ଆଧୁନିକ ମେଟାଲିକ୍ସ ଭାଗ୍ୟ ନିର୍ଦ୍ଧାରଣ ୩୦ରେ : ଏନ୍‌ସିଏଲ୍‌ଏଟି ଆଦେଶକୁ ଅପେକ୍ଷା, ୧୦ ହଜାର ପରିବାର ଚିନ୍ତାରେ

ରାଉରକେଲା : କୁଆରମୁଣ୍ଡାସ୍ଥିତ ଆଧୁନିକ୍‌ ମେଟାଲିକ୍ସ କାରଖାନାର ଭବିଷ୍ୟତ ନେଇ ଏବେ ବି ଅନିଶ୍ଚିତତା ଲାଗି ରହିଛି। ବ୍ରିଟେନ୍‌ କମ୍ପାନି ଲିବର୍ଟି ହାଉସ୍‌ ଆଧୁନିକକୁ ଅଧିଗ୍ରହଣ କରିବ କି ନାହିଁ, ତାହା ଚଳିତ ସେପ୍ଟେମ୍ବର ମାସ ୩୦ ତାରିଖ ଦିନ ଚୂଡାନ୍ତ ହେବ। ସେହିଦିନ ନ୍ୟାସନାଲ୍‌ କମ୍ପାନି ଲ’ ଟ୍ରିବୁନାଲ୍‌ (ଏନ୍‌ସିଏଏଲ୍‌ଟି) ଆଦେଶକୁ ସମସ୍ତଙ୍କର ଅପେକ୍ଷା। ଏହି କାରଖାନା ଉପରେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ନିର୍ଭରଶୀଳ ୧୦ ହଜାରରୁ ଅଧିକ ‌ପରିବାର ଏବେ ଆଶା ଓ ଆଶଙ୍କା ଭିତରେ ଅଛନ୍ତି।

କୁଆରମୁଣ୍ଡା ଚାର୍ଡି ହରିହରପୁରରେ ଥିବା ଆଧୁନିକ୍‌ ମେଟାଲିକ୍ସ ଦେବାଳିଆ ହେବା ପରେ ବ୍ୟାଙ୍କ ସମୂହ ଏହାର ପରିଚାଳନା ଦାୟିତ୍ବ ନେଇଥିଲେ। ବ୍ୟାଙ୍କ ସମୂହ କାରଖାନାକୁ କିଛି ମାସ ଚଳାଇବା ପରେ ଲାଭ ନ ହେବାରୁ ବିକ୍ରି ପାଇଁ ନିଲାମ ହୋଇଥିଲା। ଏଥିରେ ମୋଟ୍‌ ଦୁଇଟି ସଂସ୍ଥା- ବ୍ରିଟେନ୍‌ର ଲିବର୍ଟି ହାଉସ୍ ଏବଂ ମହାରାଷ୍ଟ୍ର ସେମ୍‌ଲେସ୍‌ କମ୍ପାନି ଭାଗ ନେଇଥିଲେ। ଟେଣ୍ଡରରେ ପ୍ରଥମ ହୋଇ ପ୍ରାୟ ୪୧୦ କୋଟି ଟଙ୍କାରେ ଲିବର୍ଟି ହାଉସ୍‌ ଏହି କାରଖାନାକୁ ପାଇଥିଲା। ପ୍ରାୟ ୫୩୭୦ କୋଟି ଟଙ୍କାର ଋଣ ଭାରରେ ବୁଡ଼ି ରହିଥିବା ଆଧୁନିକ୍‌କୁ ଖୁବ୍‌ କମ୍‌ ଟଙ୍କାରେ ଲିବର୍ଟି ପାଇଥିଲେ ମଧ୍ୟ କୋର୍ଟ ନିର୍ଧାରିତ ୨୦୧୯ ଅପ୍ରେଲ୍‌ ୧୪ ତାରିଖ ମଧ୍ୟରେ ଏହି ଅର୍ଥ ପଇଠ କରି ପାରିନଥିଲା। ଫଳରେ ବ୍ୟାଙ୍କ ସମୂହକୁ ନେଇ ଗଠିତ ସିଓସି (କମିଟି ଅଡ଼୍ କ୍ରେଡିଟର) ଲିବର୍ଟି ହାଉସ୍‌ର ଟେଣ୍ଡରକୁ ରଦ୍ଦ କରି ଆଉଥରେ ଟେଣ୍ଡର କରିବାକୁ କହିଥିଲେ। କାରଖାନା ଚଳାଇବା ପାଇଁ ବିଭିନ୍ନ ଅନୁମତି ଓ ଆନୁସଂଗିକ କାର୍ଯ୍ୟ ପାଇଁ ସମୟ ଲାଗିବ କହି ଅର୍ଥ ପ୍ରଦାନ କରିବାକୁ ଲିବର୍ଟି ହାଉସ୍‌ ଅଧିକ ସମୟ ମାଗିଥିଲା। ତେବେ ବ୍ୟାଙ୍କ ସମୂହ ଏହାକୁ ପ୍ରତ୍ୟାଖାନ କରିଥିଲେ। ଆଧୁନିକ ମେଟାଲିକ୍ସକୁ ଲିବର୍ଟି ହାଉସ୍‌ ନେବ କି ନାହିଁ, ତାହା ଚଳିତ ମାସ ୩୦ ତାରିଖ ଦିନ ଏନ୍‌ସିଏଲ୍‌ଟି କଟକ ବେଞ୍ଚ ନିର୍ଦ୍ଧାରଣ କରିବ। ସେଦିନ ଲିବର୍ଟି ହାଉସ୍‌ ଆବେଦନ ଉପରେ ଚୂଡାନ୍ତ ନିଷ୍ପତ୍ତି ହେବ।

ବ୍ରିଟେନ୍‌ କମ୍ପାନି ଲିବର୍ଟି ହାଉସ୍‌ ଆଧୁନିକ୍‌ ନେଉଥିବା ଖବର ପ୍ରକାଶ ପାଇବା ପରେ ଦୁଇ ବର୍ଷ ପୂର୍ବେ କାରଖାନାର ଶ୍ରମିକ ଓ କର୍ମଚାରୀଙ୍କ ମଧ୍ୟରେ ନୂଆ ଆଶା ସଂଚାର ହୋଇଥିଲା। କିନ୍ତୁ ଦୁଇ ବର୍ଷ ହେଲା କାରଖାନାକୁ ଲିବର୍ଟି ହାଉସ୍‌ ନେଉ ନଥିବା ବେଳେ ମାମଲା କୋର୍ଟ କଚେରିରେ ଛନ୍ଦି ହୋଇ ଯାଉଥିବାରୁ ଦୀର୍ଘ ଦିନହେଲା ପ୍ରାପ୍ୟ ନ ପାଇ ଭୋକ ଉପାସରେ ଥିବା ଶ୍ରମିକ ଓ କର୍ମଚାରୀ ହତାଶ ହୋଇପଡ଼ିଛନ୍ତି। ଯଦି ଲିବର୍ଟି ହାଉସ୍‌କୁ ସୁଯୋଗ ନ ମିଳେ କିମ୍ବା ପୁଣି ଟେଣ୍ଡର ପ୍ରକ୍ରିୟାରେ ବିଳମ୍ବିତ ହୁଏ, ତେବେ ଶ୍ରମିକ କର୍ମଚାରୀ ଓ ଏହା ଉପରେ ନିର୍ଭରଶୀଳ ହଜାର ହଜାର ପରିବାରର ଭବିଷ୍ୟତ ଅନ୍ଧକାରମୟ ହୋଇପଡ଼ିବ ବୋଲି କୁହା ଯାଇପାରେ।

ସମ୍ବନ୍ଧିତ ଖବର