଁ। ଏବେ ନିଗମରୁ ମାତ୍ର ୧୫ ରୁ ୧୮ କୁଇଣ୍ଟାଲ କାଠ ଦିନକୁ ମିଳୁଛି। ସେଥିରେ ଅବଢ଼ା ପ୍ରସ୍ତୁତି ଅସମ୍ଭବ। ତେଣୁ ସୁଆର ମହାସୁଆର ନିଯୋଗ ବାହାର ବେପାରୀଙ୍କ ଠାରୁ ଚଢ଼ା ମୂଲ୍ୟରେ କାଠ କିଣୁଛି। ନିଗମ ମୂଲ୍ୟ ଠାରୁ ବାହାରୁ କୁଇଣ୍ଟାଲ ପିଛା ଏକ ଶହ ଟଙ୍କାରୁ ଅଧିକ ମୂଲ୍ୟ ହେଉଥିବାରୁ ଏହା ଅବଢ଼ା ମୂଲ୍ୟ ବୃଦ୍ଧିର କାରଣ ହେଉଛି।
ଏନେଇ ନିଯୋଗ ଡିଏଫଓଙ୍କ ଠାରୁ ଶ୍ରୀମନ୍ଦିର ପ୍ରଶାସନ ସମସ୍ତଙ୍କୁ ଜଣାଇ ସାରିଛନ୍ତି। ହେଲେ କୌଣସି ପ୍ରକାର ପ୍ରତିକାର ହୋଇ ପାରୁନାହିଁ। ଆଗକୁ ପର୍ବପର୍ବାଣୀ ଆସୁଛି। ଭକ୍ତଙ୍କ ଗହଳି ବଢ଼ିଲେ ଅବଢ଼ା ପରିମାଣ ଅଧିକ ଆବଶ୍ୟକ ହେବ। ସେତେବେଳେ କାଠ ନମିଳିଲେ, ଅବଢ଼ା ଦର ବଢ଼ିବା ସମ୍ଭାବନା ଅଧିକ ଅଛି । ଏ ସମ୍ପର୍କରେ ଡିଏଫ୍ଓ କହିଲେ, ଆମେ ସ୍ବର୍ଗଦ୍ବାରକୁ ଶବଦାହ ପାଇଁ କାଠ ଯୋଗାଉଛୁ। ସ୍ବର୍ଗଦ୍ବାରକୁ କାଠ ଦେବା ଆମେ ପ୍ରାଥମିକତା ଭାବେ ଗ୍ରହଣ କରିଛୁ। ଠାକୁରଙ୍କ ମହାପ୍ରସାଦ ପ୍ରସ୍ତୁତି ପାଇଁ କାଠ ନିଗମ ଯୋଗାଇ ପାରୁନାହିଁ। କାଠ ମିଳୁନାହିଁ। ଏହା ବ୍ୟତୀତ ରୋଷଘରକୁ କାଠ ଯୋଗାଇବା ଦାୟିତ୍ବ ଲକ୍ଷ୍ମୀଭଣ୍ଡାର ନିଲାମ ନେଇଥିବା ବ୍ୟକ୍ତିଙ୍କର। ସେମାନ ଏହା ଯୋଗାଡ଼ କରିବେ ବୋଲି ସେ କହିଥିଲେ।