ଅକ୍ଷୟ ତୃତୀୟାରେ ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ

ପୁରୀ : ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ଆଜି ପ୍ରାରମ୍ଭିକ ପର୍ବର ଶୁଭାରମ୍ଭ ହୋଇଛି। ବଡ଼ଦାଣ୍ଡ ରଥ ଖଳାରେ ଶାସ୍ତ୍ରୀୟ ବନଜାଗ ବିଧିରେ ହୋମଯଜ୍ଞ ପରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଆଜ୍ଞାମାଳ ପହଞ୍ଚିବା ପରେ ଦେଉଳ ପୁରୋହିତ ଅଭିମନ୍ତ୍ରିତ ସୁନା କୁରାଢ଼ୀରେ ରଥଖଳାରେ ଥିବା ତିନି ଅସନ କାଠକୁ ଚୋଟ ମାରି ରଥନିର୍ମାଣ କାର୍ଯ୍ୟର ଅନୁକୁଳ କରିଛନ୍ତି। ଚୋଟ ମାରିବା ପରେ ବିଶ୍ୱକର୍ମାମାନେ ବ୍ରାହ୍ମଣଙ୍କଠାରୁ ବରଣ ଗ୍ରହଣ କରିବା ସହ ଶାଢ଼ୀ ବାନ୍ଧିଥିଲେ। ପରେ ରଥକାଠ ଛେଦନ କରାଯିବା ପରେ ରଥନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ହୋଇଥିଲା। ତେବେ ଶ୍ରୀମନ୍ଦିରରେ ନୀତି ବିଭ୍ରାଟ କାରଣରୁ ଆଜି ଅପରାହ୍‌ଣ ୨ଟାରେ ଆରମ୍ଭ ହେବାକୁ ଥିବା ଅନୁକୁଳ ନୀତି ରାତି ୭ଟାରେ ଆରମ୍ଭ ହୋଇଥିଲା।

ବିଧି ଅନୁଯାୟୀ ବୁଧବାର ଅପରାହ୍‌ଣରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଥିବା ରଥଖଳାରେ ତିନି ଧଉରା କାଠ ରଖାଯାଇ ଶାସ୍ତ୍ର ଅନୁସାରେ ବନଜାଗ ବିଧି ମତେ ହୋମଯଜ୍ଞ ହୋଇଥିଲା। ରାତି ୭ଟା୧୦ ମିନିଟ୍‌ରେ ମଣି ବିମାନରେ ମଦନ ମୋହନ, ଶ୍ରୀଦେବୀ, ଭୂଦେବୀ, ରାମକୃଷ୍ଣ, ପଞ୍ଚ ମହାଦେବ ଶ୍ରୀଜମ୍ବେଶ୍ୱର, ଲୋକନାଥ, କପାଳମୋଚନ, ମାର୍କଣ୍ଡେଶ୍ୱର ଓ ନୀଳକଣ୍ଠେଶ୍ୱର ରଥଖଳାରେ ବିଜେ ହୋଇଥିଲେ। ଏହି ସମୟରେ ତିନି ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ଧରି ଆସିବା ପରେ ତିନୋଟି ରଥକାଠରେ ଆଜ୍ଞାମାଳ ପ୍ରଦାନ କରାଯାଇଥିଲା। ଏହା ପୂର୍ବରୁ ସ୍ୱତନ୍ତ୍ର ବିଧି ଅନୁସାରେ ଦକ୍ଷିଣକାଳୀଙ୍କ ମନ୍ତ୍ରରେ ଅଭିମନ୍ତ୍ରିତ ହୋଇଥିବା ସୁନାର ତିନୋଟି ଛୋଟ କୁରାଢ଼ୀ ପ୍ରଥମେ ଦେଉଳ ପୁରୋହିତ ରଥଖଳରେ ଥିବା ତିନି ଅସନ କାଠରେ ଚୋଟ ମାରିବା ପରେ ବିଶ୍ୱକର୍ମାମାନେ ରଥକାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଏହି କ୍ରମରେ ଶାଢ଼ୀ ବନ୍ଧା ଓ ଅନ୍ୟାନ୍ୟ କାର୍ଯ୍ୟ ସଂପନ୍ନ ହୋଇଥିଲା। ରାତି ୭ଟା୧୦ରୁ ୭ଟା ୧୫ ମିନିଟ୍‌ ପର୍ଯ୍ୟନ୍ତ ରଥ ନିର୍ମାଣ ଅନୁକୁଳ ନୀତି ଅନୁଷ୍ଠିତ ହୋଇଥିଲା।

ସୂଚନାଯୋଗ୍ୟ, ରଥ ସଂହିତା ଅନୁଯାୟୀ ସରସ୍ୱତୀ ପୂଜାରେ ରଥକାଠ ଅନୁକୁଳ, ଶ୍ରୀରାମ ନବମୀରେ ରଥ କାଠ ଚିରଟ କାମ ଓ ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାମ ଆଜିଠାରୁ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର